ଚିଟ୍‌ଫଣ୍ତ: ତଥ୍ୟ ନାହିଁ ନା ଲୁଚାଯାଉଛି?

ଭୁବନେଶ୍ବର : ଚିଟ୍‌ଫଣ୍ତ୍‌ ଠକେଇରେ ଶିକାର ପ୍ରାୟ ୧୩ ଲକ୍ଷ କ୍ଷୁଦ୍ର ଜମାକାରୀ ସରକାରଙ୍କ ପରିବର୍ତ୍ତିତ ସର୍ତ୍ତ ଅନୁଯାୟୀ କ୍ଷତିପୂରଣ ରାଶି ପାଇବାକୁ ଚାହିଁ ବସିଛନ୍ତି। କରୋନାର ଦ୍ବିତୀୟ ଲହର ଥମିବା ପରେ ଦାବି ପୂରଣ ଲାଗି ସେମାନେ ଆରମ୍ଭ କରିଛନ୍ତି ବିକ୍ଷୋଭ ଓ ପ୍ରତିବାଦ ସଭା। ହଜାର ହଜାର କୋଟି ଟଙ୍କାର ଚିଟ୍‌ଫଣ୍ତ୍‌ ଠକେଇ ମାମଲାର ସବିଆଇ ତଦନ୍ତ ଶୋଇଯାଇଛି ସତ, ମାତ୍ର ଏହି ମାମଲାରେ ଆନ୍ଧ୍ରର ପୂର୍ବତନ ବିଧାୟକ ଏମ୍‌.ବିଜୟ ପ୍ରସାଦଙ୍କୁ କ୍ରାଇମ୍‌ ବ୍ରାଞ୍ଚ ସଦ୍ୟ ଗିରଫ କରିବା ପରେ ଏହି ପ୍ରସଙ୍ଗ ଯେ ତାଜା-ସେଥିରେ ସନ୍ଦେହ ନାହିଁ। ତେବେ ବିସ୍ମୟର ବିଷୟ ହେଲା-ଏଭଳି ବହୁଚର୍ଚ୍ଚିତ ଠକେଇ ସମ୍ପର୍କରେ ‘ସରକାରଙ୍କ ପାଖରେ ତାଜା ତଥ୍ୟ ନାହିଁ, ବର˚ ତଥ୍ୟ ସ˚ଗ୍ରହ କରାଯାଉଛି’ ବୋଲି ଅର୍ଥମନ୍ତ୍ରୀ ନିର˚ଜନ ପୂଜାରୀ ସଦ୍ୟ ସମାପ୍ତ ବିଧାନସଭା ଅଧିବେଶନରେ ସ୍ବୀକାର କରିଛନ୍ତି। ଅଧିକ ରହସ୍ୟଜନକ ହେଲା: ଛଅ ମାସ ପୂର୍ବେ ବିଧାୟକ ସୌମ୍ୟର˚ଜନ ପଟ୍ଟନାୟକଙ୍କ ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଯେଉଁ ତଥ୍ୟ ଦେଇଥିଲେ, ଏବେ ତାହାର ଅଗ୍ରଗତି ସମ୍ପର୍କରେ କାଣିଚାଏ ସୂଚନା ନ ଦେବା!

ସଦ୍ୟ ସମାପ୍ତ ସ˚କ୍ଷିପ୍ତ ଅଧିବେଶନରେ ବିଧାୟକ ସୌମ୍ୟ ର˚ଜନ ପଟ୍ଟନାୟକଙ୍କ ଗୋଟିଏ ପ୍ରଶ୍ନ ଥିଲା, ‘ କ୍ଷତିଗ୍ରସ୍ତ କ୍ଷୁଦ୍ର ଜମାକାରୀଙ୍କୁ ସହାୟତା ଦେବା ଲାଗି ସରକାର ଯେଉଁ ୩୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଗଠନ କରିଥିଲେ, ସେଥିରୁ ସେମାନଙ୍କୁ କେତେ ସହାୟତା ଦିଆଯାଇଛି ଏବ˚ ଦ୍ବିତୀୟ ପର୍ଯ୍ୟାୟରେ ବିଚାର ବିଭାଗୀୟ ତଦନ୍ତ କମିଶନ୍‌ଙ୍କ ନିକଟରେ ଦାଖଲ ହୋଇଥିବା ୭ ଲକ୍ଷରୁ ଅଧିକ ସତ୍ୟପାଠର ଡିଜିଟାଇଜେସନ୍‌ ଶେଷ ହେଲାଣି କି?’ ଅର୍ଥମନ୍ତ୍ରୀଙ୍କ ଉତ୍ତର ହେଲା-‘ ତଥ୍ୟ ସ˚ଗ୍ରହ କରାଯାଉଛି।’ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଏକ ପ୍ରଶ୍ନ ଥିଲା-‘ ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ପୂର୍ବରୁ ବିଚାର ବିଭାଗୀୟ କମିଶନ୍‌ଙ୍କ ତଦନ୍ତ ପ୍ରକ୍ରିୟା ବନ୍ଦ ହୋଇଯାଇଥିବାରୁ ଅସମ୍ପୂର୍ଣ୍ଣ କାର୍ଯ୍ୟ କେଉଁ କତ୍ତୃର୍ପକ୍ଷଙ୍କ ଇଜିଲାସ୍‌ରେ ଚାଲିଛି?’ ଏହାର ଉତ୍ତର ବି ପୂର୍ବ ଭଳି ସମାନ। ମାତ୍ର ୬ ମାସ ପୂର୍ବେ ଗତ ବଜେଟ୍‌ ଅଧିବେଶନ କାଳରେ ଶ୍ରୀ ପଟ୍ଟନାୟକଙ୍କ ୩ଟି ପ୍ରଶ୍ନର ଉତ୍ତରରେ ଅର୍ଥମନ୍ତ୍ରୀ ଦର୍ଶାଇଥିଲେ ଯେ ବିଚାର ବିଭାଗୀୟ ତଦନ୍ତ କମିଶନ୍‌ଙ୍କ ୭ଟି ଅନ୍ତରୀଣ ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ସୁପାରିଶ ମୁତାବକ କ୍ଷେତ୍ରୀୟ ତଦନ୍ତ ପରେ ଚିହ୍ନଟ କ୍ଷତିଗ୍ରସ୍ତଙ୍କୁ କର୍ପସ୍‌ ପାଣ୍ଠିରୁ ସହାୟତା ପ୍ରଦାନ ପ୍ରକ୍ରିୟା ଚାଲୁରହିଛି। ଦ୍ବିତୀୟ ପର୍ଯ୍ୟାୟରେ ଦାଖଲ ସତ୍ୟପାଠ ମଧୢରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ଜମା କରିଥିବା କ୍ଷତିଗ୍ରସ୍ତଙ୍କୁ ଚିହ୍ନଟ କରି ସେମାନଙ୍କ ସତ୍ୟପାଠଗୁଡ଼ିକର ଡିଜିଟାଇଜେସନ୍‌ ନିମନ୍ତେ ଓକାକ୍‌କୁ ନିୟୋଜିତ କରାଯାଇଛି। ଅଥଚ ଏହି ଅଧିବେଶନରେ ମନ୍ତ୍ରୀ ତାଙ୍କ ପୂର୍ବ ଉତ୍ତରର କୌଣସି ଅଗ୍ରଗତି ସମ୍ପର୍କରେ ସୂଚନା ନଦେଇ ‘ ତଥ୍ୟ ସ˚ଗ୍ରହ କରାଯାଉଛି’ କହି ଦାୟିତ୍ବ ଶେଷ କରିଛନ୍ତି। ଗତ ବଜେଟ୍‌ ଅଧିବେଶନରେ ଶ୍ରୀ ପଟ୍ଟନାୟକଙ୍କ ଅନ୍ୟ ଦୁଇଟି ପ୍ରଶ୍ନରେ ଅର୍ଥ ମନ୍ତ୍ରୀ ବିଶଦ ବିବରଣୀ ଦେଇ କହିଥିଲେ, ମେସର୍ସ ସି ସୋର‌୍‌ ଗ୍ରୁପ୍‌ ଓ ଅନ୍ୟ ୨୪ଟି କମ୍ପାନିର ସମ୍ପତ୍ତି ବାଜ୍ୟାପ୍ତ ନିମନ୍ତେ ସରକାରଙ୍କ ଅନ୍ତରୀଣ କୋରଖ ଆଦେଶକୁ ପଦନାମିତ ନ୍ୟାୟାଳୟଗୁଡ଼ିକ କାଏମ୍‌ ରଖିଥିବାରୁ ସେମାନଙ୍କ ସମ୍ପତ୍ତି ବିକ୍ରିରୁ ଲବ୍ଧ ଅର୍ଥ ପ୍ରକୃତ ଜମାକାରୀଙ୍କୁ ଫେରସ୍ତ ଲାଗି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମାତ୍ର ସଦ୍ୟ ସମାପ୍ତ ଅଧିବେଶନରେ ଶ୍ରୀ ପଟ୍ଟନାୟକଙ୍କ ଏ ସ˚କ୍ରାନ୍ତ ନିର୍ଦ୍ଦିଷ୍ଟ ପ୍ରଶ୍ନ ବିଧାନସଭା ପ୍ରଶ୍ନାବଳୀରେ ସ୍ଥାନ ପାଇନାହିଁ, ତେଣୁ ଉତ୍ତର ମିଳିବାର ଅବକାଶ ନାହିଁ।

ସୂଚନାଯୋଗ୍ୟ, ୨୦୧୩ ବେଳକୁ ଚିଟ୍‌ ଫଣ୍ତ୍‌ ଠକେଇ ଏକ ପ୍ରମୁଖ ଗଣପ୍ରସଙ୍ଗ ପାଲଟିଥିବା ଦେଖି ଏହାର ତଦନ୍ତ ଲାଗି ସରକାର ବିଚାର ବିଭାଗୀୟ ତଦନ୍ତ କମିଶନ୍‌ ବସାଇଥିଲେ। ଚିଟ୍‌ ଫଣ୍ତ୍‌ ମାମଲାଗୁଡ଼ିକର ତ୍ବରିତ୍‌ ବିଚାର ଲକ୍ଷ୍ୟରେ ସରକାର ୨୦୧୪ ନିର୍ବାଚନ ପୂର୍ବରୁ ‘ ଓଡ଼ିଶା ଜମାମାକରୀ ସ୍ବାର୍ଥ ସୁରକ୍ଷା ଆଇନ୍‌’ ଆଣି ସ୍ବତନ୍ତ୍ର କୋର୍ଟ ସ୍ଥାପନ କରିବା ସହ ପଶ୍ଚିମ ବଙ୍ଗ ଢ଼ାଞ୍ଚାରେ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସହାୟତା ଦେବା ଲାଗି ୩୦୦ କୋଟି ଟଙ୍କାର କର୍ପସ୍‌ ପାଣ୍ଠି ଘୋଷଣା କରିଥିଲେ। ଇତିମଧୢରେ ୭ ବର୍ଷ ଅତିକ୍ରାନ୍ତ ହେବାକୁ ବସିଥିଲା ବେଳେ ୭ ହଜାର କ୍ଷୁଦ୍ର ଜମାକାରୀ (୧୦ ହଜାର ଟଙ୍କା ପର୍ଯ୍ୟନ୍ତ) ସହାୟତା ପାଇ ନାହାନ୍ତି। ମାତ୍ର ଗୋଟିଏ ସ˚ସ୍ଥା ବ୍ୟତୀତ କୌଣସି ବଡ଼ବଡ଼ ଚିଟ୍‌ ଫଣ୍ତ୍‌ କମ୍ପାନିଙ୍କ ସମ୍ପତ୍ତି ନିଲାମ ହୋଇନାହିଁ। ତେଣୁ ଚିଟ୍‌ ଫଣ୍ତ୍‌ ଠକେଇରେ ଶିକାର କ୍ଷତିଗ୍ରସ୍ତମାନେ ସେହି ସୂତ୍ରରୁ ଲବ୍ଧ ଅର୍ଥ କେବେ ପାଇବେ, ତାହା ଅନିଶ୍ଚିତ।

ସମ୍ବନ୍ଧିତ ଖବର