ମା’ ତାରିଣୀଙ୍କ ଚଇତି ପର୍ବର ପଞ୍ଚମ ଦିବସ

ଘଟଗାଁ: ମା’ ତାରିଣୀଙ୍କ ଚଇତି ପର୍ବର ପଞ୍ଚମ ଦିବସ ଦିନରେ ହଜାରହଜାର ଶ୍ରଦ୍ଧାଳୁ ମା’ଙ୍କୁ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି। ଆସନ୍ତାକାଲି ମହାବିଷୁବ ସଂକ୍ରାନ୍ତି ଥିବାରୁ ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଆସନ୍ତାକାଲି ଅଧିକ ଭିଡ଼ ପରିଲକ୍ଷିତ ହେବ ବୋଲି ଆଶା ରହିଛି। ଶୃଙ୍ଖଳା ଦର୍ଶନ ପାଇଁ ୮ଟି ଧାଡ଼ି ବ୍ୟବସ୍ଥା କରାଯାଇଛି। ଯଦି ଭିଡ଼ ଲାଗି ରୁହେ ତେବେ ମା’ଙ୍କ ପହଡ଼ ପଡ଼ିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ଆଜି ମା’ଙ୍କ ବରିଷ୍ଠ ପୂଜକ ପର୍ଶୁରାମ ଦେହୁରୀ, ପ୍ରଦୀପ ଦେହୁରୀ ସମେତ ୧୫ରୁ ଅଧିକ ପୂଜକ ମା’ଙ୍କ ଷୋଡ଼ଶୋପଚାର ସହ ମାଜଣା, ମଙ୍ଗଳଆଳତି, ବଡ଼ସିଂହାର ବେଶ, ସୁନାବଶ କରିଥିଲେ। ଘଟଗାଁ ବ୍ରାହ୍ମଣସମାଜ ତରଫରୁ ଭୋରୁ ଦେବୀସ୍ତୁତି ଓ ଗୀତାପାଠ କରାଯାଇଥିଲା। ପୀଠରେ ହୋମଯଜ୍ଞ, ଭାଗବତ ପାରାୟଣ, ଚଣ୍ଡିପାଠ, ସତ୍ୟନାରାୟଣ ପୂଜା ଆଦି କରାଯାଇଥିଲା।

ପହଡ଼ ଖୋଲିବା ମାତ୍ରେ ଶ୍ରଦ୍ଧାଳୁମାନେ ଲମ୍ବାଧାଡ଼ିରେ ଯାଇ ମା’ଙ୍କ ଦର୍ଶନ ଲାଭ କରିଥିଲେ। ଆଜି ଦିନ ତମାମ ମନ୍ଦିର ପରିସରରେ ଭକ୍ତଙ୍କ ସମାଗମ ଲାଗି ରହିଥିଲା। ସ୍ଥାନୀୟ ପ୍ରଜାପିତା ବ୍ରହ୍ମାକୁମାରୀ ଈଶ୍ବରୀୟ ତରଫରୁ ଆଧ୍ୟାତ୍ମିକ ଚୈତନ୍ୟ ମଣ୍ଡପକୁ ଟ୍ରଷ୍ଟ ବୋର୍ଡ ସଭାପତି ରାଜେନ୍ଦ୍ରକୁମାର ପଟ୍ଟନାୟକ ଫିତାକାଟି, ନଡ଼ିଆଭାଙ୍ଗି ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟବୋର୍ଡର ବରିଷ୍ଠ ସଦସ୍ୟ କ୍ଷୀରୋଦକୁମାର ଦାସ, ଆନନ୍ଦଚନ୍ଦ୍ର ସିଂହ, ନିର୍ମଳକୁମାର ମହାନ୍ତି, ପ୍ରମୋଦକୁମାର ଦେହୁରୀ, ରୁଦ୍ରନାରାୟଣ ମହାନ୍ତ, ଦୟାନିଧି ମହାନ୍ତ ଓ ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସଂଜୀବକୁମାର ମହାପାତ୍ର, ଦେବୋତ୍ତର ନିରୀକ୍ଷକ ତ୍ରିଲୋଚନ ନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଉକ୍ତ ଝାଙ୍କିର କାର୍ଯ୍ୟକ୍ରମ ଦେଖିବାକୁ ପୂର୍ବାହ୍ନ ୧୧ଟାରୁ ଅପରାହ୍ଣ ୫ଟାଯାଏ ପ୍ରବଳ ଭିଡ଼ ଲାଗି ରହିଥିଲା। ଅନ୍ୟପ‌କ୍ଷରେ ସାଂସ୍କୃତିକ ମଣ୍ଡପରେ ସକାଳ ୮ଟାରୁ ପ୍ରଥମ ପର୍ଯ୍ୟାୟରେ କଳିଙ୍ଗ କଲଚରାଲ ଏକାଡେମୀ କେନ୍ଦୁଝର ନୃତ୍ୟଗୀତ, ଦ୍ବିତୀୟ ପର୍ଯ୍ୟାୟରେ ବୀଣାପାଣି କଳାନିକେତନ ଶାଳପଡ଼ା ତରଫରୁ ଅନୁରୂପ ନାଚଗୀତ, ତୃତୀୟ ପର୍ଯ୍ୟାୟରେ ଭୁବନେଶ୍ବରସ୍ଥିତ ବିଶ୍ବଶାନ୍ତି ଭଜନସଂଧ୍ୟା ତରଫରୁ ଭଜନ ପରିବେଷଣ କରାଯାଇଥିଲା। ଚତୁର୍ଥ ପର୍ଯ୍ୟାୟରେ ବାରିପଦାର ସୁଲୋଚନା ଝୁମର ମେଲୋଡ଼ି ଦ୍ବାରା ଝୁମର ନାଚ ଓ ଗୀତ ପରିବେଷଣ କରାଯାଇଥିଲା। ଝୁମର ନାଚଗୀତରେ ଦର୍ଶକ ବିଭୋର ହୋଇଥିଲେ। ଝୁମର ନାଚରେ ନାଚିନାଚି ଖୁସି ମଜା ଉଠାଇଥିଲେ ଦର୍ଶକ। ‌

