ପୁରୀ : ସପ୍ତାହ ପୂର୍ବେ ପୁରୀ ସଦର ଥାନା ଅନ୍ତର୍ଗତ ଜମାରସୁଆଁ ନୂଆନଈରୁ ରାଜ୍ୟ ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ଘରୋଇ ସୁରକ୍ଷାକର୍ମୀ ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁଦେହ ମିଳିଥିବା ବେଳେ ମୃତ୍ୟୁର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଦୀର୍ଘ ୫ ଦିନ ଧରି କ୍ରାଇମ୍‌ବ୍ରାଞ୍ଚ ଏହି ମାମଲାର ତଦନ୍ତ କରିଥିଲେ ମଧ୍ୟ କୌଣସି ସିଦ୍ଧାନ୍ତରେ ପହଞ୍ଚିପାରିନି। ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ମିଳିବା ପରେ କ୍ରାଇମ୍‌ବ୍ରାଞ୍ଚ ଏହାକୁ ଯାଞ୍ଚ କରିଛି। ଏହି ରିପୋର୍ଟକୁ ଆଧାର କରି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଅଟକ ରଖିଥିବା ଜଗା ଓ ଅନ୍ୟ ଚାରି ଜଣଙ୍କୁ ପଚରାଉଚରା କରିଛି। ଆଜି ବି କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛି। କିନ୍ତୁ ଚିତ୍ତରଞ୍ଜନଙ୍କର ଏହା ଦୁର୍ଘଟଣାଜନିତ ମୃତ୍ୟୁ ନା ହତ୍ୟା ସେ ନେଇ କ୍ରାଇମ୍‌ବ୍ରାଞ୍ଚ ମୁହଁ ଖୋଲିନାହିଁ।

Advertisment

ଏବେ ମୋବାଇଲର ଫୋନ୍‌ ସିଡିଆର୍‌ ଏବଂ ଚିତ୍ତରଞ୍ଜନଙ୍କ ପୋଷ୍ଟମର୍ଟମ ରିପୋର୍ଟ ଉପରେ ନିର୍ଭର କରି କ୍ରାଇମ୍‌ବ୍ରାଞ୍ଚ ତଦନ୍ତ ଚଳାଇଛି। ଅଟକ ଥିବା ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀ, ନିଖୋଜ ପରେ ମୃତ୍ୟୁବରଣ କରିଥିବା ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇ ଏବଂ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ହୋଇଥିବା ଭୋଜିରେ ଯୋଗ ଦେଇଥିବା ଅନ୍ୟ ୪ ଜଣଙ୍କ ଫୋନ୍‌କୁ କ୍ରାଇମ୍‌ବ୍ରାଞ୍ଚ ଯାଞ୍ଚ କରୁଛି। ଏହାସହିତ ମାଟିଆପଡ଼ା ଛକରୁ ଜମାରସୁଆଁ ନୂଆନଈ ମଧ୍ୟରେ ଥିବା ସିସି କ୍ୟାମେରାର ଫୁଟେଜ୍‌କୁ ନେଇ ତଦନ୍ତ ଚାଲିଛି। ସେହିପରି ଚିତ୍ତରଞ୍ଜନଙ୍କ ନିଖୋଜ ହେବାର ପୂର୍ବ ଓ ପର ଦିନମାନଙ୍କରେ ଏମାନଙ୍କ ଫୋନ୍‌କୁ କାହାର ଫୋନ୍‌ ଆସିଥିଲା। ସେମାନେ କେଉଁ କାରଣରୁ ଫୋନ୍‌ କରିଥିଲେ, ସେନେଇ ତଦନ୍ତ ଚାଲିଛି। ପାଣିରେ ପଡ଼ିବାପରେ ଚିତ୍ତରଞ୍ଜନ ପାଣି ପିଇଥିଲେ ନା ତାଙ୍କୁ ଜୀବନ୍ତ ଅବସ୍ଥାରେ ନୂଆନଈ ପାଣିରେ ଫିଙ୍ଗି ଦିଆଯାଇଥିଲା ସେ ନେଇ ପୋଷ୍ଟମର୍ଣ୍ଟମ ରିପୋର୍ଟ ଆଧାରରେ କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରୁଛି। ତେଣୁ ଘଟଣାସ୍ଥଳକୁ ବାରମ୍ବାର ଯାଇ ବିଭିନ୍ନ ସମ୍ଭାବନାକୁ ନେଇ ତଦନ୍ତ ଚଳାଇଛି। ସେପଟେ ଜଗାକୁ ନେଇ ଲାଇ ଡିକ୍ଟେସନ୍‌ ପରୀକ୍ଷା କରାଇବା ପାଇଁ କ୍ରାଇମ୍‌ବ୍ରାଞ୍ଚ ଚିନ୍ତା କରୁଛି। କ୍ରାଇମ୍‌ବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଘଟଣାସ୍ଥଳ ପରିଦର୍ଶନ କରିବା ସହିତ ଏସ୍‌ପିଙ୍କ ସହିତ ଆଲୋଚନା କରିବା ପରେ ତଦନ୍ତକାରୀ ଅଧିକାରୀ ଶିଶିର ମିଶ୍ରଙ୍କୁ ତଦନ୍ତ କରିବାର କେତେକ ଦିଗ ପ୍ରତି ଧ୍ୟାନ ଦେବାପାଇଁ କହିଯାଇଛନ୍ତି। ଚିତ୍ତରଞ୍ଜନଙ୍କୁ ସଂଘବଦ୍ଧ ଭାବେ ହତ୍ୟା କରାଯାଇଥିବା ନେଇ କ୍ରାଇମ୍‌ବ୍ରାଞ୍ଚ ସନ୍ଦେହ କରୁଛି। ତେଣୁ ସେଦିଗ ପ୍ରତି ମଧ୍ୟ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ତଦନ୍ତ ଚଳାଇଛି।

