କଟକ : ସ୍ୱପ୍ନ ଥିଲା ନିଜ ଚାକିରି ଜୀବନର ସଂଚିତ ଅର୍ଥରେ ପିଲାମାନଙ୍କ ପାଇଁ ରାଜଧାନୀ ଭୁବନେଶ୍ବରରେ ଘର ଖଣ୍ଡେ ତୋଳିବେ। ପିଲାଙ୍କ ମୁହଁରେ ହସ ଭରିବେ। କିନ୍ତୁ ଗୋଲକ ଚନ୍ଦ୍ର ଦାଶଙ୍କର ସେ ସବୁ ସ୍ବପ୍ନ ଚୁରମାର ହୋଇଗଲା। ଘର ତୋଳିବା ସ୍ୱପ୍ନ ଅଧୁରା ରହିଗଲା। ଚିଟ୍‌ଫଣ୍ଡ ସଂସ୍ଥା ଗୋଲକଙ୍କ ସବୁ ଆଶା ଧୂଳିସାତ୍‌ କରିଦେଲା। ଚିଟ୍‌ଫଣ୍ଡ ସଂସ୍ଥାରେ ନିଜ ଜୀବନର ସମସ୍ତ ସଂଚିତ ଅର୍ଥ ବିନିଯୋଗ କରିଥିବା ଏହି ଜମାକରୀ ନିଜର ହକ୍ ପାଇଁ ଲଢି ଲଢି ଶେଷରେ ଆରପାରିକୁ ଚାଲିଗଲେ। ପୂର୍ବରୁ ପତ୍ନୀ ବି ସେଇ ଚିନ୍ତ‌ାରେ ୨୦୧୭ରେ ଆଖି ବୁଜି ଦେଇଥିଲେ। ୨୦୧୦-୨୧ ଦୀର୍ଘ ୧୧ ବର୍ଷର ସଂଘର୍ଷରି ସେ କିଛି ଫଳ ‌ପାଇଲେନି। ନିଜର ଜମା ଟଙ୍କା ଫେରି ପାଇବାକୁ ଚେଷ୍ଟା କରିଥିଲେ। ଫାଇଲପତ୍ର, ପ୍ରମାଣ ଧରି ବାର ଦୁଆର ହେଲେ। କମିସନଙ୍କ ନିକଟରେ ଆବେଦନ କଲେ, ସବୁ ପ୍ରମାଣ ବି ଦାଖଲ କରିଥିଲେ। କିନ୍ତୁ ଫଳ ଶୂନ୍ୟ ହୋଇ ରହିଗଲା। ଶେଷରେ ଗୋଲକ ଗତ ଜୁନ ମାସରେ କରୋନାରେ ଆକ୍ରାନ୍ତ ହୋଇ ଆରପାରିକୁ ଚାଲିଗଲେ। ଚିଟ୍‌ଫଣ୍ଡା ସଂସ୍ଥା ଗୁଡିକ ଗୋଲକଙ୍କ ଭଳି ହଜାର ହଜାର ପରିବାରର ସ୍ବପ୍ନକୁ ଭାଂଗି ଦେଇଛନ୍ତି। ଗୋଲକଙ୍କ ଭଳି ଅନେକ ଜମାକାରୀ ଏବେ ମରି ହଜି ଗଲେଣି। ଏଭଳି ଏକ ସ୍ପର୍ଶକାତର, ସମ୍ବେଦନଶୀଳ ପ୍ରସଙ୍ଗକୁ କିନ୍ତୁ ସରକାର ଏବେ ଏଡାଇ ଚାଲିଛନ୍ତି।

