କୁଚକ୍ରୀଙ୍କ ଟାର୍ଗେଟରେ ଚିତାଳୋ ମହାବିଦ୍ୟାଳୟ! ୪ ବର୍ଷ ହେଲା ଶତାଧିକ ଛାତ୍ରଛାତ୍ରୀ ପିଜି ପରୀକ୍ଷାରୁ ବଞ୍ଚିତ

ଯାଜପୁର/ଦଶରଥପୁର : ଅନିଶ୍ଚିତତା ମଧ୍ୟରେ ଛନ୍ଦି ହୋଇଯାଇଛି ଦଶରଥପୁର ବ୍ଲକ ଚିତାଳୋ ମହାବିଦ୍ୟାଳୟର ପିଜି ଛାତ୍ରଛାତ୍ରୀଙ୍କ ଭାଗ୍ୟ। ୪ ବର୍ଷ ହେଲାଣି ବିଭାଗ ଖୋଲିଲାଣି। ପ୍ରଥମେ ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ପରୀକ୍ଷାଫଳ ବାହାରୁନାହିଁ। ପରକୁ ପର ଶତାଧିକ ଛାତ୍ରଛାତ୍ରୀ ପିଜି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି। କିଛି କୁଚକ୍ରୀ ଗୋଷ୍ଠୀ ଏହି କଲେଜର ପିଜି ବିଭାଗକୁ ସଫଳ କରାଇ ନ ଦେବାକୁ ଉଦ୍ୟମ ଚଲାଉଥିବା ଅଭିଯୋଗ ହୋଇଆସୁଛି। ଏହି କାରଣରୁ ସେମାନଙ୍କ ଭବିଷ୍ୟତ ଅନ୍ଧାର ଆଡ଼କୁ ଠେଲିହୋଇ ଯାଉଛି।

୨୦୧୭ ରେ ‘ନାକ୍‌’ ଟିମ୍‌ ମହାବିଦ୍ୟାଳୟକୁ ଆସି ବି- ପ୍ଲସ ପ୍ଲସ ଗ୍ରେଡ୍‌ ଦେଇଥିଲେ। ଏ- ଗ୍ରେଡ୍‌ ପାଇବା ନିମନ୍ତେ ୨ଟି ଆବଶ୍ୟକତା ଥିବା ଟିମ୍‌ ଦର୍ଶାଇଥିଲେ। ପ୍ରଥମଟି ମହାବିଦ୍ୟାଳୟକୁ ଉତ୍ତମ ରାସ୍ତା ନିର୍ମାଣ ଓ ଦ୍ୱିତୀୟଟି ପିଜି ବିଭାଗ ଖୋଲିବା। ଏହାପରେ ଏହି ଦୁଇଟି କାର୍ଯ୍ୟ ପାଇଁ କଲେଜ କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। ଏଯାବତ ଏହି ଦୁଇ କାର୍ଯ୍ୟ ସଂପୂର୍ଣ୍ଣ ହୋଇପାରିନାହିଁ। ଆର୍‌.ଡି. ରାସ୍ତା ନିର୍ମାଣ ପାଇଁ ପ୍ରଥମେ କାମ ଆରମ୍ଭ ହୋଇଥିଲା। ଶେଷ ମୁହୂର୍ତ୍ତରେ ମହାବିଦ୍ୟାଳୟ ବାହାରେ କାର୍ଯ୍ୟ କରାଯାଇଥିଲା। ସେହିପରି ପିଜି ପାଠ୍ୟକ୍ରମ ପାଇଁ ସ୍ୱୀକୃତି ମିଳିଥିଲେ‌ ହେଁ ଛାତ୍ରଛାତ୍ରୀମାନେ ପରୀକ୍ଷା ଦେବାରୁ ବଞ୍ଚିତ ହେଉଛନ୍ତି।

୨୦୧୭-୧୮ ଶିକ୍ଷାବର୍ଷରେ ପ୍ରଥମେ ଦୁଇଟି ବିଭାଗ (ଓଡ଼ିଆ ଓ ପଦାର୍ଥ ବିଜ୍ଞାନ) ରେ ସ୍ନାତକୋତ୍ତର (ପିଜି) ଶିକ୍ଷା ପାଇଁ ସ୍ୱୀକୃତି ମିଳିଥିଲା। ଓଡ଼ିଆ ବିଭାଗ ପାଇଁ ୩୨ଟି ସିଟ୍‌ ଓ ପଦାର୍ଥ ବିଜ୍ଞାନ ବିଭାଗ ପାଇଁ ୩୨ଟି ସିଟ୍‌ରେ ନାମଲେଖାଇବାକୁ ଉଚ୍ଚଶିକ୍ଷା ବିଭାଗ ମଞ୍ଜୁରି ଦେଇଥିଲା। ଏହାପରେ ଓଡ଼ିଆରେ ୩୧ଜଣ ଓ ପଦାର୍ଥ ବିଜ୍ଞାନରେ ୩୨ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ଏହି ୬୩ ଜଣ ଛାତ୍ରଛାତ୍ରୀ ପିଜି ପରୀକ୍ଷା ଦେଇସାରିଛନ୍ତି। ମାତ୍ର ସେମାନଙ୍କ ପରୀକ୍ଷା ଫଳ ପ୍ରକାଶ ପାଉନାହିଁ। ଏଣୁ ନ୍ୟାୟ ପାଇଁ ଛାତ୍ରୀ ସାଇଶ୍ରିତା ଦ୍ୱିବେଦୀ, ପ୍ରିୟଦର୍ଶିନୀ ବେହେରା, ପୂଜାରାଣୀ ଦାସ, ଈପ୍‌ସିତା ପ୍ରିୟଦର୍ଶିନୀ ସାହୁ ପ୍ରମୁଖ ଉତ୍କଳ ବିଶ୍ୱବିଦ୍ୟାଳୟ, ରାଜ୍ୟପାଳଙ୍କ କାର୍ଯ୍ୟାଳୟକୁ ଯାଇ ନିରାଶ ହୋଇ ଜିଲ୍ଲାପାଲଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ। ଛାତ୍ରଛାତ୍ରୀଙ୍କ ସୂଚନା ଅନୁସାରେ ସେମାନେ ଉତ୍କଳ ବିଶ୍ବବିଦ୍ୟାଳୟକୁ ଯାଇଥିବା ସମୟରେ ସେଠାରେ ଅଧିକାରୀଙ୍କ କହିବା କଥା ଚିତାଳୋ ମହାବିଦ୍ୟାଳୟରେ ପିଏଚଡି କରିଥିବା ଅଧ୍ୟାପକ ନାହାନ୍ତି। ଲ୍ୟାବ୍‌ ନାହିଁ। ଏହାଛଡ଼ା ମନଇଚ୍ଛା ଛାତ୍ରଛାତ୍ରୀଙ୍କୁ ନାମ ଲେଖାଇବାର ସୁଯୋଗ ଦିଆଯାଇଛି।

