ଏପ୍ରିଲରୁ ଆରମ୍ଭ ହେବ ଜମାକାରୀ ଆନ୍ଦୋଳନ

ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚର ରାଜ୍ୟସ୍ତରୀୟ ବୈଠକ

ଭୁବନେଶ୍ୱର : କ୍ଷତିଗ୍ରସ୍ତ ଜମାକାରୀଙ୍କୁ ଜମାରାଶି ଫେରସ୍ତ ଓ ତ୍ରୁଟିଯୁକ୍ତ ଆଇନ ସଂଶୋଧନ ଦାବିରେ ଏପ୍ରିଲ ମାସରୁ ରାଜ୍ୟବ୍ୟାପୀ ଜମାକାରୀ ଆନ୍ଦୋଳନ ହେବ ବୋଲି ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତଙ୍କ ମିଳିତ ମଞ୍ଚ ପକ୍ଷରୁ କୁହାଯାଇଛି।

ଆଜି ମଞ୍ଚର ରାଜ୍ୟସ୍ତରୀୟ ବୈଠକ ସିଆର୍‌ପି ଛକ ସ୍ଥିତ ହନୁମାନ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା। ସଭାପତି ଜୟନ୍ତ ଦାସଙ୍କ ସଭାପତିତ୍ୱରେ ବୈଠକ ଆରମ୍ଭ ହୋଇଥିଲା। ଏଥିରେ ମଞ୍ଚର ଉପଦେଷ୍ଟା ତଥା ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଯୋଗଦେଇ କହିଲେ, କ୍ଷତିଗ୍ରସ୍ତ ଜମାକାରୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରସ୍ତ ପାଇଁ ଜମାକାରୀଙ୍କ ପକ୍ଷରୁ ଚାଲିଥିବା ଆନ୍ଦୋଳନ ପ୍ରତି ତାଙ୍କର ସମର୍ଥନ ରହିଛି। ତେବେ ଯେଉଁ ଆଇନକୁ ହାତକରି ଚିଟ୍‌ଫଣ୍ଡ କମ୍ପାନିମାନେ ଲୋକଙ୍କୁ ଭୂଅାଁ ବୁଲାଇବାରେ ସମର୍ଥ ହେଲେ ଏହି ତ୍ରୁଟିପୂର୍ଣ୍ଣ ଆଇନର ସଂଶୋଧନ କରିବା ପାଇଁ ଶ୍ରୀ ପଟ୍ଟନାୟକ ଦାବି କରିଥିଲେ।

ବରିଷ୍ଠ ଉପଦେଷ୍ଟା ରବି ଦାସ କହିଲେ, ରାଜ୍ୟର ବିଭିନ୍ନ ବର୍ଗ, ଅଞ୍ଚଳ, ର୍ଧମ ଓ ଜାତି ନିର୍ବିଶେଷରେ କ୍ଷତିଗ୍ରସ୍ତ ଜମାକାରୀଙ୍କ କଷ୍ଟ ଉପାର୍ଜିତ ଅର୍ଥ ଫେରସ୍ତ ଓ ଆଇନର ସଂଶୋଧନ ଦାବିରେ ଆନ୍ଦୋଳନ ୫ବର୍ଷରେ ପହଞ୍ଚିଛି। କେନ୍ଦ୍ର ସରକାର ତ୍ରୁଟିଯୁକ୍ତ ସମସ୍ତ ୧୨ଟି ଯାକ କେନ୍ଦ୍ରୀୟ ଆଇନ ସଂଶୋଧନ ସହ ଜମାକାରୀ ଅର୍ଥ ଫେରସ୍ତ ପାଇଁ ପ୍ରତିଶ୍ରୁତି ଦେଇଥିଲେ ହେଁ ଜମାକାରୀମାନେ ନିଜ ଅର୍ଥ ଫେରିପାଇ ନାହାନ୍ତି। ଆନ୍ଦୋଳନ ଅଧିକ ଶକ୍ତିଶାଳୀ ହେଲେ ରାଜ୍ୟ ଓ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି କାର୍ଯ୍ୟକାରୀ ହୋଇପାରିବ ବୋଲି ଶ୍ରୀ ଦାସ କହିଥିଲେ। ଏହି ଅବସରରେ ଆସନ୍ତା ଏପ୍ରିଲ ୪ତାରିଖରୁ ଲେଫ୍ରିପଡ଼ା ତହସିଲ, ୧୧ରେ ରାୟଗଡ଼ା, ୨୦ରେ ନୟାଗଡ଼ ଜିଲ୍ଲାସ୍ତରୀୟ ଗଣସତ୍ୟାଗ୍ରହ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିଲା। ଚଳିତମାସ ୩୦ତାରିଖରୁ ଏପ୍ରିଲ ୧୦ମଧ୍ୟରେ ସମସ୍ତ ଜିଲ୍ଲା କମିଟିର ବୈଠକ ଅନୁଷ୍ଠିତ ହେବ ଏଥିରେ ତହସିଲସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଏପ୍ରିଲ ୧୫ରୁ ମେ’୩୧ ତାରିଖ ମଧ୍ୟରେ ଓ ଜୁନ୍‌ରେ ଜିଲ୍ଲାସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ, ଜୁଲାଇରେ ରାଜ୍ୟସ୍ତରୀୟ ଜମାକାରୀ ଗଣସତ୍ୟାଗ୍ରହ ଓ ଅଗଷ୍ଟରେ ସର୍ବଭାରୀତୟ ସମାବେଶ ପାଇଁ ପ୍ରସ୍ତାବ ଗୃହୀତ ହୋଇଥିବା ମଞ୍ଚ ପକ୍ଷରୁ କୁହାଯାଇଛି।

ବୈଠକରେ ମଞ୍ଚର ସାଧାରଣ ସଂପାଦକ ମଧୁସୂଦନ ବିଶ୍ୱାଳ, କୋଷାଧ୍ୟକ୍ଷ ଅନୁରାଧା ସୁବୁଦ୍ଧି, ପ୍ରଦୀପ ମହାରଣା, ଉମେଶ ଚନ୍ଦ୍ର ନାୟକ, ଚଣ୍ଡାଳ ପ୍ରଧାନ, ଅଖିଳମୋହନ ଲେଙ୍କା, ବିଭୂଦତ୍ତ ମିଶ୍ର, ସୁଧାଂଶୁ ବେହେରା, ଭଞ୍ଜ କିଶୋର ପ୍ରଧାନ, ଭରତ ସେଠୀ, ଇନ୍ଦ୍ରଜିତ ପଣ୍ଡା, ବିକାଶ ପାତ୍ର, ଅମୂଲ୍ୟ ନନ୍ଦ, ସୁକାନ୍ତ ମାଝୀ, ସଞ୍ଜୟ ପ୍ରଧାନ, ଦିଗମ୍ବର ବାରିକ, ସୁଭଦ୍ରା ମୁଦୁଲି, ପ୍ରଶାନ୍ତ ପ୍ରଧାନ, ସୁବାସିନୀ ବେହେରା ଓ ଫିରୋଜ ସାହୁ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର