ବଲାଙ୍ଗୀରରେ ପୁଣି ଚିଟ୍‌ଫଣ୍ଡ ସଂସ୍ଥା!

ବଲାଙ୍ଗୀର : ଟଙ୍କା ଲୋଭ ଦେଖାଇ, ଲାଭ ପାଇବାର ଆଶା ଲୋକଙ୍କ ମନରେ ତିଆରି କରାନ୍ତି। ତା’ପରେ ମଧୁର କଥାରେ ଛନ୍ଦି ଚାଲନ୍ତି। ପକେଟ୍‌ରୁ ମୋଟା ଟଙ୍କା ନକାଢିବା ଯାଏ ପଛେ ପଛେ ଲାଗିଥାନ୍ତି। ତା’ପରେ ଫିକ୍ସ ଡିପୋଜିଟ୍‌, ଆର୍‌ଡି ଭଳି ବିଭିନ୍ନ ଜମା ଯୋଜନା ନାଁରେ ଟଙ୍କା ଝଡାଇବା ପରେ ବିଶ୍ୱାସ ଜନ୍ମାଇବାକୁ ଭରପୂର ଉଦ୍ୟମ ବି ହୁଏ। ଏହି ବିଶ୍ୱାସ ନାଁରେ ଜଣଙ୍କ ପରେ ଜଣଙ୍କୁ ସାଉଁଟି ନିଅନ୍ତି ସେମାନଙ୍କ ଟଙ୍କା ଝୁଲାରେ। କିଛି ବର୍ଷ ତଳେ ଦୁଇ ଗୁଣା ଟଙ୍କା ସହ ବିଭିନ୍ନ ଯୋଜନାରେ ଲୋକଙ୍କୁ ମୋଟା ଅଙ୍କର ଟଙ୍କା ଦେବାର ପ୍ରଲୋଭନ ଦେଖାଇ ବିଭିନ୍ନ ସଂସ୍ଥା ଲୁଟି ନେଇଗଲେ ଶହ ଶହ କୋଟି ଟଙ୍କା। ଚିଟ୍‌ଫଣ୍ଡ ସଂସ୍ଥାରେ ଟଙ୍କା ଲଗାଇ ରାଜ୍ୟର ବହୁ ଲୋକ ତଳିତଳାନ୍ତ ହେଲେ।

ଏବେ ପୁଣି ସେହି ସଂସ୍ଥାଗୁଡ଼ିକ ନୂଆ ଚେହେରା ନେଇ ବଜାରକୁ ପ୍ରବେଶ କଲେଣି। ଲୋକଙ୍କ ମନରେ କଷ୍ଟ ଉପାର୍ଜିତ ଟଙ୍କା ହରାଇବାର କ୍ଷତ ଶୁଖି ନଥିବା ବେଳେ ପୁଣିଥରେ ଲୋଭ ଓ ଲାଭର ଜାଲ ବିଛାଇ ସେମାନେ ଘେରି ଗଲେଣି। ‘ସମ୍ବାଦ’ ପକ୍ଷରୁ ଖୋଳତାଡ ବେଳେ ଏଭଳି ଏକ ସଂସ୍ଥାର ଖିଅ ବଲାଙ୍ଗୀର ଜିଲ୍ଲାରେ ମିଳିଛି। ଯେଉଁ ସଂସ୍ଥା ଗତ ମାସେ ହେଲା ବଲାଙ୍ଗୀରରେ ହିତାଧିକାରୀଙ୍କୁ ଡକାଇ ୪ଥର ବୈଠକ କରିବା ସହ ଟଙ୍କା ଜମା କରିବାକୁ ଉଦ୍ୟମ ଚଳାଇଛି। ପୁରୁଣା ଚିଟଫଣ୍ଡ ସଂସ୍ଥାଗୁଡ଼ିକର ମଙ୍ଗ ଧରିଥିବା ବାବୁମାନେ ପୁଣିଥରେ ନୂଆ ସଂସ୍ଥା ଜରିଆରେ ଚେହେରା ଦେଖାଇବାକୁ ବଜାରକୁ ଆସିଛନ୍ତି।

