ଚିଟ୍‌ଫଣ୍ଡ୍ ତଦନ୍ତ କମିସନ୍ କାର୍ଯ୍ୟାଳୟରେ ତାଲା ପଡ଼ିବ!

କଟକ : ଚିଟଫଣ୍ଡ ତଦନ୍ତ କମିସନ୍ କାର୍ଯ୍ୟାଳୟରେ ତାଲା ପଡ଼ିବାକୁ ଯାଉଛି। ଜଷ୍ଟିସ୍ ଏମ୍.ଏମ୍. ଦାସ କମିସନ୍‌ଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ୨୦୨୦, ଫେବ୍ରୁଆରି ୪ରୁ ଶେଷ ହୋଇଥିବା ବେଳେ ସରକାର ଏହି ପ୍ରସଂଗରେ ଚୁପ୍ ରହିଛନ୍ତି। ତଦନ୍ତ ପ୍ରକ୍ରିୟା ଆଗେଇବ ନା ବନ୍ଦ ହେବ ସେ ନେଇ ସରକାର କିଛି କହୁ ନଥିବାବେ‌ଳେ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ଜୁଲାଇ ୧୭ ତାରିଖ ସୁଦ୍ଧା ସ୍ଥିତି ସ୍ପଷ୍ଟ କରିବାକୁ ଗତ ମାସରେ ଚିଠି ଲେଖା ଯାଇଥିଲା। ଏ ନେଇ କମିସନଙ୍କ କାର୍ଯ୍ୟାଳୟ ପକ୍ଷରୁ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖାଯାଇଥିଲା। ଯଦି ଏଭଳି ସ୍ଥିତି ଲାଗି ରୁହେ ତେବେ ଡିଜିଟାଇଜେସନ୍ କେନ୍ଦ୍ର ସମେତ କାର୍ଯ୍ୟାଳୟରେ ତାଲା ପକାଇବାକୁ କର୍ମଚାରୀଙ୍କୁ କୁହାଯିବ ବୋଲି ଚିଠିରେ କୁହାଯାଇଥିଲା। ଏହି ଅବଧି ଶେଷ ହୋଇଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଏହି ପ୍ରସଂଗରେ କିଛି ପଦକ୍ଷେପ ନିଆଯାଇ ନାହିଁ। କାହାକୁ କମିସନଙ୍କ କାର୍ଯ୍ୟାଳୟର ଦାୟିତ୍ବ ଗ୍ରହଣ ପାଇଁ ସରକାରଙ୍କ ପକ୍ଷରୁ ପଠାଯାଇ ନଥିବା ବେଳେ ଆଗକୁ କଣ କରାଯିବ ସେ ନେଇ କିଛି ମଧ୍ୟ ସ୍ପଷ୍ଟ କରାଯାଇ ନାହିଁ। ଅନ୍ୟପକ୍ଷରେ କମିସନଙ୍କ କାର୍ଯ୍ୟାଳୟର କର୍ମଚାରୀମାନେ ୫ମାସ ହେବ ଦରମା ପାଇ ନାହାନ୍ତି। ଏଥିସହିତ କମିସନଙ୍କ କଟକ ବକ୍ସିବଜାର ପୁଲିସ ଲାଇନ୍‌ସ୍ଥିତ କାର୍ଯ୍ୟାଳୟରେ କମ୍ପ୍ୟୁଟର, ଆସବାବପତ୍ର, ଗୁରୁତ୍ବପୂର୍ଣ୍ଣ ରେକର୍ଡ ଓ ଲକ୍ଷାଧିକ ସତ୍ୟପାଠ ପଡି ରହିଛି। ତେଣୁ ଏସବୁର ଦାୟତ୍ବ କିଏ ନେବ ତାକୁ ନେଇ ମଧ୍ୟ ଏବେ ପ୍ରଶ୍ନ ଉଠିଛି। କମିସନଙ୍କ କାର୍ଯ୍ୟାଳୟରେ ପଡ଼ି ପଡ଼ି ଏ ସବୁ ଖତ ଖାଇବାର ସମ୍ଭାବନା ରହିଛି।

