ନୂଆ ରୂପରେ ଚିଟଫଣ୍ଡ କମ୍ପାନି: ଅଫ୍‌ଲାଇନ୍‌ରେ ପ୍ରଚାର, ଅନ୍‌ଲାଇନ୍‌ରେ ଠକେଇ

ସଭା, ସମିତି କରି ପୋଷ୍ଟର ମାରୁଛନ୍ତି, ଲୋଭ ଦେଖାଇ ଲୁଟୁଛନ୍ତି

ଭୁବନେଶ୍ୱର : ନୂଆ ରୂପରେ ଚିଟଫଣ୍ଡ କମ୍ପାନି। ଅଫଲାଇନରେ ଖୋଲାଖୋଲି ପ୍ରଚାର, ଅନଲାଇନରେ ଠକେଇ। ରାଜ୍ୟରେ ଏମିତି ଚିଟଫଣ୍ଡ କମ୍ପାନି ଜାଲ ବିଛାଇ ଲୋକଙ୍କୁ କୋଟି କୋଟି ଟଙ୍କା ଲୁଟୁଥିବା ସାମ୍ନାକୁ ଆସିଛି। ଏମିତି ଏକ ଘଟଣାର ଅନୁସନ୍ଧାନ ପରେ ଡିଜିଟାଲ୍ ରିଭୋଲ୍ୟୁସନ୍ ଟେକ୍ନୋଲୋଜି ଲିମିଟେଡ୍ ବିରୋଧରେ ମାମଲା ରୁଜୁ କରିଛି ଅର୍ଥନୈତିକ ଅପରାଧ ଶାଖା। ଏହାର ନିର୍ଦ୍ଦେଶକ ପ୍ରିନ୍ସ କୁମାର ଓ ଅନ୍ୟମାନଙ୍କ ବିରୋଧରେ ମଧ୍ୟ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଏହି କମ୍ପାନି ମୁମ୍ବାଇର। ୨୦୨୦ ଫେବ୍ରୁଆରିରେ ମୁମ୍ବାଇ ରେଜିଷ୍ଟ୍ରାର ଅଫ୍ କମ୍ପାନି(ଆରଓସି)ରେ ପଞ୍ଜୀକୃତ ହୋଇଛି। ରେଜିଷ୍ଟ୍ରେସନ୍‌ କରୁ କରୁ ୨୦୨୦ ମାର୍ଚ୍ଚରେ ଓଡ଼ିଶାରେ ଠକେଇ ଜାଲ ବିଛାଇଥିଲା। କମ୍ପାନି ନିର୍ଦ୍ଦେଶକ ପ୍ରିନ୍ସ କୁମାର ବାଲେଶ୍ବରରେ ବଡ଼ ସଭା କରି ଲୋକଙ୍କୁ ଲୋଭନୀୟ ସ୍କିମ କଥା କହିଥିଲେ। ଏପରିକି ସହରରେ ପୋଷ୍ଟର ମଧ୍ୟ ମରାଯାଇଥିଲା। ଏହା ଧୀରେଧୀରେ ଭଦ୍ରକ ଜିଲ୍ଲାକୁ ମଧ୍ୟ ବ୍ୟାପି ଥିଲା। ‘ଏହି କମ୍ପାନି ଆପଣଙ୍କ ନିଜର ଡିଜିଟାଲ୍ ବୈପ୍ଳବିକ ମାର୍କେଟିଂ’ ବୋଲି ନିର୍ଦ୍ଦେଶକ କହିଥିଲେ। ଯାହା ଖୁବ କମ୍ ଦିନ ଭିତରେ ଆପଣଙ୍କୁ ଲକ୍ଷପତି, କୋଟିପତି କରିଦେବ ବୋଲି କୁହାଯାଇଥିଲା। ଘରେ ବସି ଦେଶର ଡିଜିଟାଲ ବ୍ୟବହାର କରି ବଢ଼ିଆ ଆୟ କରିପାରିବେ ବୋଲି କୁହାଯାଇଥିଲା। ସେହିପରି କମ୍ପାନି ‘ଦେଶ କା ଡିଜିଟାଲ’ ଉପରେ କାମ କରିବା ସହ ନିଜ ଦେଶରେ ମୋବାଇଲ ଆପ୍ଲିକେସନ୍ ମଧ୍ୟ ତିଆରି କରୁଛି ବୋଲି ଲୋକଙ୍କୁ କହିଥିଲା। ଯେମିତି ଅନଲାଇନ୍ ସପିଂ ପାଇଁ ‘ସପ୍ ସବକୁଛ୍’, ୟୁପିଆଇ ପେମେଣ୍ଟ ଭଳି ‘ମାଇ ପେ’, ଟିକଟକ୍ ଭଳି ‘ଭିଡସ୍କପ୍’, ୟୁଟ୍ୟୁବ୍ ଭଳି ‘ମାଇ ଟ୍ୟୁବ୍ ଓ୍ଵାର୍ଲଡ୍’, ହ୍ବାଟସଆପ୍ ଭଳି ‘ଚିଠି’, ‘ଗୋ ଗେମ୍’ ଆପ୍ ରହିଥିବା ସେ ଲୋକଙ୍କୁ କହିଥିଲା। ବିଦେଶୀ ଆପ୍‌ ଯୋଗୁଁ ଅନ୍ୟ ଦେଶ ଧନୀ ହେଉଥିବା ବେଳେ ଆମ ଦେଶ ଗରିବ ହେଉଛି, ତେଣୁ ଦେଶୀ ଆପ୍ ବ୍ୟବହାର କରି ଲୋକ ବହୁ ଟଙ୍କା ବଞ୍ଚାଇ ପାରିବେ ବୋଲି କହି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା ନିର୍ଦ୍ଦେଶକ ପ୍ରିନ୍ସ।

ଡିଜିଟାଲ୍ ରିଭୋଲ୍ୟୁସନ୍ ଟେକ୍ନୋଲୋଜି ଠକିଛି କୋଟି କୋଟି ଟଙ୍କା

iPleaders Blog

ଯେଉଁମାନେ ୨ ହଜାର ଟଙ୍କାରୁ ଆରମ୍ଭ କରି ଦେଢ଼ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନିଯୋଗ କରିବେ, ସେମାନଙ୍କୁ ସାପ୍ତାହିକ ୬୮ ଟଙ୍କାରୁ ୬୪୬୦ ଟଙ୍କା ପର୍ଯ୍ୟନ୍ତ ବୋନସ୍ ମିଳିବ ବୋଲି କୁହାଯାଇଥିଲା। ବର୍ଷେ ପର୍ଯ୍ୟନ୍ତ ଏହି ସ୍କିମ୍ ଚାଲିବ। ଏପରିକି ଜମା ଅର୍ଥର ଦୁଇଗୁଣା ମିଳିବ ବୋଲି ଲୋଭ ଦେଖାଯାଇଥିଲା। ନୂଆ ଜମାକାରୀଙ୍କୁ ୫ପ୍ରତିଶତ ଡିଜିଟାଲ୍ ବୋନସ୍ ପାଇପାରିବେ ବୋଲି କହିଥିଲା ପ୍ରିନ୍ସ। ସେହିପରି ନୂଆ ଜମାକାରୀଙ୍କ ଉପରେ ରହିଥିବା ଜମାକାରୀ ୧୦ ପ୍ରତିଶତ ପାଇବେ ବୋଲି କୁହା ଯାଇଥିଲା। ବରିଷ୍ଠ ସଦସ୍ୟଙ୍କ ପାଇଁ ଏକ ଓ୍ୱେବସାଇଟ୍ ରହିଥିଲା ଓ ଇ-ମେଲ୍ ଆଇଡି ମଧ୍ୟ ଦିଆଯାଇଥିଲା। ତାହାକୁ ବ୍ୟବହାର କରି ସେମାନେ କାରବାର କରିବେ ବୋଲି କହିଥିଲା ନିର୍ଦ୍ଦେଶକ ପ୍ରିନ୍ସ। ସେହିପରି ବିଭିନ୍ନ ସୋସିଆଲ୍ ମିଡିଆ ସାଇଟ୍‌ର ଲିଙ୍କକୁ କ୍ଲିକ୍ କରି ଲାଇକ୍ କଲେ ବ୍ୟାଙ୍କ ଆକାଉଣ୍ଟକୁ ୧ ହଜାର ଟଙ୍କା ଆସିବ ବୋଲି ଲୋଭନୀୟ ଅଫର୍ ଦେଖାଇଥିଲା କମ୍ପାନି। ଯେଉଁମାନେ ୫ ଲକ୍ଷ ଟଙ୍କା ଜମା କରି ଫ୍ରାଞ୍ଚାଇଜ୍‌ ନେବେ, ସେମାନେ ସିଧାସ​ଳଖ ଜମାକାରୀଙ୍କ ଟଙ୍କା କାରବାର କରିବେ। ସେମାନଙ୍କୁ ପ୍ରତି କାରବାରର ୨ପ୍ରତିଶତ ଓ ଦୈନିକ ସର୍ବାଧିକ ୧୦ହଜାର ଟଙ୍କା ମିଳିବ। ସେହିପରି ମାର୍କେଟିଂ ଚେନ୍ ସିଷ୍ଟମ ଭଳି ଏହାର ସଦସ୍ୟତା ଗ୍ରହଣ କରାଯାଉଥିଲା। ଏହିଭଳି ବିଭିନ୍ନ ଲୋଭନୀୟ ସ୍କିମ୍ ଜରିଆରେ କମ୍ପାନି ୨୦୨୦ ମାର୍ଚ୍ଚରୁ ନଭେମ୍ବର ପର୍ଯ୍ୟନ୍ତ ଶତାଧିକ ଲୋକଙ୍କଠାରୁ ଦେଢ଼ କୋଟିରୁ ଅଧିକ ଟଙ୍କା ଠକେଇ କରିଥିବା ଇଓଡବ୍ଲୁର ପ୍ରାଥମିକ ଅନୁସନ୍ଧାନରୁ ଜଣାପଡ଼ିଛି। ବାଲେଶ୍ବରର ପ୍ରଶାନ୍ତ କୁମାର ମହାଳିକ ଓ ଅନ୍ୟମାନେ ଏ ସଂକ୍ରାନ୍ତରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ଆଇପିସି ଦଫା-୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦(ବି) ଏବଂ ଆଇଟି ଆଇନର ଧାରା-୬୬, ଓପିଆଇଡି ଆଇନର ଧାରା-୬ ଅନୁସାରେ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର