ରାୟଗଡ଼ା : ବୃତ୍ତିରେ ରେଲୱେ ୱେଲଡର୍, କିନ୍ତୁ ବେଆଇନ ଭାବେ ଚଲାଇଥିଲେ ଚିଟଫଣ୍ଡ ସଂସ୍ଥା। ପ୍ରଲୋଭନ ଦେଖାଇ ୭ ବର୍ଷ ଧରି ଲୁଟି ଚାଲିଥିଲେ ଲୋକଙ୍କ ଟଙ୍କା। ଲକ୍ଷେ କି ଦୁଇ ଲକ୍ଷ ନୁହେଁ, ୮୨ ଲକ୍ଷ ଟଙ୍କାର ଠକେଇର ଶିକାର ହେବା ପରେ ଥାନାର ଦ୍ବାରସ୍ଥ ହୋଇଛନ୍ତି ୩୦ରୁ ଉର୍ଧ୍ବ ମହିଳା। ଠକେଇ ଟଙ୍କାରେ ରେଲୱେ କର୍ମଚାରୀ ଘର ତିଆରି କରିବା ସହ ୨ଟି ପ୍ଲଟ୍ କିଣିଥିବା ପୁଲିସର ପ୍ରାଥମିକ ତଦନ୍ତରୁ ଜଣା ପଡ଼ିଛି।

Advertisment

publive-image iPleaders Blog

ରାୟଗଡ଼ା ରେଲୱେ କଲୋନିର ଟି. ବେଣୁ ଗୋପାଳ। ରେଳ ବିଭାଗରେ ୱେଲଡର୍ ଭାବେ କାମ କରୁଥିବା ବେଣୁ ଗୋପାଳ ସ୍ତ୍ରୀ ଟି. ସରସ୍ବତୀଙ୍କ ସହ ମିଶି ୨୦୧୩ରୁ ଚିଟଫଣ୍ଡ୍ ସଂସ୍ଥା ଖୋଲିଥିଲେ। ନୀଲମ୍ ଜିତିବାର ପ୍ରତିଶ୍ରୁତି ଦେଇ କଲୋନିର ବିଭିନ୍ନ ମହିଳାଙ୍କୁ ନେଇ ବେଣୁ ଗୋପାଳ ୫ରୁ ୬ଟି ଗ୍ରୁପ ଗଠନ କରି ମାସିକ ଲକ୍ଷାଧିକ ଟଙ୍କା ଆଦାୟ କରୁଥିଲେ। ଝିଅ ବାହାଘର ପାଇଁ ତ, ନୂତନ ଘର ନିର୍ମାଣ ଏବଂ ପୁଅ ଝିଅକୁ ପାଠ ପଢ଼ାଇବା ପାଇଁ ସଞ୍ଚିତ ଟଙ୍କାକୁ ମହିଳାମାନେ ଅଧିକ ଅର୍ଥ ଆଶାରେ ଚିଟଫଣ୍ଡ ସଂସ୍ଥାରେ ଡିପୋଜିଟ୍ କରିଥିଲେ। ୨୦୧୩ରୁ ୨୦୧୯ ଅକ୍ଟୋବର ପର୍ଯ୍ୟନ୍ତ ମହିଳାମାନେ ଲକ୍ଷାଧିକ ଟଙ୍କା ଡିପୋଜିଟ୍ କରିବା ପରେ ବୋନସ୍, ସୁଧ ଅର୍ଥ ତ ଦୂରର କଥା ମୂଳ ଟଙ୍କା ଦେବାରେ ଦିନ ଗଡ଼ାଇ ଚାଲିବା ପରେ ବେଣୁ ଗୋପାଳଙ୍କ ଉପରେ ସନ୍ଦେହ କରିଥିଲେ ମହିଳା। ୨୦୧୯ ଅକ୍ଟୋବର ମାସରୁ ଗ୍ରୁପର ଆଉ କୌଣସି ମହିଳା ଟଙ୍କା ଡିପୋଜିଟ୍ କରିନଥିବା ବେଳେ ମୂଳ ଟଙ୍କା ଫେରାଇବାକୁ ବାରମ୍ବାର ନିବେଦନ କରି ଆସୁଥିଲେ। ଗତ ଏପ୍ରିଲ୍ ୨୭ ତାରିଖରେ ଟଙ୍କା ଜମା ଦେଇଥିବା ଏସ୍. କଲ୍ୟାଣୀ ଦଳପତି ବେଣୁ ଗୋପାଳଙ୍କ ଘରକୁ ଟଙ୍କା ମାଗିବାକୁ ଯାଇଥିବା ବେଳେ ବେଣୁ ଗୋପାଳ ଦୁର୍ବ୍ୟବହାର କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ। ଦୁର୍ବ୍ୟବହାର ସମୟରେ କଲ୍ୟାଣୀଙ୍କ ପାଖରେ ଅନିତା ସାହୁ, ଏମ୍. ସତ୍ୟବତୀ, ନନ୍ଦିନୀ ଶିଖା, ଝିଲି ଦୋରା ଉପସ୍ଥିତ ଥିଲେ ମଧ୍ୟ ଭୟରେ କିଛି କହିନଥିଲେ। ଠକେଇର ଶିକାର କଲ୍ୟାଣୀ ମାସିକ କିସ୍ତି ଆକାରରେ ମୋଟ ୬ ଲକ୍ଷ ଟଙ୍କା ଜମା ଦେଇଥିବା ଟାଉନ୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ସେହିପରି ରେଲୱେ କଲୋନିର ରୀତାଞ୍ଜଳି ଗେଡି ୨ ଲକ୍ଷ, ବି. ତେଜେଶ୍ବରୀ ୬ ଲକ୍ଷ, ଏମ୍. ସ୍ମିତା ୨ ଲକ୍ଷ ୫୦ ହଜାର ଏମିତି ୩୦ରୁ ଉର୍ଧ୍ବ ମହିଳାଙ୍କଠୁ ୮୨ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗ ହୋଇଛି।

publive-image Livemint

ମେ’ ୨୨ ତାରିଖରେ ଠକେଇର ଶିକାର ସମସ୍ତ ମହିଳା ଥାନାକୁ ଯାଇ ଅଭିଯୋଗ କରିବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଥାନା ଅଧିକାରୀ ନିହାର ରଂଜନ ପ୍ରଧାନ ମାମଲାର ତଦନ୍ତ ଭାର ନେଇ ବେଣୁ ଗୋପାଳ ଓ ସରସ୍ବତୀଙ୍କୁ ଅଟକ ରଖି ପଚରା ଉଚରା କରିବା ପରେ ଠକେଇ ଟଙ୍କାରେ ଦମ୍ପତି ଘର ନିର୍ମାଣ କରିବା ସହିତ ୨ଟି ପ୍ଲଟ୍ କିଣିଥିବା ତଦନ୍ତ ସମୟରେ ରାଜି ହୋଇଥିବା ଥାନା ଅଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି। ଘର ତିଆରି, ପ୍ଲଟ କିଣିବା ସହିତ ବେଣୁ ଗୋପାଳ ଠକେଇ ଟଙ୍କା ଆଉ କେଉଁଠି ବିନିଯୋଗ କରିଛନ୍ତି ସେ ଦିଗରେ ତଦନ୍ତ କରୁଛି ପୁଲିସ୍। ଚିଟଫଣ୍ଡ ସଂସ୍ଥାକୁ ସରକାର ବେଆଇନ ଘୋଷଣା କରିଥିବାରୁ ଆଇନ ଅନୁଯାୟୀ ବେଣୁ ଗୋପାଳଙ୍କ ସ୍ଥାବର, ଅସ୍ଥାବର ସଂପତ୍ତିକୁ ଜବତ କରିବା ଦିଗରେ ପୁଲିସ୍ ପଦକ୍ଷେପ ନେବ। ଠକେଇର ଶିକାର ହୋଇଥିବା ସମସ୍ତ ମହିଳା ରେଲୱେ ୪ର୍ଥ ଶ୍ରେଣୀ କର୍ମଚାରୀ ପରିବାରର ହୋଇଥିବାରୁ ଠକେଇର ଶିକାର ପରେ ମାନସିକ ଭାରସାମ୍ୟ ହରାଇ ବସିଛନ୍ତି। ଲକ୍ଷାଧିକ ଟଙ୍କା ଠକ ସଂସ୍ଥାରେ ହାତରେ ଟେକି ଦେଇଥିବାରୁ ପୁଲିସ୍ ଏ ଦିଗରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବେଣୁ ଗୋପାଳଙ୍କ ସଂପତ୍ତିକୁ ବ୍ୟାଜାପ୍ତି କରି ହିତାଧିକାରୀଙ୍କ ଟଙ୍କା ଫେରାଇବାକୁ ମହିଳାମାନେ ନିବେଦନ କରିଛନ୍ତି। ଅଭିଯୋଗ ପରେ ପୁଲିସ୍ ବେଣୁ ଗୋପାଳଙ୍କ ସମେତ ସରସ୍ବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।