କଟକ : ବହୁଚର୍ଚ୍ଚିତ ଚିଟ୍ଫଣ୍ଡ ମାମଲାର ତଦନ୍ତ କରୁଥିବା ଜଷ୍ଟିସ ମଦନ ମୋହନ ଦାସ କମିସନ ସତ୍ୟପାଠ ଡିଜିଟାଇଜେସନ୍ କରିବା ପାଇଁ ସରକାରଙ୍କୁ ଚିଠି ଲେଖି ପ୍ରସ୍ତାବ ଦେଇଥିଲେ। କିନ୍ତୁ ଇତିମଧ୍ୟରେ ସାଢ଼େ ତିନି ମାସରୁ ଅଧିକ ଦିନ ବିତିଯାଇଥିଲେ ବି ସରକାର ଏ ଦିଗରେ କୌଣସି ପଦକ୍ଷେପ ନେଇନାହାନ୍ତି। ଫଳରେ କମିସନଙ୍କ ନିକଟରେ ଥିବା ପ୍ରାୟ ୭ଲକ୍ଷ ସତ୍ୟପାଠ ଯାଞ୍ଚ ନ ହୋଇ ପଡ଼ି ରହିଛି। ସରକାରଙ୍କ ଅନୁମୋଦନ ମିଳୁନଥିବାରୁ ଗୋଟିଏ ପଟେ ସତ୍ୟପାଠ ଯାଞ୍ଚ ହେଇପାରୁ ନଥିବା ବେଳେ ଅନ୍ୟପଟେ ଜମାକାରୀମାନେ କ୍ଷତିପୂରଣ ରାଶି ପାଇବାରେ ବିଳମ୍ବ ହେଉଛି। କେବଳ ସେତିକି ନୁହେଁ, କମିସନ୍ ୭୯ହଜାର ୫୯ଟି ତ୍ରୁଟିପୂର୍ଣ୍ଣ ସତ୍ୟପାଠ ଯାଞ୍ଚ କରି କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରୁଛନ୍ତି। ତ୍ରୁଟିପୂର୍ଣ୍ଣ ସତ୍ୟପାଠ ମଧ୍ୟରୁ ସବୁଗୁଡିକ ଯାଞ୍ଚ ସମ୍ଭବ ହେଉ ନାହିଁ। ବହୁ ସତ୍ୟପାଠରେ ଜମାକାରୀ କମ୍ପାନି ସଂକ୍ରାନ୍ତ ତଥ୍ୟ ସହିତ ଅନ୍ୟାନ୍ୟ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇ ନଥିବାରୁ ଏଭଳି ପରିସ୍ଥିତି ଉପୁଜିଥିବା ସୂଚନା ମିଳିଛି।
ଉଲ୍ଲେଖଯୋଗ୍ୟ, ୨୦୧୩ରେ ଚିଟଫଣ୍ତ କମ୍ପାନିଗୁଡିକ ଦ୍ବାରା ଠକାମୀର ଶିକାର ହୋଇଥିବା ବହୁ ଜମାକାରୀ ନିର୍ଦ୍ଧାରିତ ସମୟସୀମା ଭିତରେ ସତ୍ୟପାଠ ଦାଖଲ କରି ପାରି ନଥିଲେ। କମିସନ ୨୦୧୮, ନଭେମ୍ବର ୧୩ରେ ଏଥିପାଇଁ ସାନି ବିଜ୍ଞପ୍ତି ପ୍ରକାଶ କରି ସେହିବର୍ଷ ଡିସେମ୍ବର ୩୧ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ ସୁଯୋଗ ଦେଇଥିଲେ। ଧାର୍ଯ୍ୟ ସମୟସୀମା ଭିତରେ ୪ଲକ୍ଷରୁ ଅଧିକ ଜମାକାରୀ ସତ୍ୟପାଠ ଦାଖଲ କରିଥିବା ବେଳେ ବହୁ ଜମାକାରୀ ବିଭିନ୍ନ କାରଣରୁ ଏହାର ଫାଇଦା ନେଇପାରି ନଥିଲେ। ଏଣୁ ବହୁ କ୍ଷତିଗ୍ରସ୍ତ ଜମାକାରୀ ଓ ବିଶିଷ୍ଟ ବ୍ୟକ୍ତି ସତ୍ୟପାଠ ଦାଖଲର ସମୟସୀମା ବୃଦ୍ଧି କରିବାକୁ କମିସନଙ୍କୁ ଅନୁରୋଧ କରିଥିଲେ। ଫଳରେ କମିସନ ସତ୍ୟପାଠ ଦାଖଲର ସମୟସୀମା ୨୦୧୯, ଜାନୁଆରି ୩୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଥିଲେ। କ୍ଷତିଗ୍ରସ୍ତ ଜମାକାରୀ ରେଜିଷ୍ଟ୍ରି, ସ୍ପିଡ୍ ପୋଷ୍ଟ ଓ କୋରିଅର ଜରିଆରେ ନିଜ ନାଁ ଓ ଠିକଣା ସହିତ ଜମାଟଙ୍କା ସ˚ପର୍କିତ ତଥ୍ୟ ଓ କମ୍ପାନିର ସବିଶେଷ ବିବରଣୀ କମିସନଙ୍କ ନିକଟରେ ଦାଖଲ କରିଥିଲେ। ଏଭଳି ପ୍ରାୟ ୭ ଲକ୍ଷ ସତ୍ୟପାଠ କମିସନଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ବୋଲି ଅନୁମାନ କରାଯାଉଛି। ଏବେ କମିସନଙ୍କ ନିକଟରେ ପହଞ୍ଚିଥିବା ଲଫାପାଗୁଡିକରୁ ସତ୍ୟପାଠଗୁଡିକ ବାହାର କରାଯାଇ ସଜଡ଼ାଯାଉଛି। ହେଲେ ଡିଜିଟାଇଜେସନ୍ ପ୍ରସ୍ତାବକୁ ସରକାର ଅନୁମୋଦନ ଦେଉନଥିବାରୁ ଏସବୁ ସତ୍ୟପାଠ ଯାଞ୍ଚ ହେଇ ପାରୁନାହିଁ। ଏହାଦ୍ବାରା କ୍ଷତିଗ୍ରସ୍ତ ଜମାକାରୀ ଚିହ୍ନଟ କେବଳ ବିଳମ୍ବ ହେଉନାହିଁ, କ୍ଷତିପୂରଣ ରାଶି ମିଳିବାରେ ବହୁ ସମୟ ଲାଗି ଯାଉଛି। ସୂଚନା ଯୋଗ୍ୟ, ଏପର୍ଯ୍ୟନ୍ତ କମିସନ୍ ସରକାରଙ୍କୁ ୬ଟି ଅନ୍ତରୀଣ ରିପୋର୍ଟ କ୍ଷୁଦ୍ର ଜମାକାରୀଙ୍କ ପ୍ରସଂଗରେ ପ୍ରଦାନ କରି ସାରିଲେଣି। ଗତ ଫେବ୍ରୁଆରି ୧୨ରେ କମିସନ୍ ଷଷ୍ଠ ରିପୋର୍ଟ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/06/chit.jpg)