ଢେଙ୍କାନାଳ : ଦୀର୍ଘ ୪ବର୍ଷ ପରେ ଝାରପଡ଼ା ଜେଲ୍ରୁ ଶୁକ୍ରବାର ଜାମିନ୍ରେ ମୁକୁଳି ଥିବା ସି-ସୋର୍ର ମାଲିକ ପ୍ରଶାନ୍ତ ଦାଶ ପୁଣି ଗିରଫ ହୋଇଛନ୍ତି। ମାତ୍ର କେଇ ଘଣ୍ଟା ବ୍ୟବଧାନରେ ଢେଙ୍କାନାଳ ଜିଲ୍ଲା ପୁଲିସ ୩ଜଣଙ୍କ ଠାରୁ ୨୭ଲକ୍ଷ ୫୯ହଜାର ଟଙ୍କା ଠକେଇ ମାମଲାରେ ଶୁକ୍ରବାର ରାତିରେ ଭୁବନେଶ୍ୱର ପାତ୍ରପଡ଼ା ସ୍ଥିତ ବାସଭବନରୁ ପ୍ରଶାନ୍ତଙ୍କୁ ଗିରଫ କରିଛି। ଜାମିନ୍ ନାମଞ୍ଜୁର ହେବାରୁ କୋର୍ଟ ତାଙ୍କୁ ଢେଙ୍କାନାଳ ଜେଲ୍କୁ ପଠାଇ ଦେଇଛନ୍ତି। ଝାରପଡ଼ା ଜେଲ୍ରୁ ଫେରିଥିବା ପ୍ରଶାନ୍ତଙ୍କ ନୂଆ ଠିକଣା ଆଜି ଢେଙ୍କାନାଳ ଜେଲ୍ ହୋଇଛି।
ମିଳିଥିବା ସୂଚନା ଅନୁଯାୟୀ, ଢେଙ୍କାନାଳ ମହାବୀର ବଜାରରେ ସି-ସୋର୍ କମ୍ପାନି ନିଜର ଏକ ଶାଖା ଖୋଲି ଦୁଇଗୁଣ ଟଙ୍କା ଫେରସ୍ତର ପ୍ରଲୋଭନ ଦେଖାଇ ଲୋକଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଜମା ରଖିଥିଲା। ଶାଖାର ମୁଖ୍ୟ ଥିଲେ ପ୍ରଶାନ୍ତଙ୍କ ଭଉଣୀ ସୁପ୍ରଭା ଦାଶ। ୨୦୧୩ ମସିହାରେ ରାତାରାତି କମ୍ପାନି କାର୍ଯ୍ୟାଳୟ ବନ୍ଦ କରି ଦେଇଥିଲା। ଜମାକାରୀଙ୍କ ଟଙ୍କା ନେଇ ଫେରାର ହୋଇଯାଇଥିଲା। ଜମାକାରୀମାନେ ଶାଖା ସମ୍ମୁଖରେ ଧାରଣା ଦେଇଥିଲେ। କିନ୍ତୁ କିଛି ଫଳ ମିଳିନଥିଲା। ସି-ସୋର୍ ବିଭିନ୍ନ ସ୍ଥାନରୁ ୭୮୦ କୋଟି ଟଙ୍କା ଠକିନେବା ଅଭିଯୋଗରେ କ୍ରାଇମ୍ ବ୍ରାଞ୍ଚ ୨୦୧୩ ଜୁନ୍୨୦ ତାରିଖରେ ପ୍ରଶାନ୍ତଙ୍କୁ ମୁମ୍ବାଇରୁ ଗିରଫ କରିଥିଲା। ତା’ ପରଠାରୁ ପ୍ରଶାନ୍ତ ୪ ବର୍ଷ ହେଲା ଝାରପଡ଼ା ଜେଲ୍ରେ ରହିଥିଲେ।