ଠକ ସଂସ୍ଥାର ସଂପତ୍ତି ବାଜ୍ୟାପ୍ତ କରାଯାଉ

ରାୟଗଡ଼ାରେ ଚିଟ୍‌ଫଣ୍ଡ କ୍ଷତିଗ୍ରସ୍ତ ଜମାକାରୀଙ୍କ ଗଣସତ୍ୟାଗ୍ରହ

ରାୟଗଡ଼ା : ଚିଟ୍‌ଫଣ୍ଡ ସଂସ୍ଥାକୁ ନିଜ କଷ୍ଟାର୍ଜିତ ସଂଚୟ ଟଙ୍କା ଦେଇ ଠକାମିର ଶିକାର ହୋଇଥିବା ଗରିବ ଜମାକାରୀଙ୍କୁ ନ୍ୟାୟ ଦେବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ତତ୍ପରତା ଦେଖାନ୍ତୁ। ଆର୍ଥକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ ଆୟୋଜିତ ଗଣସତ୍ୟାଗ୍ରହରେ ଯୋଗଦେଇ ଉପଦେଷ୍ଟା ତଥା ରାଜ୍ୟସଭା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଏହା କହିଛନ୍ତି।

ଆଜି ସକାଳ ପ୍ରାୟ ୧୦ଟାରେ ସ୍ଥାନୀୟ କୋରାପୁଟ ଛକଠାରୁ ଜମାକାରୀଙ୍କ ବିଶାଳ ଶୋଭାଯାତ୍ରା ବାହାରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚଥିଲା। ଏଥିରେ ୫ ହଜାରରୁ ଊର୍ଧ୍ୱ ଜମାକାରୀ ସାମିଲ ହୋଇଥିଲେ। ଉପସ୍ଥିତ ଜମାକାରୀଙ୍କୁ ଉଦ୍‌ବୋଧନ ଦେଇ ସାଂସଦ ଶ୍ରୀ ପଟ୍ଟନାୟକ କହିଥିଲେ, ଆଇନର ଗଳା ବାଟ ଦେଇ ଠକ ସଂସ୍ଥା ଯେଭଳି ଗରିବ ଲୋକଙ୍କ ଠାରୁ କୋଟି କୋଟି ଟଙ୍କା ହଡ଼ପ କରିନେଇଥିଲେ, ଏହାକୁ ଦୃଷ୍ଟିରେ ରଖି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର କଡ଼ା ଆଇନ କରିବାର ଆବଶ୍ୟକତା ରହିଛି। ଭବିଷ୍ୟତରେ ଯେମିତି ଲୋକେ ଠକାମିର ଶିକାର ନହେବେ ସେଥିପାଇଁ ଠକସଂସ୍ଥାର ମାଲିକଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ମଧ୍ୟ ଗ୍ରହଣ କରାଯିବା ଉଚିତ୍‌। ଠକ ସଂସ୍ଥାଗୁଡିକର ସଂପତ୍ତି ବାଜ୍ୟାପ୍ତି କରି କ୍ଷତିଗ୍ରସ୍ତ ଜମାକାରୀଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରାଯାଉ ବୋଲି ସେ ଦାବି କରିଥିଲେ।

ଶ୍ରୀ ପଟ୍ଟନାୟକ ଆହୁରି କହିଥିଲେ, ଜମାକାରୀଙ୍କ ଦାବି ଦୀର୍ଘଦିନର। ଗତ ସାଧାରଣ ନିର୍ବାଚନ ପୂର୍ବରୁ ସରକାର ଏଥିପାଇଁ କର୍ପସ ପାଣ୍ଠି ମଧ୍ୟ ଗଠନ କରି ଜମାକାରୀଙ୍କ ଟଙ୍କା ଫେରାଇବା ବ୍ୟବସ୍ଥା କରିବେ ବୋଲି ଘୋଷଣା କରିଥିଲେ। କିନ୍ତୁ ଏପର୍ଯ୍ୟନ୍ତ ଜମାକାରୀମାନେ ଟଙ୍କା ଫେରସ୍ତ ପାଇନାହାନ୍ତି। ସରକାରଙ୍କୁ ଏ ସଂପର୍କରେ ମନେ ପକାଇ ଦେବା ପାଇଁ ଆଜି ଏହି ଗଣସତ୍ୟାଗ୍ରହରେ କ୍ଷତିଗ୍ରସ୍ତ ଜମାକାରୀ ସାମିଲ ହୋଇଛନ୍ତି।