Advertisment

ଗୋଲକ ଚନ୍ଦ୍ର ଦାସ, ତାଳଚେର ସାର କାରଖାନା୍ରେ ମେକାନିକାଲ ବିଭାଗରେ ଚାକିରି କରୁଥିଲେ। ଗତ ୨୦୦୦ ମସିହାରେ ସେ ଚାକିରିରୁ ଅବସର ନେଇଥିଲେ। ଅବସରକାଳୀନ ପ୍ରୋତ୍ସାହନ ରାଶି ଓ ମୋଟା ଅଙ୍କରେ ନିଜର ଜମା ଟଙ୍କା ପାଇଥିଲେ। ସେହି ଟଙ୍କ‌ାରେ ସେ ଅନୁଗୁଳରେ ଏକ ଜମି କିଣି ଘର କରି ରହୁଥିଲେ। ଅବସର ପରେ ଦୁଇ ପୁଅଙ୍କୁ ନେଇ ଭୁବନେଶ୍ବରରେ ସ୍ଥାୟୀ ଭାବେ ରହିବାକୁ ଆଗ୍ରହ ପ୍ରକାଶ କରିଥିଲେ। ଭୁବନେଶ୍ବରରେ ଦୁଇ ପୁଅଙ୍କ ପାଇଁ ଖଣ୍ଡେ ଭଲ ଘର କରିବା ଆଶାରେ ସେ ତାଙ୍କର ଅନୁଗୁଳ ଘରକୁ ୫୫ ଲକ୍ଷ ଟଙ୍କାରେ ବିକ୍ରି କରିଦେଲେ।। ଚାକିରି କାଳର ସବୁ ଜମା ସେ ଏ ଘରେ ବିନିଯୋଗ କରିଥିଲେ। ତେବେ ଘର ବିକ୍ରି ହେବା ମାତ୍ରେ ଏ ଟଙ୍କାକୁ କେଉଁଠି ବିନିଯୋଗ କରିବେ ତାହାକୁ ନେଇ ଚିନ୍ତାରେ ଥିଲେ।

ଖବର ପାଇ ପାଖରେ ପହଞ୍ଚି ଯାଇଥିଲେ ଚିଟ୍‌ଫଣ୍ଡ୍ ଏଜେଣ୍ଟ୍‌। ଲୋଭନୀୟ ପ୍ରତିଶ୍ରୁତି ଦେଇଥିଲେ। ଭଲ ସୁଧ ସହିତ ହାଉସିଂ ପ୍ରୋଜେକ୍ଟରେ ଘର ମିଳିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ପ୍ରଥମେ ଗୋଲକ ୪ ଲକ୍ଷ ଟଙ୍କା ବିନିଯୋଗ କରିଥିଲେ। ପ୍ରତିଶ୍ରୁତି ମୁତାବକ ସେ ଏଥିରେ କିଛି ସୁଧ ଟଙ୍କା ଫେରି ପାଇଲେ। ପରେ ତାଙ୍କର ବିଶ୍ବାସ ବଢି ଥିଲା। ଘର ବିକ୍ରିର ସମସ୍ତ ଅର୍ଥକୁ ଗ୍ରିନ ଇଣ୍ଡିଆ ଓ ଅର୍ଥତତ୍ତ୍ବ ଚିଟ୍‌ଫଣ୍ଡ୍ ସଂସ୍ଥାରେ ବିନିଯୋଗ କରି ଦେଇଥିଲେ। ଗ୍ରିନ୍‌ ଇଣ୍ଡିଆର ସୁନ୍ଦରପଦା ହାଉସିଂ ପ୍ରୋଜେକ୍ଟରେ ତାଙ୍କୁ ଘର ମିଳିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା। ମାତ୍ର ପରେ ଚିଟ୍‌ଫଣ୍ଡ୍ କେଳେଙ୍କାରୀ ସାମ୍ନାକୁ ଆସିଥିଲା ଏବଂ ଗୋଲକଙ୍କ ସବୁ ସ୍ବପ୍ନ ଭାଂଗିଯାଇଥିଲା। ଗୋଲକଙ୍କ ପୁଅ ବିବେକାନନ୍ଦ ଦାସଙ୍କ କହିବା ଅନୁଯାୟୀ ଚିଟଫଣ୍ଡ ସଂସ୍ଥାରେ ୫୨ଲକ୍ଷରୁ ଅଧିକ ଟଙ୍କା ତାଙ୍କ ବାପା ବିନିଯୋଗ କରିଥିଲେ। ବାପାଙ୍କ ଭୁବନେଶ୍ବରରେ ଘର କରି ରହିବା ସ୍ବପ୍ନ ପୂରଣ ହୋଇପାରିଲା ନାହିଁ। ଏବେ ଆମେ ଭୁବନେଶ୍ବର, ନୟାପଲ୍ଲୀର ଏକ ଭଡା ଘରେ ରହୁଛୁ। ପରିବାର କଷ୍ଟରେ ଚଳୁଛି। ବାପା-ମା ଟଙ୍କା ଫେରି ନପାଇ ଚିନ୍ତାରେ ଆରିପାରିକୁ ଚାଲିଗଲେ। ମାତ୍ର ସରକାର ଏ ଦିଗରେ ସ୍ଥାଣୁ ପାଲଟିଛନ୍ତି। ତାଙ୍କ ଭଳି ହଜାର ହଜାର ପରିବାର ସବୁ କିଛି ହରାଇ ଏବେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି ବୋଲି ଶ୍ରୀ ଦାସ କହିଛନ୍ତି।