ଘଟଣାର ବିବରଣୀରୁ ପ୍ରକାଶ, ଚିଟ୍‌ଫଣ୍ଡ ମହାଦୁର୍ନୀତିର ତଦନ୍ତ ପାଇଁ ୨୦୧୩, ଜୁଲାଇ ୯ରେ ସରକାର ଘଟଣାର ବିଚାରବିଭାଗୀୟ ତଦନ୍ତ ପାଇଁ ଜଣିକିଆ କମିସନ୍‌ ଗଠନ କରିଥିଲେ। ପ୍ରଥମରୁ ୫ଟି ପ୍ରସ˚ଗରେ ତଦନ୍ତ ପାଇଁ କମିସନଙ୍କୁ ଦାୟିତ୍ବ ପ୍ରଦାନ କରାଯାଥିଲା। ବେଆଇନ ଅର୍ଥ କାରବାର ଓ ଠକ କମ୍ପାନିଗୁଡିକ ଦ୍ବାରା ପ୍ରଭାବିତ ହୋଇଥିବା ପ୍ରକୃତ ଜମାକାରୀଙ୍କୁ ଚିହ୍ନଟ ପ୍ରସଂଗରେ ତଦନ୍ତ ଦାୟିତ୍ବ କମିସନଙ୍କୁ ପ୍ରଦାନ କରାଯାଇଥିଲା। ପୂର୍ବରୁ ପ୍ରକୃତ ଜମାକାରୀ (ଇନ୍‌ଭେଷ୍ଟର)ଙ୍କୁ ଚିହ୍ନଟ କରାଯିବ ବେଲି ‘ଟର୍ମସ୍ ଅଫ୍ ରେଫରେନ୍ସ୍‌’ରେ ରହିଥିଲା। କିନ୍ତୁ ୨୦୧୯, ଡିସେମ୍ବର ୧୧ରେ ପ୍ରକାଶିତ ପରିବର୍ତ୍ତିତ ବା ସଂଶୋଧିତ ବିଜ୍ଞପ୍ତିରେ ଜମାକାରୀ ବଦଳରେ କ୍ଷୁଦ୍ର ଜମାକାରୀ (ସ୍ମଲ୍ ଇନଭେଷ୍ଟର୍‌) ବୋଲି ଉଲ୍ଲେଖ କରାଯାଇଥିଲା। ଫଳରେ କମିସନ୍ କେବଳ କ୍ଷୁଦ୍ର ଜମାକାରୀଙ୍କ ଚିହ୍ନଟ କରି ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବେ ବୋଲି ସ୍ପଷ୍ଟ ହୋଇଥିଲା। କମିସନ୍‌ ୪ ଲକ୍ଷ ୯୭ ହଜାର ୮୪୪ ଜଣ କ୍ଷୁଦ୍ର ଜମାକାରୀଙ୍କୁ ଚିହ୍ନଟ କରି ସରକାରଙ୍କୁ ୭ଟି ରିପୋର୍ଟ ପ୍ରଦାନ କରି ସାରିଛନ୍ତି। ଏ ପର୍ଯ୍ୟନ୍ତ ପ୍ରାୟ ୨୧ଶହ କ୍ଷୁଦ୍ର ଜମାକାରୀ କମିସନଙ୍କ ଜରିଆରେ ସେମାନଙ୍କ ଜମା ଟଙ୍କା ଫେରସ୍ତ ପାଇଛନ୍ତି। କମିସନ କ୍ଷୁଦ୍ର ଜମାକରୀଙ୍କ ପ୍ରସଂଗରେ ଖୁବ୍‌ଶୀଘ୍ର ଆଉ ଏକ ରିପୋର୍ଟ ପ୍ରଦାନ କରିବାକୁ ପ୍ରସ୍ତୁତ ହେଉଥିବା କୁହାଯାଉଥିବାବେଳେ କାର୍ଯ୍ୟକାଳ ଆଉ ବଢ଼ି ନଥିଲା। ଗତ ଫେବ୍ରୁଆରି ୪ରେ କମିସନଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହୋଇଥିଲା। କାର୍ଯ୍ୟକାଳ ବୃଦ୍ଧି ନେଇ ସରକାର କିଛି ଘୋଷଣା ନ କରିବା ପରେ ମାର୍ଚ୍ଚ ୩ରୁ କମିସନ୍ ଅଧ୍ୟକ୍ଷ କାର୍ଯ୍ୟାଳୟକୁ ଆସୁ ନଥିବାବେଳେ କେବଳ କର୍ମଚାରୀମାନେ ଆସୁଥିଲେ। କମିସନଙ୍କ କାର୍ଯ୍ୟାଳୟରେ ଚିଟଫଣ୍ଡ୍‌ ତଦନ୍ତ ସଂପର୍କିତ ବହୁ ଗୁରୁତ୍ବପୂର୍ଣ୍ଣ ରେକର୍ଡ ରହିଥିବା ବେଳେ ନିକଟରେ ଦାଖଲ ହୋଇଥିବା ପ୍ରାୟ ସାଢେ ୭ ଲକ୍ଷ ସାନି ସତ୍ୟପାଠ ମଧ୍ୟ ପଡ଼ି ରହିଛି।

ସମ୍ବନ୍ଧିତ ଖବର