ପଞ୍ଚାୟତ ନିର୍ବାଚନରେ ଚିଟ୍‌ଫଣ୍ଡ ହେବ ମୁଖ୍ୟ ପ୍ରସଙ୍ଗ: ଯୁବ କଂଗ୍ରେସ

ଯୁଗ୍ମ ସମ୍ପାଦକ ଦେବବ୍ରତ ମହାନ୍ତି ନିଲମ୍ବିତ

ଭୁବନେଶ୍ୱର : ରାଜ୍ୟର ଗରିବ ଜନସାଧାରଣଙ୍କ କଷ୍ଟ ଉପାର୍ଜିତ ଟଙ୍କାକୁ ଚିଟ୍‌ଫଣ୍ଡ ଜରିଆରେ ବହୁ ଦଲାଲ ଲୁଟି ନେଇଛନ୍ତି। ପୁଲିସ ପ୍ରଶାସନ ତ ଦୂରର କଥା ସିବିଆଇ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ଉଭୟ ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସଲାସୁତରାରେ ସିବିଆଇ ତଦନ୍ତକୁ ଶିଥିଳ କରିଦିଆଯାଇଛି। ଚିଟ୍‌ଫଣ୍ଡ ଦଲାଲମାନେ ନିର୍ଭୟରେ ବୁଲୁଥିବା ବେଳେ ଗରିବ ଜମାକାରୀମାନେ ଟଙ୍କା ଫେରି ପାଇବାକୁ ଚାହିଁ ବସିଛନ୍ତି । ଜମାକାରୀଙ୍କୁ ସେମାନଙ୍କ ଅର୍ଥ ଫେରାଇବା ପର୍ଯ୍ୟନ୍ତ ଯୁବକଂଗ୍ରେସ ଆନ୍ଦୋଳନ ଜାରି ରଖିବ। ଆସନ୍ତା ପଞ୍ଚାୟତ ନିର୍ବାଚନରେ ଯୁବ କଂଗ୍ରେସ ଚିଟ୍‌ଫଣ୍ଡକୁ ମୁଖ୍ୟ ପ୍ରସଙ୍ଗ କରିବା ସହ ସିବିଆଇ ଅଫିସ୍‌ ଘେରାଉ କରିବ ବୋଲି ଯୁବ କଂଗ୍ରେସ ସଭାପତି ସ୍ମୃତିରଞ୍ଜନ ଲେଙ୍କା କହିଛନ୍ତି।

ଏହାସହ ଶ୍ରୀ ଲେଙ୍କା ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି ଯେ, ଦଳୀୟ ସଙ୍ଗଠନରେ କୌଣସି ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି। ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ରାଜ୍ୟ ଯୁବ କଂଗ୍ରେସର ପୂର୍ବତନ ଯୁଗ୍ମ ସମ୍ପାଦକ ଦେବବ୍ରତ ମହାନ୍ତିଙ୍କୁ ଯୁବ କଂଗ୍ରେସର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଗଲା। ଅପରପକ୍ଷେ ଶ୍ରୀ ମହାନ୍ତି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେ ଯୁବ କଂ‌ଗ୍ରେସରୁ ଇସ୍ତଫା ଦେଇଛନ୍ତି।

ସମ୍ବନ୍ଧିତ ଖବର