ପୁରୀ: ଶ୍ରୀମନ୍ଦିରରେ ଆଜି ପବିତ୍ର ଚିତାଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ଏହି ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ବଡ଼ଠାକୁର ଶ୍ରୀବଳଭଦ୍ର ଓ ମା’ ସୁଭଦ୍ରାଙ୍କୁ ମଥାରେ ଚିତା ଲାଗି କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ହୀରା, ବଡ଼ଠାକୁର ଶ୍ରୀବଳଭଦ୍ରଙ୍କୁ ନୀଳା ଓ ଦେବୀ ସୁଭଦ୍ରାଙ୍କୁ ମାଣିକ(ପନ୍ନା)ର ସୁବର୍ଣ୍ଣଯୁକ୍ତ ଚିତା ଲାଗି କରାଯାଇଛି। ଏଥିସହ ମହାପ୍ରଭୁଙ୍କଠାରେ ପାରମ୍ପରିକ ଚିତଉ ପିଠା ପ୍ରସାଦ ଭାବେ ଲାଗି କରାଯାଇଛି। ଅନ୍ୟପଟେ ଆଜି ଅମାବାସ୍ୟା ତିଥିରେ ଅମାବାସ୍ୟା ଠାକୁର ପ୍ରଭୁ ନାରାୟଣ ଶ୍ରୀମନ୍ଦିରରୁ ପାଲିଙ୍କିରେ ମହୋଦଧି ବିଜେ କରିଛନ୍ତି। ମହୋଦଧି ସ୍ନାନ ସାରି ପୁନର୍ବାର ଶ୍ରୀମନ୍ଦିର ଫେରିଛନ୍ତି।
ପରମ୍ପରା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମାରେ ୧୦୮ ଗରା ଅଧିବାସିତ ଜଳରେ ସ୍ନାନ ପରେ ଜ୍ବରପୀଡ଼ିତ ଶ୍ରୀଜିଉଙ୍କ ଅଣସର ଘରେ ଗୋପନ ସେବା ସମୟରେ ଦଇତାପତି ସେବକମାନେ ତିନି ଠାକୁରଙ୍କ ମଥାରେ ଲାଗିଥିବା ସୁବର୍ଣ୍ଣ ଚିତା ଓଲାଗି କରି ଭଣ୍ଡାରମେକାପଙ୍କ ଜିମା ଦେଇଥିଲେ। ରଥାରୁଢ଼ ହେବା ପରେ ଶ୍ରୀଜିଉଙ୍କୁ ସୋଲର ଚିତା ଲାଗି କରାଯାଇଥିଲା। ସେବେଠୁ ଶ୍ରୀଜିଉଙ୍କ ମସ୍ତକରେ ସୋଲର ଚିତା ଶୋଭା ପାଉଥିଲା। ଏହି ସୋଲର ଚିତା ଓଲାଗି ପରେ ଆଜି ସୁବର୍ଣ୍ଣର ଚିତା ଲାଗି କରାଯାଇଛି।
ଆଜି ଭୋଗମଣ୍ଡପ ନୀତି ପରେ ଚିତା ଲାଗି ନୀତି ଆରମ୍ଭ ହୋଇଥିଲା। ଦଇତାପତି ସେବକମାନେ ଚିତା ଲାଗି ପାଇଁ ଶ୍ରୀମନ୍ଦିରକୁ ପ୍ରବେଶ କରିଥିଲେ। ଏଥିପୂର୍ବରୁ ଶ୍ରୀମନ୍ଦିର ବଣିଆମାନେ ଏହି ସୁବର୍ଣ୍ଣ ଚିତାକୁ ନାଭିକଟା ମଣ୍ଡପରେ ମାର୍ଜନା କରିଥିଲେ। ଶ୍ରୀମନ୍ଦିର ରୋଷଘର ନିଆଁରେ ଏହାକୁ ସଫା କରାଯାଇଥିଲା। ପରେ ପତିମହାପାତ୍ର ଏହାକୁ ସଂସ୍କାରପୂର୍ବକ ଦଇତାପତି ସେବକଙ୍କୁ ହସ୍ତାନ୍ତର କରିଥିଲେ। ସେପଟେ ପାଟରା ସେବକମାନେ ବି ଚିତା ଲାଗି ପାଇଁ ପାଟ ଦଉଡ଼ି ଯୋଗାଇ ଦେଇଥିଲେ। ସୁଦୁ ସୁଆରମାନେ ଆବଶ୍ୟକ ଓଷ ଯୋଗାଇ ଦେଇଥିଲେ। ଓଷ ଲାଗି ଚିତା ପ୍ରସ୍ତୁତ ହେବା ପରେ ରତ୍ନ ସିଂହାସନ ନିକଟରେ ଘୋଡ଼ା(କାଠରେ ପ୍ରସ୍ତୁତ ଉଚ୍ଚ ଆସ୍ଥାନ, ଠିଆ ହେବା ପାଇଁ) ପଡ଼ିଥିଲା।
ପରେ ଶ୍ରୀମନ୍ଦିରରେ ଦଇତପତି ପ୍ରବେଶ ନୀତି ପୂର୍ବକ ଏହି ଘୋଡ଼ାରେ ଚଢ଼ି ଦଇତାପତି ସେବକମାନେ ଶ୍ରୀଜିଉଙ୍କ ମସ୍ତକରେ ସୁବର୍ଣ୍ଣ ଚିତା ଲାଗି କରିଥିଲେ। ଓଷ ଲାଗି ହେବା ପରେ ସୁବର୍ଣ୍ଣ ଚିତାରେ ପାଟ ଦଉଡ଼ି ବାନ୍ଧି ମହାପ୍ରଭୁଙ୍କ ମସ୍ତକରେ ଏହା ଲାଗି କରାଯାଇଥିଲା। ଶ୍ରୀଜଗନ୍ନାଥଙ୍କ ମସ୍ତକରେ ପାନପତ୍ର ଆକାରର ହୀରା, ସୁନା ସହ ଅନ୍ୟାନ୍ୟ ଧାତୁରେ ପ୍ରସ୍ତୁତ ୧୨୫ ଭରିର ସୁବର୍ଣ୍ଣ ଚିତା ଲାଗି କରାଯାଇଥିଲା। ଶ୍ରୀବଳଭଦ୍ରଙ୍କୁ ଆଖି ଆକୃତି ତଥା ଅର୍ଦ୍ଧାବୃତ୍ତାକାରର ୭୫ ଭରିର ଚିତା ଲାଗି କରାଯାଇଥିଲା। ଦେବୀ ସୁଭଦ୍ରାଙ୍କୁ ୩୩ ଭରିର ଠିକିରି ଆକୃତିର ଚିତା ଲାଗି କରାଯାଇଥିଲା। ଅନ୍ୟପଟେ ଆଜି ପ୍ରତି ଓଡ଼ିଆଙ୍କ ଘରେ ଚିତା ଲାଗି ଅମାବାସ୍ୟା ପାଳିତ ହୋଇଯାଇଛି। ପ୍ରତି ଘରେ ଚିତଉ ପିଠା ପ୍ରସ୍ତୁତି ହୋଇଛି। ଏହି ଅବସରରେ ଚାଉଳ, ବିରି, ନଡ଼ିଆ ଆଦିରେ ପ୍ରସ୍ତୁତ ଚିତଉ ପିଠା ଗେଣ୍ଡା ଆଜି ଜଳଜନ୍ତୁଙ୍କୁ ଖାଇବାକୁ ଦିଆଯାଇଛି। ବିଶ୍ବାସ ରହିଛି କି ଶ୍ରାବଣ ମାସରେ ବର୍ଷା ଦିନିଆ ଜଳଜନ୍ତୁ ଧାନ କ୍ଷେତ୍ରରେ ଅନେକ କ୍ଷତି ଘଟାଇଥାନ୍ତି। ଅନେକ ସମୟରେ ଗେଣ୍ଡାଙ୍କ ଦ୍ବାରା ଚାଷ ଜମିରେ ଗୋଡ଼ହାତ ଖଣ୍ଡିଆଖାବରା ହୋଇଥାଏ। ଚିତଉ ଅମାବାସ୍ୟା ଦିନ ଗେଣ୍ଡା ଆଜି ଜଳଜନ୍ତୁଙ୍କୁ ଚିତଉ ପିଠା ଖାଇବାକୁ ଦେଲେ ଏମାନେ କୌଣସି କ୍ଷତି ପହଞ୍ଚାଇନଥାନ୍ତି ବୋଲି ବିଶ୍ବାସ ରହିଛି।