ସେହିପରି ଟ୍ରଷ୍ଟବୋର୍ଡ ତରଫରୁ ସଂଧ୍ୟାରେ ଚକୁଳିପିଠା ବଣ୍ଟନ କରାଯାଇଥିଲା। ବାଲେଶ୍ବରର ତାରିଣୀ ଏଜେନ୍ସି ତରଫରୁ ସମସ୍ତଙ୍କୁ ଦିନ ୧୦ଟାରୁ ଅପରାହ୍ଣ ୩ଟା ଯାଏ ପ୍ରସାଦ ବଣ୍ଟନ କରାଯାଇଥିଲା। ସଂଧ୍ୟାରେ ପ୍ରବଚକ ପ୍ରମୋଦ ପୃଷ୍ଟିଙ୍କ ଦ୍ବାରା ମାଳିକା  ପ୍ରବଚନ ଦେଇଥିଲେ। ରାତିରେ ଗାୟକ ସୁବାସଚନ୍ଦ୍ର ରାୟ ଓ ବନମାଳୀ ଓଝାଙ୍କ ଦ୍ବାରା ବାଦୀପାଲା ପରିବେଷଣ କରାଯାଇଥିଲା।

ଦୀର୍ଘ ଦୁଇବର୍ଷ ପରେ ଚଇତିପର୍ବ ଓ ହିନ୍ଦୁନବବର୍ଷକୁ ‌ସ୍ବାଭାବିକ ଭାବରେ ମନ୍ଦିର ତରଫରୁ ପାଳନ କରାଯାଉଥିବାରୁ ଆସନ୍ତାକାଲି ପୀଠରେ ଦୁଇଲକ୍ଷ ଭକ୍ତଙ୍କ ସମାଗମ ହେବ ବୋଲି ଟ୍ରଷ୍ଟବୋର୍ଡ ତରଫରୁ ଅନୁମାନ କରାଯାଇ ସମସ୍ତପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯାଇଛି। ସମସ୍ତଙ୍କ ପାଇଁ କାଲି ବିଷୁବସଂକ୍ରାନ୍ତି ଉପଲକ୍ଷେ ଟ୍ରଷ୍ଟ‌‌ବୋର୍ଡ ତରଫରୁ ସକାଳ ୭ଟାରୁ ପଣାର ବ୍ୟବସ୍ଥା କରାଯାଇଛି। ଏଥିପାଇଁ ଆଜିଠାରୁ ୩୦ରୁ ଊର୍ଦ୍ଧ୍ବ ସ୍ବେଚ୍ଛାସେବୀ କାମରେ ଲାଗିଛନ୍ତି।

ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ମନ୍ଦିର ତରଫରୁ ୫ଶହ ସ୍ବେଚ୍ଛାସେବୀ ନିୟୋଜିତ କରାଯାଇଥିବା ବେଳେ ପ୍ରଶାସନ ତରଫରୁ ବ୍ୟାପକ ପୁଲିସ ବ୍ୟବସ୍ଥା କରାଯାଇଛି। ମନ୍ଦିରରେ ଶ୍ରଦ୍ଧାଳୁମାନେ ସର୍ବାଧିକ ଦୁଇଟି ନଡ଼ିଆ ଭୋଗ ଲାଗି କରିପାରିବେ। ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଲେ ମା’ଙ୍କ ପହଡ଼ ପଡ଼ିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର