ଚିଟ୍‌ଫଣ୍ଡ୍‌ ଠକେଇ: କିନି ଇନ୍‌ଫୋଟେକ୍‌ର ୪ କର୍ମଚାରୀ ଦିଲ୍ଲୀରୁ ଗିରଫ

କୋର୍ଟ ଚାଲାଣ କଲା ଭଞ୍ଜନଗର ପୁଲିସ, କ୍ରାଇମବ୍ରାଞ୍ଚ ଇଓବ୍ଲୁକୁ ତଦନ୍ତ ଭାର

ଭଞ୍ଜନଗର : ଗଞ୍ଜାମ ଜିଲ୍ଲା ଭଞ୍ଜନଗର ସହର ହାଇସ୍କୁଲ୍ ଛକରେ ‘କିନି ଇନଫୋଟେକ୍‌’ ନାମକ ଏକ ଘରୋଇ ଅର୍ଥଲଗାଣକାରୀ ସଂସ୍ଥା ଖୋଲାଯାଇଥିଲା। ହଜାର ହଜାର ଜମାକାରୀଙ୍କ ଠାରୁ ଏହି ସଂସ୍ଥା ବହୁକୋଟି ଟଙ୍କା ଠକି ନେଇଥିଲା। ଏ ନେଇ ଥାନାରେ ମାମଲା ରୁଜୁ ହେବାପରେ ସଂସ୍ଥାର ଅସଲ ମୁଖା ଖୋଲିଛି। ଉକ୍ତ ଘ‌ରୋଇ ଅର୍ଥଲଗାଣକାରୀ ସଂସ୍ଥାର ୪ ଜଣ କର୍ମଚାରୀଙ୍କୁ ଭଞ୍ଜନଗର ପୁଲିସ ଦିଲ୍ଲୀରୁ ଗିରଫ କରିଛି।

ଗିରଫ ଅଭିଯୁକ୍ତମାନେ ହେଲେ, ରାଜେନ୍ଦ୍ର କୁମାର ଗୌଡ଼, ରାଜେଶ କୁମାର ଭୋଳ, ଚିନ୍ମୟ କୁମାର ଦାଶ ଓ ପ୍ରଭାତ କୁମାର ଦାଶ। କୋକଲୁଣ୍ଡା ଗ୍ରାମର ମନୋଜ କୁମାର ବରାଡ଼ ପ୍ରାୟ ୧ ଲକ୍ଷ ୩୦ ହଜାର ଟଙ୍କା ସଂସ୍ଥାରେ ଜମା କରିଥିଲେ ମଧ୍ୟ କମ୍ପାନି ଟଙ୍କା ଦେଉ ନଥିବା ଅଭିଯୋଗ ଆଣି ଥାନାରେ ଏତଲା ଦେବାପରେ କେସ୍ ନମ୍ବର ୪୦/୨୨ ଅନୁସାରେ ମାମଲା ରୁଜୁ ହୋଇଥିଲା। ତଦନ୍ତ ବେଳେ ଅଭିଯୁକ୍ତମାନେ ଦିଲ୍ଲୀରେ ଆତ୍ମଗୋପନ କରିଥିବା ଜଣାପଡ଼ିବା ପରେ ପୁଲିସର ଏକ ଟିମ୍ ପହଞ୍ଚି ସେମାନଙ୍କୁ କାବୁ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଧୀରେଶ କୁମାର ଦାଶ ସୂଚନା ଦେଇଛନ୍ତି।

ଅନ୍ୟପକ୍ଷରେ, ଏହି ସଂସ୍ଥାରେ କୋଟି କୋଟି ଟଙ୍କାର ବେଆଇନ୍ କାରବାର ହୋଇଥିବାରୁ ମାମଲାର ତଦନ୍ତଭାର କ୍ରାଇମ୍‌ବ୍ରାଞ୍ଚ୍‌ ଅର୍ଥନ‌ୈତିକ ଅପରାଧ ଶାଖା ହାତକୁ ନେଇଛି। ଏହି କ୍ରମରେ କ୍ରାଇମ୍‌ବ୍ରାଞ୍ଚ୍‌ ଇଓଡ୍ଲୁର ଏକ ଟିମ୍‌ ଡିଏସ୍‌ପି ପାହ୍ୟାର ଅଧିକାରୀଙ୍କ ନେତୃତ୍ବରେ ଭଞ୍ଜନଗର ଥାନାକୁ ଆସି ଏହି ମାମଲାର ଦସ୍ତାବିଜ ଗ୍ରହଣ କରିଛନ୍ତି। ଏଥିସହ ସାବିତ୍ରୀ ମହିଳା ମହାବିଦ୍ୟାଳୟ ନିକଟରେ ଥିବା ଏହି ସଂସ୍ଥାର କାର୍ଯ୍ୟାଳୟ ଏବଂ ବୁଗୁଡ଼ା ଥାନା ସୋରଡ଼ ଗ୍ରାମସ୍ଥିତ ମାଲିକଙ୍କ ଘରକୁ ଯାଇ ତଦନ୍ତ କରି ଫେରିଛନ୍ତି।

ବର୍ଷେ ତଳେ ଏହି ସଂସ୍ଥା ନିଜର କାର୍ଯ୍ୟାଳୟ ଖୋଲିଥିଲା। ଡିଟିପି ପ୍ରୋଜେକ୍ଟ୍ କିଣିବା ନାମରେ ବିଭିନ୍ନ ସ୍କିମ୍‌ ଜରିଆରେ ଲୋକଙ୍କ ଠାରୁ ଅର୍ଥ ଆଦାୟ କରୁଥିଲା। ଗତବର୍ଷ ଡିସେମ୍ବର ୨୭ ତାରିଖ ଠାରୁ ନିବେଶକାରୀମାନେ ସେମାନଙ୍କ ଟଙ୍କା ଫେରି ପାଇବାରେ ବହୁ ସମସ୍ୟାର ସମ୍ମୁଖୀନ ହେଉଥିଲେ। ଗତ ଜାନୁଆରି ୧୫ ତାରିଖରେ କିଛି ଲୋକ ଅଫିସ୍ ଭିତରେ ଧସେଇ ପଶି ଭଙ୍ଗାରୁଜା କରିବା ସହ ୪ଟି କମ୍ପ୍ୟୁଟର୍ ଓ ଗୋଟିଏ ପ୍ରିଣ୍ଟର୍ ନେଇ ଯାଇଥିଲେ।

ସମ୍ବନ୍ଧିତ ଖବର