ସୂଚନାଯୋଗ୍ୟ ଯେ ଗତ ୧୧ ତାରିଖ ରାତିରେ ମାଟିଆପଡ଼ା ଛକରେ ଶାସନ ଦାମୋଦରପୁରର ଜଗନ୍ନାଥ ଷଡ଼ଙ୍ଗୀର ଭଡ଼ା ଘରେ ଏକ ଭୋଜିର ଆୟୋଜନ ହୋଇଥିଲା। ବିଳମ୍ବିତ ରାତିରେ ଭୋଜି ସରିବା ପରେ ଏକ ସ୍କୁଟି ଗାଡ଼ିରେ ଜଗା ତା’ର ଘନିଷ୍ଠ ବନ୍ଧୁ ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କୁ ନେଇ ମଦ କିଣିବା ପାଇଁ ଜମାରସୁଆଁ ନୂଆନଈ ଆଡ଼କୁ ଯାଇଥିଲା। ସେଠାରେ ସେମାନେ ଦୁର୍ଘଟଣାଗ୍ରସ୍ତ ହେବା ପରେ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିବା ନେଇ ଜଗା ବୟାନ ଦେଇଥିଲା। ପର ଦିନ ନୂଆନଈର ପାଣିରେ ଭାସୁଥିବା ଅବସ୍ଥାରେ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିଥିଲା। ତାଙ୍କୁ ହତ୍ୟା ପାଇଁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହେବା ପରେ ସଦର ଥାନା ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ଚିତ୍ତରଞ୍ଜନ ଯେହେତୁ ସଞ୍ଜୟ ଦାସବର୍ମାଙ୍କର ଘରୋଇ ସୁରକ୍ଷାକର୍ମୀ ଥିଲେ, ତେଣୁ ଏହା ଏକ ଷଡ଼ଯନ୍ତ୍ ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା। ତେଣୁ ଚିତ୍ତରଞ୍ଜନଙ୍କ ମୃତଦେହ ମିଳିବାର ଦୁଇ ଦିନ ପରେ ଏହି ମାମଲାର ତଦନ୍ତ ଦାୟିତ୍ବ କ୍ରାଇମ୍‌ବ୍ରାଞ୍ଚକୁ ଦିଆଯାଇଥିଲା।