ଚିଟ୍‌ଫଣ୍ଡ ତଦନ୍ତକୁ ଆଜି ପୂରିବ ୭ ବର୍ଷ : ୬ କୋଟି ୧୯ ଲକ୍ଷ ଖର୍ଚ୍ଚ; ଫଳ ଶୂନ

କଟକ : ଆସନ୍ତାକାଲି ଅର୍ଥାତ ଜୁଲାଇ ୯ ତାରିଖରେ ଚିଟ୍‌ଫଣ୍ଡ ତଦନ୍ତକୁ ପୂରି ଯାଉଛି ୭ ବର୍ଷ। ଚିଟ୍‌ଫଣ୍ଡ ମହାଦୁର୍ନୀତିର ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ସରକାର ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ୍‌ ଗଠନ କରିଥିଲେ। ତଦନ୍ତ ପାଇଁ ୬ କୋଟି ୧୯ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ହେଲା। ରାଜ୍ୟରେ କୌଣସି ବିଚାରବିଭାଗୀୟ ତଦନ୍ତରେ ଏତେ ପରିମାଣର ଅର୍ଥ ଖର୍ଚ୍ଚ ହେବା ଘଟଣା ବିରଳ। ହେଲେ ଏବେ ତଦନ୍ତ‌ରୁ କୌଣସି ସୁଫଳ ମିଳିବା ବଦଳରେ ତଦନ୍ତରେ ଡୋରି ବନ୍ଧା ଯାଇଥିବା ଭଳି ସ୍ଥିତି ରହିଛି।

Patrika

ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଥିଲା। ବେଆଇନ ଅର୍ଥ କାରବାର ଓ ଠକ କମ୍ପାନି ଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ଟର୍ମସ୍ ଅଫ୍ ରେଫରେନ୍ସରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ, କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। ଏଭଳି ସ୍ଥିତିରେ ଲକ୍ଷାଧିକ ଟଙ୍କା ଚିଟ୍‌ଫଣ୍ଡରେ ଜମାକରି ଥିବା କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରି ପାଇବା ଆଶା ମଉଳି ଯାଇଥିଲା। କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ସାତଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। ଅନ୍ୟପକ୍ଷରେ କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଖୁବ୍‌ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବାବେଳେ କାର୍ଯ୍ୟକାଳ ଆଉ ବଢି ନଥିଲା। ବହୁ କ୍ଷତିଗ୍ରସ୍ତ ଜମାକାରୀ ୨୦୧୩ରେ ସତ୍ୟପାଠ ଦାଖଲ କରିନଥିଲା ବେଳେ କମିସନ୍ ୨୦୧୮, ନଭେମ୍ବର ୧୩ରେ ସାନି ବିଜ୍ଞପ୍ତି ପ୍ରକାଶ କରି ୨୦୧୮, ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ ପାଇଁ ସୁଯୋଗ ଦେଇଥିଲେ। ପରବର୍ତ୍ତୀ ସମୟରେ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିଲା ଓ ଏହି ଦ୍ବିତୀୟ ପର୍ଯ୍ୟାୟରେ କମିସନଙ୍କ ନିକଟରେ ପ୍ରାୟ ୭ ଲକ୍ଷ ସତ୍ୟପାଠ ଚିଟଫଣ୍ଡ କ୍ଷତିଗ୍ରସ୍ତ ଜମାକରୀ ସତ୍ୟପାଠ ଦାଖଲ କରିଥିଲେ। ଏକ ବର୍ଷରୁ ଅଧିକ ସମୟ ହେବ ଏହି ସତ୍ୟପାଠ ଗୁଡିକ କମିସନଙ୍କ କାର୍ଯ୍ୟାଳୟରେ ଡିଜିଟାଇଜେସନ୍ ପାଇଁ ପଡ଼ିରହିଛି।

ଅନ୍ୟପକ୍ଷରେ, ଏ ପର୍ଯ୍ୟନ୍ତ ମିଳିଥିବା ଅନ୍ତରୀଣ ରିପୋର୍ଟ ସାର୍ବଜନୀନ କରାଯାଉନାହିଁ। ରିପୋର୍ଟରେ କ’ଣ ପରାମର୍ଶ ସବୁ ରହିଛି ତାହା ବି ଜଣା ପଡୁ ନାହିଁ। ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ କରୁଥିବା ଜଷ୍ଟିସ୍ ଏମ୍.ଏମ୍.ଦାସ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ରୁ ଶେଷ ହୋଇଥିବାବେଳେ ଏବେ ତଦନ୍ତ କମିସନଙ୍କ ସ୍ଥିତି ଅସ୍ପଷ୍ଟ ରହିଛି। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବା ପରେ ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ ଆଉ କଟକ ବକ୍ସିବଜାର ପୁଲିସ ଲାଇନସ୍ଥିତ କାର୍ଯ୍ୟାଳୟକୁ ଆସୁନାହାନ୍ତି। କେବଳ କର୍ମଚାରୀମାନେ ଆସୁଛନ୍ତି। କର୍ମଚାରୀଙ୍କୁ ମଧ୍ୟ ୫ ମାସ ହେବ ଦରମା ମିଳିନାହିଁ। ଏହି ପ୍ରସଂଗରେ କମିସନଙ୍କ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚିଠି ଲେଖା ଯାଇ ସ୍ଥିତି ସ୍ପଷ୍ଟ କରିବାକୁ କୁହାଯାଇଥିଲେ ବି ଉତ୍ତର ମିଳିନଥିବ‌ା ଜଣାପଡ଼ିଛି।

ସମ୍ବନ୍ଧିତ ଖବର