ଭୁବନେଶ୍ୱର : ସରକାରୀ ଅବହେଳାର ଶିକାର ହୋଇଛନ୍ତି ଗୋଲ୍‌ଡ଼ନ୍‌ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡ୍‍ ଚିଟଫଣ୍ଡ ଜମାକାରୀ। ଜମାକାରୀଙ୍କୁ ଅର୍ଥ ଫେରାଇବା ପାଇଁ ହାଇକୋର୍ଟ ସ୍ପଷ୍ଟ ନିର୍ଦେଶ ଦେଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି ତତ୍ପରତା ପ୍ରକାଶ ପାଉନାହିଁ। ଚିଟଫଣ୍ଡ ମାଲିକମାନଙ୍କୁ ସରକାରୀ ଅଧିକାରୀ ସୁରକ୍ଷା ଦେଉଥିବା ଜମାକାରୀ ଅଭିଯୋଗ କରି ପିଏମ୍‌ଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ସତ୍ୟନାରାୟଣ ପ୍ରଧାନଙ୍କ ନେତୃତ୍ୱରେ ରାମମନ୍ଦିରଠାରୁ ଶତାଧିକ ଜମାକାରୀ ଶୋଭାଯାତ୍ରାରେ ଆସି ପିଏମ୍‌ଜି ଠାରେ ପହଞ୍ଚିବା ପରେ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି। ତୁରନ୍ତ ଜମାଅର୍ଥ ଫେରସ୍ତ, ଘଟଣାର ସିବିଆଇ ତଦନ୍ତ କରିବା ସହ ଏହି ସଂସ୍ଥାର ସମ୍ପତ୍ତି ଯେଭଳି ବିକ୍ରି ନହେବ ସେଥିପାଇଁ ସରକାର କଡ଼ାକଡ଼ି କରିବାକୁ ସେମାନେ ଅନୁରୋଧ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ବିକ୍ରମସେନ ବେହ୍‌ରୁକ୍‌, ସଦାନନ୍ଦ ଦୋରା, ସାନ୍ତନୁ ରଥ, ନବୀନ ପଟ୍ଟନାୟକ, ମଦନ ମୋହନ ସାହୁ, ବାଳକୃଷ୍ଣ ପ୍ରଧାନ ପ୍ରମୁଖ ବିକ୍ଷୋଭର ନେତୃତ୍ୱ ନେଇଛନ୍ତି। ଏହି ସଂସ୍ଥାର ସମ୍ପତ୍ତି ସରକାରୀ ତାଳିକାଭୁକ୍ତ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ମୁତାବକ ଅର୍ଥ ଫେରସ୍ତ ପାଇଁ ଏକ କମିଟି ମଧ୍ୟ ଗଠନ କରାଯାଇଛି। ହାଇକୋର୍ଟଙ୍କ ଆଦେଶ ମୁତାବକ ସରକାର ଏ ନେଇ ତ୍ୱରିତ ଫଇସଲା ନ କଲେ ଜମାକାରୀ ଆତ୍ମହତ୍ୟା କରିବାକୁ ବାଧ୍ୟ ହେବେ ବୋଲି ସେମାନେ ଚେତାବନୀ ଦେଇଛନ୍ତି।