ଗୁରୁବାର ସଂଧ୍ୟା ୭ଟା। ବଲାଙ୍ଗୀର ଲ’ କଲେଜ ସମ୍ମିଳନୀ କକ୍ଷ। ଆଦର୍ଶ କ୍ରେଡିଟ୍‌ କୋଅପରେଟିଭ୍‌ ଲିମିଟେଡ୍‌ ନାମକ ସଂସ୍ଥା ପକ୍ଷରୁ ସଭ୍ୟ ଓ ଉପଦେଷ୍ଟାଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଉପସ୍ଥିତ ଥିବା ଲୋକଙ୍କୁ ରିକରିଙ୍ଗ ଡିପୋଜିଟ୍‌, ମନ୍‌ଥଲି ଇନ୍‌କମ୍‌ ସ୍କିମ୍‌ରେ ଜମା ଓ ଫିକ୍ସ ଡିପୋଜିଟ୍‌ କରିବା ପାଇଁ ଉପସ୍ଥତି ସଂସ୍ଥାର କର୍ମକର୍ତ୍ତାମାନେ କହୁଥିଲେ। ଏହି ସଭ୍ୟ ଓ ଉପଦେଷ୍ଟା ବୈଠକରେ ଆଦର୍ଶର ଜାତୀୟ ମୁଖ୍ୟ ନିତିନ ସକ୍‌ସେନା, ଆଞ୍ଚଳିକ ମୁଖ୍ୟ ରାଜୀବ ପଟ୍ଟନାୟକ, ଆଞ୍ଚଳିକ ତାଲିମ ମୁଖ୍ୟ ଜ୍ୟୋତିରଂଜନ ନାୟକ, ଏସ୍‌ଏଲ୍‌ ଏଭିଏଲ୍‌ ନରସିଂମାରାଓଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ। ମଞ୍ଚରେ ଥିବା ଆଦର୍ଶର ଅଧିକାରୀମାନେ ସଂସ୍ଥାର ସୃଷ୍ଟି ସଂପର୍କରେ କହିବା ସହ କେମିତି ସଂସ୍ଥା ବିଭିନ୍ନ ଜନହିତକର ଯୋଜନା ହାତକୁ ନେଇଛି ସେ ସଂପର୍କରେ କହୁଥିଲେ। ଏଥିସହିତ ସଂସ୍ଥାର ନିବେଶ ସଂପର୍କରେ କହିବା ସହ ସେମାନେ ଚିଟ୍‌ଫଣ୍ଡ ସଂସ୍ଥା ନୁହନ୍ତି ବୋଲି ବାରମ୍ବାର ଦର୍ଶାଉଥିଲେ। ଚିଟ୍‌ଫଣ୍ଡ ନେଇ ଲୋକଙ୍କ ମନରେ ଯେଉଁ ଧାରଣା ସୃଷ୍ଟି ହୋଇଛି ତାକୁ ଦୂରେଇ ନିଜର ବେପାର କରାଇ ନେବା ପାଇଁ ଆଦର୍ଶର ଯଥେଷ୍ଟ ପ୍ରଚାର ପ୍ରସାର କରାଇଥିଲେ।