ଅନ୍ୟପକ୍ଷରେ ବିଜେଡିରେ ଯୋଗ ଦେଇ ସାଂସଦ ହେବା ପରେ ବି ସତ୍ୟାଗ୍ରହ କାର୍ଯ୍ୟକ୍ରମରେ ଭାଗ ନେବା ସଂପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତର ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ, ନିର୍ବାଚିତ ସରକାର ସମସ୍ତଙ୍କର। ଏବଂ କ୍ଷତିଗ୍ରସ୍ତ ଜମାକାରୀ କୌଣସି ଗୋଟିଏ ଦଳର ନୁହନ୍ତି। କ୍ଷତିଗ୍ରସ୍ତଙ୍କ ମଧ୍ୟରେ ସବୁ ଦଳର ସମର୍ଥକ ଅଛନ୍ତି। ଜମାକାରୀଙ୍କ ମଧ୍ୟରୁ ଅନେକ ବିଜେଡିକୁ ଭୋଟ ଦେଇ ଜିତାଇଛନ୍ତି ଓ ଏବେ ବି ସେହି ଦଳ ସହିତ ଅଛନ୍ତି। ତେଣୁ ଏହାକୁ ନେଇ ରାଜନୀତି କରାନଯାଉ। ବରଂ ପ୍ରତ୍ୟେକ କ୍ଷତିଗ୍ରସ୍ତ ଜମାକାରୀ କିଭଳି ନିଜ ଜମା ଟଙ୍କା ଫେରିପାଇବେ ସେଥିପାଇଁ ସମସ୍ତଙ୍କ ଉଦ୍ୟମ ରହିବା ଆବଶ୍ୟକ। ଏହି କ୍ରମରେ ସେ ସେମାନଙ୍କ ଦାବି ପୂରଣ ପାଇଁ କେବଳ ସରକାରଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ଉଲ୍ଲେଖଯୋଗ୍ୟ, ଆଜିର କାର୍ଯ୍ୟକ୍ରମରେ ମିଳିତ ମଞ୍ଚର ଅନ୍ୟତମ ଉପଦେଷ୍ଟା ତଥା ବରିଷ୍ଠ ସାମ୍ବାଦିକ ରବି ଦାସ ଯୋଗଦେଇ କର୍ପସ ପାଣ୍ଠି କଥା ଉଠାଇଥିଲେ। ସେ ଅଭିଯୋଗ କରିଥିଲେ ଯେ, ଓଡ଼ିଶା ଜମାକାରୀ ସ୍ୱାର୍ଥରକ୍ଷା ଆଇନ ପ୍ରଣୟନ ସହ ୩୦୦ କୋଟି ଟଙ୍କା କର୍ପସ ପାଣ୍ଠି ସରକାର ଗଠନ କରିଥିଲେ। ବର୍ତମାନ ସୁଦ୍ଧା ଜମାକାରୀଙ୍କ ଅର୍ଥ ଫେରସ୍ତ କରାଯାଇନାହିଁ। ବିଭିନ୍ନ ଆଳରେ ଟଙ୍କା ଫେରସ୍ତ ପ୍ରକ୍ରିୟାକୁ ବିଳମ୍ବିତ କରାଯାଉଛି। ଯଦି ଗରିବ କ୍ଷତିଗ୍ରସ୍ତଙ୍କ ଟଙ୍କା ଫେରସ୍ତ ନ ମିଳିଲେ ଚରମ ପଦକ୍ଷେପ ଗ୍ରହଣ କରାଯିବ।

ମଞ୍ଚର ରାଜ୍ୟ ଆବାହାକ ଜୟନ୍ତ ଦାସ କହିଥିଲେ ଯେ, ୫ବର୍ଷ ହେଲା ଆନ୍ଦୋଳନ ଜାରି ରହିଥିବାବେଳେ ରାଜ୍ୟ ସରକାର ଜମାକାରୀଙ୍କୁ ଚିହ୍ନଟ କରିବାରେ ବିଫଳ ହୋଇଛନ୍ତି। ଏହି ଅବସରରେ ସେ ଜମାକାରୀ ସଂଗଠିତ ହୋଇ ନିଜ କଷ୍ଟଅର୍ଜିତ ଟଙ୍କା ପାଇଁ ମକଦ୍ଦମା ସହ ଆନ୍ଦୋଳନକୁ ଜୋରଦାର କରିବାକୁ ଆହ୍ଵାନ ଦେଇଥିଲେ।

ଅନ୍ୟମାନଙ୍କ ମଧ୍ୟରେ, ଯୁଗ୍ମ ଆବାହକ ମଧୁସୂଦନ ବିଶ୍ୱାଳ, ଅନୁରାଧା ସୁବୁଦ୍ଧି ପ୍ରମୁଖ ଜମାକାରୀ ସଂଗଠିତ ହୋଇ ସହଯୋଗ ଜାରି ରଖିଲେ ନ୍ୟାୟ ନିଶ୍ଚିତ ମିଳିବ ବୋଲି ଆଶ୍ୱାସନା ଦେଇଥିଲେ। ଜିଲ୍ଲାପାଳ ଗୁହା ପୁନମ ତାପସ କୁମାର ସଭାସ୍ଥଳରେ ପହଞ୍ଚି ମିଳିତ ମଞ୍ଚର ନେତାଙ୍କ ସହ ଆଲୋଚନା କରି ଦାବିପତ୍ର ଗ୍ରହଣ କରିଥିଲେ। ଏହି ସମୟରେ ଗୁଣପୁର ଉପଜିଲ୍ଲାପାଳ ଅମ୍ରିତ ଋତୁରାଜ ଓ ଅନ୍ୟ ପ୍ରଶାସନିକ ଅଧିକାରୀ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମକୁ ମିଳିତ ମଞ୍ଚର ଦକ୍ଷିଣ ଓଡ଼ିଶା ଆବାହାକ ପ୍ରଦୀପ ମହାରଣା, ପଶ୍ଚିମ ଓଡ଼ିଶା ଆବାହାକ ବିଭୁଦତ୍ତ ମିଶ୍ର, ରାୟଗଡ଼ା ଜିଲ୍ଲାର ବଳରାମ କୌଶଲ୍ୟା, ପୁନିଆ ପାଲକିଆ, ତମନ୍ନା ତାଡ଼ଂଗି, ରଂଜିତ ସୁନା, ଅରକ୍ଷିତ ବେହେରା, ବିଜୟ ତାଡିଙ୍ଗି, ତ୍ରିନାଥ ତାଡିଙ୍ଗି ପ୍ରମୁଖ ପରିଚାଳନା କରିଥିଲେ। ସେହିପରି ରାୟଗଡ଼ା ଆଇଆଇସି ରବିନ୍ଦ୍ର କୁମାର ପାତ୍ର ଓ ଏସଆଇ ଶଙ୍କର ପଣ୍ଡା ପ୍ରମୁଖ ଉପସ୍ଥିତ ରହି ଆଇନଶୃଙ୍ଖଳା ପରିସ୍ଥିତି ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର