୫୫,୫୬୩ କ୍ଷୁଦ୍ର ଜମାକାରୀଙ୍କ ଟଙ୍କା ଫେରସ୍ତ ପାଇଁ ପରାମର୍ଶ
ଚିଟ୍ଫଣ୍ଡ୍ ତଦନ୍ତ କମିସନଙ୍କ ଚତୁର୍ଥ ଅନ୍ତରୀଣ ରିପୋର୍ଟ
ସାଢେ ୪ ବର୍ଷରେ ୧୩୧୧ କ୍ଷତିଗ୍ରସ୍ତ ଫେରି ପାଇଛନ୍ତି ଟଙ୍କା
Sambad is now on WhatsApp
Join and get latest news updates delivered to you via WhatsApp
କଟକ : ଚିଟ୍ଫଣ୍ଡ୍ ମାମଲାର ତଦନ୍ତ କରୁଥିବା ଜଷ୍ଟିସ୍ ମଦନ ମୋହନ ଦାସ କମିସନ୍ ଆଜି ସରକାରଙ୍କୁ ଚତୁର୍ଥ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଛନ୍ତି। ବନ୍ଦ୍ ଲଫାପାରେ ଏହି ଅନ୍ତରୀଣ ରିପୋର୍ଟ କମିସନଙ୍କ ସଚିବ ଦେବରାଜ ରାଉତ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଗୃହ ସଚିବ ଅସିତ ତ୍ରିପାଠୀଙ୍କୁ ରାଜ୍ୟ ସଚିବାଳୟରେ ପ୍ରଦାନ କରିଛନ୍ତି। ରିପୋର୍ଟରେ ୨୯୧ଟି ଅର୍ଥ ଲଗାଣକାରୀ ସଂସ୍ଥାର ୫୫ ହଜାର ୫୬୩ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ ଉଲ୍ଲେଖ କରାଯାଇଛି। ଏଥି ମଧ୍ୟରେ ଫ୍ଲୋରିସ୍ ଡେଭେଲପମେଣ୍ଟ ଇଣ୍ଡିଆ ଲିମିଟେଡର ସର୍ବାଧିକ ୧୦ ହଜାର ୩୭ ଜଣ କ୍ଷୁଦ୍ର ଜମାକାରୀ ରହିଥିବା ବେଳେ ସିସୋର୍ ଗ୍ରୁପର ୬ ହଜାର ୪୯୭, ସାରଦା ଗ୍ରୁପର ୩ ହଜାର ୭୯୮, ଅର୍ଥତତ୍ତ୍ୱ ଗ୍ରୁପର ୨ ହଜାର ୩୧୦, ଆସୋର୍ ଗ୍ରୁପର ୨ ହଜାର ୬୯ ଓ ଆସ୍ଥା ଇଣ୍ଟରନ୍ୟାସନାଲର ୧ ହଜାର ୬୬୦ ଜଣ କ୍ଷୁଦ୍ର ଜମାକାରୀ ରହିଛନ୍ତି।
ଦାଖଲ ରିପୋର୍ଟରେ କ୍ଷୁଦ୍ର ଜମାକାରୀଙ୍କ ଉପରେ ଗୁରୁତ୍ଵପୂର୍ଣ୍ଣ ପ୍ରସ୍ତାବ ଓ ଅନୁମୋଦନ ରହିଥିବା ଜଣାଯାଇଛି। ବିଭିନ୍ନ ଚିଟ୍ଫଣ୍ଡ୍ ସଂସ୍ଥାରେ ଟଙ୍କା ନିବେଶ କରିଥିବା କ୍ଷୁଦ୍ର ଜମାକାରୀଙ୍କ ଅର୍ଥ ଫେରସ୍ତ ପ୍ରସଂଗରେ ରିପୋର୍ଟରେ ବିଶେଷ ଭାବେ ଉଲ୍ଲେଖ କରାଯାଇଥିବା ସୂଚନା ସୂଚନା ମିଳିଛି। ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ ଚିହ୍ନଟ କରାଯାଇଥିବା କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀ କିପରି ଟଙ୍କା ପାଇବେ ସେ ସଂପର୍କରେ ସ୍ୱତନ୍ତ୍ର ଭାବେ ପରାମର୍ଶ ପ୍ରଦାନ କରାଯାଇଛି। ଚତୁର୍ଥ ପର୍ଯ୍ୟାୟ ତଦନ୍ତ ପ୍ରକ୍ରିୟା ଭିତରେ ୮୫ ଜଣ କ୍ଷତିଗ୍ରସ୍ତ ଜମାକାରୀ ଟଙ୍କା ଫେରିପାଇଥିବା ବେଳେ ପୂର୍ବରୁ ୧୨୨୬ ଜଣ କ୍ଷତିଗ୍ରସ୍ତ ଟଙ୍କା ଫେରସ୍ତ ପାଇଥିବା ଜଣା ପଡିଛି। ଏ ପର୍ଯ୍ୟନ୍ତ କମିସନ୍ ୧ ଲକ୍ଷ ୧୬ ହଜାର ୫୦୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଛନ୍ତି। ପୂର୍ବରୁ ସରକାରଙ୍କୁ ପ୍ରଦାନ କରାଯାଇଥିବା ୩ଟି ରିପୋର୍ଟରେ ୬୦ ହଜାର ୯୪୧ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରାଯାଇ ସେମାନଙ୍କ ସଂପର୍କରେ ପରାମର୍ଶ ପ୍ରଦାନ କରାଯାଇଥିଲା। ଏ ପର୍ଯ୍ୟନ୍ତ କମିସନଙ୍କ ନିକଟରେ ଦାଖଲ ସତ୍ୟପାଠ ଆଧାରରେ ୪୮୬ଟି ଅର୍ଥ ଲଗାଣକାରୀ ସଂସ୍ଥାକୁ ବିଭିନ୍ନ ପର୍ଯ୍ୟାୟରେ ନୋଟିସ୍ ଜାରି କରାଯାଇଥିବା ଜଣାଯାଇଛି।
ଚତୁର୍ଥ ପର୍ଯ୍ୟାୟରେ ୨୦୧୩, ସେପ୍ଟେମ୍ବର ୧୩ରୁ ୨୦୧୩, ସେପ୍ଟେମ୍ବର ୧୭ ମଧ୍ୟରେ ଦାଖଲ ୧ ଲକ୍ଷ ୩୮ ହଜାର ୩୮୭ଟି ସତ୍ୟପାଠ ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀ(୧୦ ହଜାର ଟଙ୍କା ବା ତା’ଠାରୁ କମ୍ ନିବେଶ କରିଥିବା ବ୍ୟକ୍ତି)ଙ୍କ ପ୍ରସଂଗରେ କମିସନ୍ ନୋଟିସ୍ ଜାରି କରିଥିଲେ। ନୋଟିସ୍ ଜାରି କରାଯାଇଥିବା ସଂସ୍ଥା ମଧ୍ୟରୁ ଅଧିକାଂଶ ହାଜର ହୋଇ ନଥିଲେ। ତଦନ୍ତ ପ୍ରକ୍ରିୟାରେ କମ୍ପାନି ଗୁଡିକର ପଦାଧିକାରୀ ସହଯୋଗ କରି ନଥିଲେ। ତେବେ କିଛି ସଂସ୍ଥା ପାଖକୁ ନୋଟିସ ଯାଇ ଫେରି ଥିଲା। କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଯେଉଁ ଠିକଣା ଦେଇଥିଲେ ସେଠାରେ ସେହି ସଂସ୍ଥାର ଅଫିସ ନଥିବା ଡାକ ବିଭାଗ ସୂଚନା ଦେଇଥିଲା। ଏପରି ପରିସ୍ଥିତିରେ ଖବର କାଗଜ ଜରିଆରେ ନୋଟିସ୍ ଜାରି କରାଯାଇଥିଲା। ଅନ୍ୟପକ୍ଷରେ ପଞ୍ଚମ ପର୍ଯ୍ୟାୟ ୨ ଲକ୍ଷ ୫୨ ହଜାର ସତ୍ୟପାଠ ଯାଞ୍ଚ କରାଯାଉଥିବା ସୂଚନା ମିଳିଛି। ଖୁବ୍ ଶୀଘ୍ର ବିଭିନ୍ନ ଅର୍ଥ ଲଗାଣକାରୀ ସଂସ୍ଥାକୁ ନୋଟିସ୍ ଜାରି କରାଯିବ ବୋଲି ସୂଚନା ମଳିଛି। ୬ ମାସ ଭିତରେ ସରକାରଙ୍କୁ ପରବର୍ତ୍ତୀ ଅନ୍ତରୀଣ ରିପୋର୍ଟ ପ୍ରଦାନ କରାଯିବାର ସମ୍ଭାବନା ରହିଛି। ବର୍ତ୍ତମାନ ବିଭିନ୍ନ ଚିଟଫଣ୍ଡ ସଂସ୍ଥାର ୧୦ହଜାରରୁ କମ ପୁଞ୍ଜି ନିବେଶ କରିଥିବା ଜମାକାରୀଙ୍କୁ ଚିହ୍ନଟ କରାଯାଉଥିବାବେଳେ ପରବର୍ତ୍ତୀ ସମୟରେ ମୂଳ ଟର୍ମ ଅଫ୍ ରେଫରେନ୍ସକୁ ଆଧାର କରି ତଦନ୍ତ ଚାଲିବ ବୋଲି ସୂଚନା ମିଳିଛି।
ସୂଚନା ଯୋଗ୍ୟ ଯେ ଚିଟ୍ ଫଣ୍ଡ୍ ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ ତାରିଖରେ ଜଣିକିଆ କମିସନ୍ ଗଠନ କରାଯାଇଥିଲା। ପ୍ରଥମରୁ ୫ଟି ପ୍ରସଂଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ଵ ପ୍ରଦାନ କରାଯାଥିଲା। ୨୦୧୫, ଫେବ୍ରୁଆରି ୨୦ରେ ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିିରେ ପ୍ରାଥମିକ ପର୍ଯ୍ୟାୟରେ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଓ ସେମାନଙ୍କ ଟଙ୍କା ଫେରସ୍ତ ପ୍ରକ୍ରିୟା ସଂକ୍ରାନ୍ତରେ ପରାମର୍ଶ ପ୍ରଦାନ ପାଇଁ କମିସନଙ୍କୁ ଅତିରିକ୍ତ ଦାୟିତ୍ଵ ପ୍ରଦାନ କରାଯାଇଥିଲା। କ୍ଷତି ପୂରଣ ପାଇଁ ଯୋଗ୍ୟ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ ଓ କ୍ଷତିପୂରଣ ପ୍ରକ୍ରିୟା ଉପରେ କମିସନ୍ ତଦନ୍ତ କରି ପରାମର୍ଶ ପ୍ରଦାନ କରିବେ ବୋଲି ଫେବ୍ରୁଆରି ୨୦ର ବିଜ୍ଞପ୍ତିରେ ସ୍ପଷ୍ଟ କରାଯାଇଥିଲା।
ସୂଚନା ଯୋଗ୍ୟ ଯେ ପ୍ରଥମ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୫ରୁ ୨୦୧୩, ଅଗଷ୍ଟ ୨୧ ମଧ୍ୟରେ ଦାଖଲ କରାଯାଇଥିବା ସତ୍ୟପାଠ ମଧ୍ୟରୁ ୨୬୯୭୬ଟି ଯାଞ୍ଚ କରାଯାଇ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ କମିସନ ୨୦୧୬, ମେ ୨୫ ତାରିଖ ଦିନ ସରକାରଙ୍କୁ ପ୍ରଥମ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଦ୍ୱିତୀୟ ପର୍ଯ୍ୟାୟରେ ୨୦୧୩, ଅଗଷ୍ଟ ୨୨ରୁ ୨୦୧୩, ଅଗଷ୍ଟ ୩୧ ମଧ୍ୟରେ ଦାଖଲ ୬୧ ହଜାର ୨୫୨ଟି ସତ୍ୟପାଠ ଯାଞ୍ଚ୍ କରି କମିସନ୍ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୨୦୧୭, ଫେବ୍ରୁଆରି ୩ରେ ଦ୍ୱିତୀୟ ଅନ୍ତରୀଣ ରିପୋର୍ଟ ପ୍ରଦାନ କରିଥିଲେ। ଏହାପରେ ୨୦୧୭, ଜୁଲାଇ ୨୫ରେ କମିସନ ତୃତୀୟ ରିପୋର୍ଟ ପ୍ରଦାନ କରିଥିଲେ।