ସୂଚନାଯୋଗ୍ୟ ଯେ, ଓଡ଼ିଶାରେ ପଚାଶ ଲକ୍ଷରୁ ଅଧିକ ଲୋକଙ୍କ ଟଙ୍କା ନେଇ ଉଭାନ ହେବା ପରେ ପଶ୍ଚିମବଙ୍ଗର ସାରଦା ସଂସ୍ଥା ଅନାଧିକୃତ ଜମା ରାଶି ସଂଗ୍ରହ ଓ ଠକେଇର ଖୁଲାସା ହେଇଥିଲା। ୨୦୧୩ ମେ ୧୦ ତାରିଖରେ ଓଡ଼ିଶା ସରକାର ରାଜ୍ୟରେ ଚାଲିଥିବା ସମସ୍ତ ଅନାଧିକୃତ ଜମା ରାଶି ସଂଗ୍ରହକାରୀ ସଂସ୍ଥାର କାର୍ଯ୍ୟାଳୟରେ ଚଢଉ କରି ସିଲ୍‌ କରିଥିଲେ। ସେହି ସମୟରେ ବଲାଙ୍ଗୀରର କେତୋଟି ସଂସ୍ଥା ଉପରେ ଚଢଉ କରି ପୁଲିସ ସିଲ୍‌ କରିଥିଲା। ବଲାଙ୍ଗୀର ପୁଲିସ କାଗଜପତ୍ର ଜବତ କରିଥିଲା। ୨୦୧୩ରୁ ଆଜି ଯାଏ ୩ଶହରୁ ଅଧିକ ସଂସ୍ଥା, ସ୍ୱୟଂ ସହାୟକ ସମବାୟ, ବହୁରାଜ୍ୟ ସମବାୟ ଟ୍ରଷ୍ଟ ଓ ଏନ୍‌ଜିଓଗୁଡ଼ିକର ଠକେଇ ଉପରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ଚାଲିଛି।

ସମବାୟ ସଂସ୍ଥା ନାମରେ ପୁଣି ଚିଟ୍‌ଫଣ୍ଡ ସଂସ୍ଥା ମୁଣ୍ଡ ଟେକୁଥିବାରୁ ଆର୍ଥିକ ସଂସ୍ଥାଙ୍କ ଦ୍ୱାରା କ୍ଷତିଗ୍ରସ୍ତ ମିଳିତ ମଞ୍ଚ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି। ଏହା ଜାଣିଶୁଣି ପ୍ରଶାସନ ନିରବ ରହିବା ଉଦବେଗର ବିଷୟ। ମିଳିତ ମଞ୍ଚର ଆବାହକ ଜୟନ୍ତ ଦାସ କହିଛନ୍ତି ଯେ ଓଡ଼ିଶା ପ୍ରଫେସନ୍‌ ଅଫ୍‌ ଇଣ୍ଟରେଷ୍ଟ ଅଫ୍‌ ଡିପୋଜିଟର୍ସ ଆକ୍ଟ(ଓପିଡା) ଆଇନ୍‌ରେ ଯେକୌଣସି ସଂସ୍ଥା ଲୋକଙ୍କଠାରୁ ଜମାରାଶି ସଂଗ୍ରହ ପୂର୍ବରୁ ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଅନୁମତି ନେବେ। ଜିଲ୍ଲାପାଳ ଓ ଏସ୍‌ପି ସଂସ୍ଥା ବା ସମବାୟ ଅନୁଷ୍ଠାନର ସମସ୍ତ ପ୍ରକାର ଜମା ଓ ପରିପକ୍ୱ ରାଶି ଫେରସ୍ତ ନିଶ୍ଚିତତା ଉପରେ ଆବଗତ ହେଲେ ଯାଇ ଅନୁମତି ଦେବେ। ତା’ପରେ ହିଁ କୌଣସି ସଂସ୍ଥା ଜମା ସଂଗ୍ରହ କରିପାରିବେ। କିନ୍ତୁ ଏହି ଆଦର୍ଶ ସଂସ୍ଥା ବଲାଙ୍ଗୀର ଜିଲ୍ଲାପାଳ ଓ ଏସ୍‌ପିଙ୍କ ଠାରୁ ଅନୁମତି ନେଇ ନଥିବା ଜଣାପଡିଛି। ଏ ସଂସ୍ଥା ଉଭାନ ହେଲେ ଜମାକାରୀଙ୍କ ଟଙ୍କା ଫେରାଇବ କିଏ ବୋଲି ସେ ପ୍ରଶ୍ନ କରିଛନ୍ତି।