ସେହିଭଳି ୨୦୧୮-୧୯ରେ ଓଡ଼ିଆରେ ୧୫ ଓ ପଦାର୍ଥ ବିଜ୍ଞାନରେ ୨୦ଟି ସିଟ୍‌ରେ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୨୦୧୯-୨୦ ରେ ଓଡ଼ିଆରେ ୧୪ ଓ ପଦାର୍ଥ ବିଜ୍ଞାନରେ ୨୧ ଜଣ ନାମ ଲେଖାଇଥିଲେ। ଏ ସମସ୍ତେ ନାମଲେଖା, ଫର୍ମ ପୂରଣ କରିଥିଲେ ବି ପରୀକ୍ଷା ଦେବାରୁ ବଞ୍ଚିତ ହୋଇଛନ୍ତି।

jajpur.nic.in

ଅପରପକ୍ଷେ ଚିତାଳୋ ମହାବିଦ୍ୟାଳୟର ଭିତ୍ତିଭୂମି ବେଶ୍‌ ସୁଦୃଢ଼। ୬୦-୭୦ ଲକ୍ଷ ଟଙ୍କା ବ୍ୟୟରେ ଲ୍ୟାବ୍‌ କରାଯାଇଛି। ପଦାର୍ଥ ବିଜ୍ଞାନ ବିଭାଗର ପିଏଚଡି ଗବେଷଣାରତ ଅଧ୍ୟାପକ ଭାବେ ଏମ.ଏଚ ପ୍ରିୟଦର୍ଶିନୀ (ରେଗୁଲାର), ଅବସରପ୍ରାପ୍ତ ପ୍ରଫେସର ଡ. ଗୌରୀଶଙ୍କର ରାୟ, ଡ. ରାଜଶ୍ରୀ ସାହୁ ଓ ଅନ୍ୟ ୨ ଜଣ ଅଛନ୍ତି। ସେହିପରି ଓଡ଼ିଆ ବିଭାଗରେ ଡ. ଲକ୍ଷ୍ମଣ କୁମାର ପ୍ରଧାନ (ରେଗୁଲାର), ଡ. ପ୍ରଭାସ କୁମାର ଦାସ ଓ ଗବେଷଣାରତ ପିଏଚଡି ଅଧ୍ୟାପିକା ପୁଷ୍ପଲତା ସେଠୀ ରହିଛନ୍ତି।

ତାତ୍ପର୍ଯ୍ୟପୂର୍ଣ୍ଣ ହେଉଛି ଉତ୍କଳ ବିଶ୍ୱବିଦ୍ୟାଳୟରେ ପିଜି ଅଧ୍ୟୟନ ପାଇଁ ୨୪ଟି ସିଟ୍‌ ରହିଥିବାବେଳେ ଏହା ଅଧୀନ ଚିତାଳୋ ମହାବିଦ୍ୟାଳୟରେ ୩୨ ଆସନବିଶିଷ୍ଟ ବିଭାଗ‌ ଖୋଲିଛି। ପିଜି ବିଭାଗକୁ ସଫଳ କରାଇ ନଦେବା ପଛରେ ଏହା କାରଣ ନୁହେଁ ତ ବୋଲି ସନ୍ଦେହ ପ୍ରକାଶ ପାଇଛି। ଅନ୍ୟପଟେ ମହାବିଦ୍ୟାଳୟରେ ରାସ୍ତା ନିର୍ମାଣ, ପିଜି ପାଇଁ ଆବେଦନ, ପରୀକ୍ଷା ଦେବା, ପରୀକ୍ଷା ଫଳ ପ୍ରକାଶ କରିବାକୁ ହାଇକୋର୍ଟରେ ୪ଟି ମାମଲା ରୁଜୁ ହୋଇଛି। ଏହାରି ଭିତରେ ଶତାଧିକ ଛାତ୍ରଛାତ୍ରୀ ମାନସିକ ଦ୍ବନ୍ଦ୍ବ ଭିତରେ ଗତି କରୁଛନ୍ତି।

ସମ୍ବନ୍ଧିତ ଖବର