ଚିତ୍ତରଞ୍ଜନ ତ୍ରିପାଠୀ ବିପିୟୁଟିର ନୂଆ କୁଳପତି

ଭୁବନେଶ୍ୱର: ବାଦବିବାଦ ମଧ୍ୟରେ ବିଜୁ ପଟ୍ଟନାୟକ ବୈଷୟିକ ବିଶ୍ୱବିଦ୍ୟାଳୟ (ବିପିୟୁଟି)ର ନୂଆ କୁଳପତି ଭାବେ ନିଯୁକ୍ତ ହୋଇଛନ୍ତି ପ୍ରଫେସର ଚିତ୍ତରଞ୍ଜନ ତ୍ରିପାଠୀ। ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ଭାବେ କାର୍ଯ୍ୟରତ ପ୍ରଫେସର ତ୍ରିପାଠୀଙ୍କୁ ରାଜ୍ୟପାଳ ତଥା କୁଳାଧିପତି ଏସ୍‌.ସି. ଜମିର ଆଜି ଏହି ନିଯୁକ୍ତି ଦେଇଛନ୍ତି। ପୂର୍ବାହ୍ନରେ ଆଶାୟୀ ପ୍ରଫେସରଙ୍କ ସାକ୍ଷାତକାର ନେବା ପରେ ମଧ୍ୟାହ୍ନରେ ନୂଆ କୁଳପତିଙ୍କ ନାମ ଘୋଷଣା କରାଯାଇଛି। ପ୍ରଫେସର ତ୍ରିପାଠୀ ଆସନ୍ତା ୫ ବର୍ଷ ଲାଗି ବିପିୟୁଟିର କୁଳପତି ଦାୟିତ୍ୱରେ ରହିବେ ବୋଲି ରାଜଭବନ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ଥିବା ପ୍ରଫେସର ତ୍ରିପାଠୀଙ୍କର ପ୍ରଶାସନିକ କ୍ଷେତ୍ରରେ ୧୧ ବର୍ଷର ଅଭିଜ୍ଞତା ରହିଛି। ଏହି ସମୟ ମଧ୍ୟରେ ସେ ଡିନ୍‌, ଅଧ୍ୟକ୍ଷ, କୁଳପତି ଭାବେ କାର୍ଯ୍ୟ କରିଛନ୍ତି। ୧୯୬୦ ଜୁଲାଇ ୨୩ରେ ଜନ୍ମ ଗ୍ରହଣ କରିଥିବା ପ୍ରଫେସର ତ୍ରିପାଠୀ ବୁର୍ଲାସ୍ଥିତି ୟୁସିଇରୁ ଇଲେକ୍ଟି୍ରିକାଲ ଇଞ୍ଜିନିୟରିଂରେ ବି.ଏସ୍‌ସି ପାସ୍‌ କରିଥିଲେ। ଏହାପରେ ଖଡ଼ଗପୁର ଆଇଆଇଟିରୁ ଏମ୍‌.ଟେକ୍‌, ପିଏଚ୍‌ଡି ଡିଗ୍ରି ହାସଲ କରିବା ପରେ ୬ ବର୍ଷ ଧରି ଅଧ୍ୟାପକ, ୭ ବର୍ଷ ୪ ମାସ ଧରି ରିଡର ଏବଂ ୧୯ ବର୍ଷ ୬ ମାସ ଧରି ପ୍ରଫେସର ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କର ୬୧ଟି ଗବେଷଣା ସନ୍ଦର୍ଭ(ଜର୍ଣ୍ଣାଲ) ପ୍ରକାଶ ପାଇବା ସହ ଜାତୀୟ ଏବଂ ଅନ୍ତର୍ଜାତୀୟ ସମ୍ମିଳନୀରେ ୬୨ଟି ସନ୍ଦର୍ଭ ଉପସ୍ଥାପିତ ହୋଇଛି। ତାଙ୍କ ଅଧୀନରେ ୧୦ ଜଣ ପିଏଚ୍‌ଡି ହାସଲ କରିଥିବା ବେଳେ ଏବେ ବି ୮ ଜଣ ଛାତ୍ରଛାତ୍ରୀ ଗବେଷଣା କରୁଛନ୍ତି।

କୁଳପତି ଭାବେ ନିଯୁକ୍ତି ପାଇବା ପରେ ପ୍ରଫେସର ତ୍ରିପାଠୀ କହିଛନ୍ତି ଯେ ଯେତେ ଶୀଘ୍ର ସମ୍ଭବ କାର୍ଯ୍ୟରେ ଯୋଗଦେବି। ବିପିୟୁଟିରେ ଯେଉଁ ସବୁ ସମସ୍ୟା ରହିଛି ସେଗୁଡ଼ିକୁ ପ୍ରଥମେ ଅନୁଧ୍ୟାନ କରିବି। ବିପିୟୁଟି ୧୫ ବର୍ଷର ବିଶ୍ୱବିଦ୍ୟାଳୟ ହୋଇଥିଲେ ମଧ୍ୟ ବିଭିନ୍ନ କାରଣ ଲାଗି ଆଗକୁ ଯାଇପାରି ନାହିଁ। ପରୀକ୍ଷା ପରିଚାଳନା, ଫଳ ପ୍ରକାଶରେ ସମସ୍ୟା ରହିଛି। ଶିକ୍ଷକ, ଅଣଶିକ୍ଷକ ପଦବି ପୂରଣକୁ ପ୍ରାଥମିକତା ଦେବି। ପରୀକ୍ଷା ପରିଚାଳନା ଉପରେ ମଧ୍ୟ ସମୀକ୍ଷା କରାଯିବ। ବିଶ୍ୱବିିଦ୍ୟାଳୟକୁ କିଭଳି ୟୁଜିସିର ୧୨(ବି)ରେ ସ୍ଥାନିତ କରାଯିବ ତାହା ମୋର ଲକ୍ଷ୍ୟ ରହିବ। ୟୁଜିସି ଅନୁମତି ମିଳିବା ପରେ ନାକ୍‌ ପାଇବା ଲାଗି ଆବେଦନ କରିବୁ ବୋଲି ସେ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି।

ସମ୍ବନ୍ଧିତ ଖବର