ତେବେ ଆଦର୍ଶର ତାଲିମ୍‌ ମୁଖ୍ୟ ଜ୍ୟୋତିରଂଜନ ନାୟକଙ୍କ ପ୍ରତିକ୍ରିୟା ହେଉଛି ଯେ, ସେମାନେ ଆର୍‌ବିଆଇରୁ ଅନୁମତି ପାଇଛନ୍ତି। ଆପଣ ଭଲ କରି ସଂସ୍ଥା ବାବଦରେ ଜାଣନ୍ତୁ। ସଂସ୍ଥା ପକ୍ଷରୁ ଦିଆଯାଇଥିବା ବହି ଆମ ପ୍ରତିନିଧିଙ୍କୁ ଦେଇ ବହି ପଢନ୍ତୁ। ତା’ପରେ ସବୁ ଜାଣିପାରିବେ। ଏହା କୌଣସି ଚିଟ୍‌ଫଣ୍ଡ ସଂସ୍ଥା ନୁହେଁ। ଆମେ ଲୋକଙ୍କୁ ସଚେତନ କରାଉଛୁ ବୋଲି ଶ୍ରୀ ନାୟକ କହିଥିଲେ।

ମିଳିତ ମଞ୍ଚର ନେତାମାନେ ଆଦର୍ଶ ଅଧିକାରୀଙ୍କ ଏଭଳି ଯୁକ୍ତି ନେଇ ସନ୍ଦେହ ପ୍ରକଟ କରିଛନ୍ତି। ସେମାନେ କହିଛନ୍ତି ଯେ ଚିଟଫଣ୍ଡ ନାମରେ କୌଣସି ସଂସ୍ଥା ନଥାଏ। ଅନ୍ୟପକ୍ଷରେ ଆଦର୍ଶ ଅଧିକାରୀ ସେମାନଙ୍କ ସଂସ୍ଥା ଚିଟପଣ୍ଡ ସଂସ୍ଥା ନୁହେଁ ବୋଲି ବାରମ୍ବାର କହିବା ସନ୍ଦେହକୁ ଅଧିକ ଘନୀଭୂତ କରୁଛି। ଅନେକ ସଂସ୍ଥା ଏଭଳି ଉପାୟରେ ପଶି ଲୋକମାନଙ୍କୁ ଭୁତାଇ କୋଟି କୋଟି ଟଙ୍କା ଲୁଟିନେଇଥିବାର ନଜିର ରହିଛି। ତେଣୁ ଲୋକମାନେ ସାବଧାନ ରହିବାକୁ ସେମାନେ ପରାମର୍ଶ ଦେଇଛନ୍ତି।

ଇତିମଧ୍ୟରେ ମିଳିତ ମଞ୍ଚ ସଂସ୍ଥାର ନେତା ଆଡଭୋକେଟ ବିଭୂ ମିଶ୍ର ଏବଂ ଫିରୋଜ କୁମାର ସାହୁ ଥାନାରେ ଏସଂପର୍କରେ ଏତଲା ଦେଇଛନ୍ତି। ଏହାକୁ ଭିତ୍ତି କରି ଟାଉନ୍‌ ଆଇଆଇସି ଗୋକୁଳାନନ୍ଦ ସାହୁ ପୁଲିସ ପଠାଇ ଘଟଣାର ଖୋଳତାଡ ଆରମ୍ଭ କରିଛନ୍ତି। ସଂସ୍ଥାର ତିନି ଜଣ ଅଧିକାରୀଙ୍କୁ ଆଜି ରାତିରେ ଥାନାକୁ ଡାକି ପଚରାଉଚୁରା କରାଯାଇଥିଲା। ତେବେ ସେମାନେ କାଗଜପତ୍ର ଦେଖାଇ ପାରି ନ ଥିଲେ ଏବଂ ଏଥିପାଇଁ ଅଧିକ ସମୟ ଲୋଡ଼ିଥିବା ଥାନା ଅଧିକାରୀ ଜଣାଇଛନ୍ତି।

ସମ୍ବନ୍ଧିତ ଖବର