ଜମାକାରୀ ମିଳିତ ମଂଚର ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ

ବଲାଙ୍ଗୀର : ଆର୍ଥିକ ସଂସ୍ଥାମାନଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଂଚ ପକ୍ଷରୁ ବଲାଙ୍ଗୀର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇଛି। ମଂଚ ପକ୍ଷରୁ ଗଣସତ୍ୟାଗ୍ରହ ଡାକରାକ୍ରମେ ଶତାଧିକ ଜମାକାରୀ ସମ୍ମିଳିତ ହୋଇ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ସରକାର ଜମାକାରୀ ମଞ୍ଚ ସହ ଆଲୋଚନା କରି ଛୋଟ ବଡ଼ ସବୁ ଜମାକାରୀଙ୍କୁ ତହସିଲ ଜରିଆରେ ଯୁଦ୍ଧକାଳୀନ ଭିତ୍ତିରେ ଚିହ୍ନଟ କରିବା, କ୍ଷୁଦ୍ର ଓ ବୃହତ ନିର୍ବିଶେଷରେ ସମସ୍ତ ଜମାକାରୀଙ୍କୁ ତୁରନ୍ତ ଜମାରାଶି ଫେରସ୍ତ ଓ ସମସ୍ତ ତ୍ରୁଟିଯୁକ୍ତ ଆଇନର ସଂଶୋଧନ କରିବାକୁ ଦାବି କରାଯାଇଥିଲା।

ଆଜି ପୂର୍ବାହ୍ନରେ କୋଶଲ କଳାମଣ୍ଡପ ନିକଟରୁ ଜମାକାରୀମାନେ ଶୋଭାଯାତ୍ରା ବାହାରି ସହର ପରିକ୍ରମା ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ପରେ ମଞ୍ଚର ରାଜ୍ୟ ଯୁଗ୍ମ ଆବାହକ ବିଭୁଦତ୍ତ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମଞ୍ଚର ଆବାହକ ଜୟନ୍ତ ଦାସ, ଯୁଗ୍ମ ଆବାହକ ସୁଧାଂଶୁ ବେହେରା, ଅମର ସାହୁ, ପ୍ରଦୀପ ମହାରଣା, ଦିଲୀପ ବେହେରା ଉଦ୍‌ବୋଧନ ଦେଇଥିଲେ। ଜମାରାଶି ଫେରସ୍ତ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବା ପାଇଁ ଦାବି କରିଥିଲେ। ଆଗାମୀ ଦିନରେ ଜମାକାରୀ ଚିହ୍ନଟ, ଟଙ୍କା ଫେରସ୍ତ ଓ ତ୍ରୁଟିଯୁକ୍ତ ଆଇନ ସଂଶୋଧନ ନକଲେ ତହସିଲ ଓ ଜିଲ୍ଲାପାଳ କାର୍ଯ୍ୟାଳୟମାନ ଅଚଳ କରି ଦିଆଯିବ ବୋଲି ଚେତାବନୀ ଦେଇଥିଲେ।

ସମ୍ବନ୍ଧିତ ଖବର