ଭୁବନେଶ୍ୱର: ଓଡିଶା ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଅଧିନିୟମ ୨୦୧୧ ବ୍ୟବସ୍ଥା ଅନୁଯାୟୀ ସ୍ଥାପିତ ନ୍ୟାୟାଳୟର ଚୂଡାନ୍ତ ରାୟ ଆଧାରରେ ବର୍ତ୍ତମାନ ପର୍ଯ୍ୟନ୍ତ ୩୦ଟି ବେଆଇନ ଆର୍ଥିକ ପ୍ରତିଷ୍ଠାନର ସମ୍ପତ୍ତି ଜବତ କରାଯିବା ସହ ଜବତ ସମ୍ପତ୍ତିର ବିକ୍ରିଲବ୍ଧ ଅର୍ଥକୁ କ୍ଷୁଦ୍ର ଜମାକାରୀଙ୍କ ଫେରସ୍ତ କରାଯାଇଛି | ବିଧାନସଭାରେ ଆଜି ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଏହା କହିଛନ୍ତି |
ଖଣ୍ଡପଡ଼ା ବିଧାୟକ ପ୍ରଶ୍ନ କରିଥିଲେ ଯେ ଓଡିଶା ଜମାକାରୀଙ୍କ ସ୍ୱାର୍ଥର ସୁରକ୍ଷା ଆଇନରେ ସ୍ଥାପିତ ସ୍ୱତନ୍ତ୍ର କୋର୍ଟର ଚୂଡାନ୍ତ ରାୟ ଆଧାରରେ କେଉଁ କେଉଁ ଚିଟଫଣ୍ଡ ସଂସ୍ଥାର କେତେ ସମ୍ପତ୍ତି ଜବତ କରାଯାଇଛି ଓ ଜବତ ସମ୍ପତ୍ତି ମଧ୍ୟରୁ କେତେ ବିକ୍ରି କରାଯାଇ କେତେ ଜମାକାରୀଙ୍କୁ କ୍ଷତିପୂରଣ ପ୍ରଦାନ କରାଯାଇଛି?
ଏନେଇ ଅର୍ଥମନ୍ତ୍ରୀ ଦେଇଥିବା ଉତ୍ତରରୁ ମିଳିଥିବା ସୂଚନା ମୁତାବକ ସମୁଦାୟ ୩୦ଟି ଚିଟଫଣ୍ଡ କମ୍ପାନୀର ସମ୍ପତ୍ତି ଜବତ କରାଯାଇଛି | ଏମାନଙ୍କ ମଧ୍ୟରେ ରୋଜଭ୍ୟାଲି ଗ୍ରୁପର ୯୪ କୋଟି ୯୦ ଲକ୍ଷ ୨୦ ହଜାର ୯୯୬ ଟଙ୍କା ଜବତ କରାଯାଇଛି ଓ ୧ ଲକ୍ଷ ୬୪ ହଜାର ୪୬୧ ଜଣଙ୍କୁ ୬୦ କୋଟି ୨୨ ଲକ୍ଷ ୩୪ ହଜାର ୭୨୬ ଟଙ୍କା ଫେରସ୍ତ ଦିଆଯାଇଛି | ସେହିପରି ଗୋଲଡେନ ଲ୍ୟାଣ୍ଡ ଡେଭଲପର୍ସ ଗ୍ରୁପ ଅଫ କମ୍ପାନୀର ୯୪ କୋଟି ୬୪ ଲକ୍ଷ ୭୫ ହଜାର ୧୮୯ ଟଙ୍କା ଜବତ କରାଯାଇଥିବା ବେଳେ ଏବେ ଜମାକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି | ହାଇଟେକ ଗ୍ରୁପ ଅଫ କମ୍ପାନିଜ ଆଣ୍ଡ ଟ୍ରଷ୍ଟର ୮୮ କୋଟି ୭୨ ଲକ୍ଷ ୩୮ ହଜାର ୦୩୪ ଟଙ୍କା ଜବତ କରାଯାଇଛି | ତେବେ କେବଳ ରୋଜଭ୍ୟାଲି ଗ୍ରୁପକୁ ଛାଡିଦେଲେ ଅନ୍ୟ କେଉଁ ସଂସ୍ଥାର ଜମାକାରୀଙ୍କୁ ଟଙ୍କା ଫେରସ୍ତ କରାଯାଇନାହିଁ ଓ ବର୍ତ୍ତମାନ ପ୍ରକୃତ ଜମାକାରୀଙ୍କ ବାବଦରେ ତଥ୍ୟ ସଂଗ୍ରହ କରାଯାଉଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/05/chitfund-bk.jpg)