ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ: ବିଜେଡି ଟିକଟ ଆଶାୟୀଙ୍କ ଏବେ ଦଳ ବଦଳ ଲବି

ମାଲକାନଗିରି: ମାଲକାନଗିରି ଜିଲ୍ଲାର ଦୁଇଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଏବଂ ମାଲକାନଗିରି ମଧ୍ୟରୁ ବୁଧବାର ବିଜେଡି ସୁପ୍ରିମୋ ମାଲକାନଗିରି ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା କରିଥିଲେ, ପୂର୍ବରୁ ଯାହା ଆଲୋଚନା ହେଉଥିଲା ମାଲକାନଗିରି ନିର୍ବାଚନ ମଣ୍ଡଳୀ ପାଇଁ ମାତ୍ର ଜଣେ ମାନସ ମାଡକାମୀ ହିଁ ଉଚିତ ପ୍ରାର୍ଥୀ ଦଳ ତାହା ହିଁ ଘୋଷଣା କରିଥିଲା। ଚିତ୍ରକୋଣ୍ଡାରେ କିନ୍ତୁ ଆଶାୟୀଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ବିଜେଡି ଦଳ ପାଇଁ ଏବେ ମୁଣ୍ଡ ବ୍ୟଥା ସାଜିଛି।ଦଳ କୌଣସି ଆଶାୟୀ ପ୍ରାର୍ଥୀ ଉପରେ ଆସ୍ଥା ପ୍ରକଟ କରିପାରୁ ନଥିବା ଜଣାପଡିଛି। ଅନ୍ୟଦିଗରେ ଗୋଷ୍ଠୀ କନ୍ଦଳ ପଦାରେ ପଡିଛି। ଗୋଡ ଟଣାଟଣି ହେଉଥିବାରୁ ଦଳ ପ୍ରାର୍ଥୀ ଘୋଷଣା ଝୁଲନ୍ତା ଅବସ୍ଥାରେ ରଖିଛି।

ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଯେଉଁମାନେ ଆଶାୟୀ ରହିଛନ୍ତି ସେମାନେ ବିଜେଡିରେ ଆଉ ଟିକଟ ନମିଳିବା ନେଇ ସ୍ପଷ୍ଟ ହୋଇସାରିଲେଣି। ତେଣୁ ଦଳ ବଦଳ କରିବା ନେଇ ଯୋଜନା ପ୍ରସ୍ତୁତି କରୁଛନ୍ତି। ଏପରିକି ବିଜେଡିର ଆଶାୟୀମାନେ ବିଜେପି ଓ କଂଗ୍ରେସର ଟିକଟ ହାତେଇବାକୁ ସମସ୍ତ ପ୍ରୟାସ ଆରମ୍ଭ କରିଦେଇଛନ୍ତି। ସେଥିମଧ୍ୟରୁ ଜଣେ କିମ୍ବା ଦୁଇ ଜଣ ସଫଳ ହୋଇଥିବା ଆଲୋଚନା ଜୋର ଧରିଛି। ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ ଯେତେ ଜଣ ପ୍ରାର୍ଥୀ ହେବା ନେଇ ଦରଖାସ୍ତ ଦେଇଛନ୍ତି, ସେଥିମଧ୍ୟରୁ ଜଣେ ବି ଉଚିତ ପ୍ରାର୍ଥୀ ବୋଲି ଦଳ ଭାବୁନଥିବା ଜଣାପଡିଛି।

ତେବେ ଦଳ ପୁରୁଣା ମୁହଁ ନେଇ ପୁଣି ମଇଦାନକୁ ଓହ୍ଲାଇବ ନା ନୂଆ ମୁହଁକୁ ଟିକଟ ଦେବ ତାହାକୁ ନେଇ ଜିଲ୍ଲାରେ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। ବିଜେଡି ସୁପ୍ରିମୋ ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ପ୍ରାର୍ଥୀ ଘୋଷଣା ନକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିନଥିଲା। କାରଣ ଏହି ନିର୍ବାଚନ ମଣ୍ଡଳୀର ଟିକଟ ପାଇବା ପାଇଁ ଯେଉଁମାନେ ଆଗଧାଡିରେ ରହିଛନ୍ତି ସେମାନଙ୍କୁ ଅନ୍ୟ ଆଶାୟୀମାନେ ବିରୋଧ କରୁଛନ୍ତି। ଏପରିକି ଯିଏ ଟିକଟ ପାଇବା ନେଇ ସ୍ପଷ୍ଟ ହୋଇଯାଇଥିବା ବୋଲି ଚର୍ଚ୍ଚା ହେଲା। ତାର ଗୋଡ ଝିକିବା ଆରମ୍ଭ କରିଦେଲେ ବିରୋଧୀ ଗୋଷ୍ଠୀ ।ବିଜେଡିରେ ଆଉ ଟିକଟ ପାଇବା ଆଶା ଛାଡି ଆଶାୟୀମାନେ ଅନ୍ୟ ଦଳ ପ୍ରତି ନିଜର ଆସ୍ଥା ପ୍ରକଟ କରୁଛନ୍ତି।

ତେବେ ଅନ୍ୟ ଦଳ ମଧ୍ୟ ସେମାନଙ୍କ ନିକଟରେ ସେମିତି ଆଖିଦୃଶିଆ ପ୍ରାର୍ଥୀ ନଥିବାରୁ ବିଜେଡିର ଆଶାୟୀମାନଙ୍କୁ ନେବା ପାଇଁ ଏକ ପ୍ରକାର ଯୋଜନା ମଧ୍ୟ କରୁଥିବା ଜଣାପଡ଼ିଛି। ବିଜେଡିରେ ଦଶରୁ ଉର୍ଦ୍ଧ୍ବ ଆଶାୟୀ ରହିଥିବାରୁ ବିଜେଡି ପାଇଁ ଏବେ ମୁଣ୍ଡ ବ୍ୟଥା ହୋଇଛି। ନୂଆନୂଆ ଆଶାୟୀ ଏହି ଦୌଡ଼ରେ ଯୋଡ଼ି ହେଉଥିବାରୁ ଦଳ ପାଇଁ ଚିନ୍ତା ବଢାଇ ଦେଇଛି। କିଛି ଆଶାୟୀ ନିଜକୁ ବିଜେଡିର ଟିକଟ ମିଳୁଥିବା ନେଇ ଏକ ପ୍ରକାର ପ୍ରଚାର ମଧ୍ୟ ଚଳାଇଛନ୍ତି। ତେବେ ଯେଉଁମାନେ ଆଗଧାଡ଼ିର ଆଶାୟୀ ସେମାନେ ଭୁବନେଶ୍ବରରେ ଗତ କିଛି ଦିନ ହେଲା ବସା ବାନ୍ଧି ରହିଛନ୍ତି। ନିଜ ନିଜର ପାରିବା ପଣିଆ ସେଠାରେ ଦେଖାଉଛନ୍ତି। ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କିଛି ଦିନ ମଧ୍ୟରେ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିବାରୁ ସମସ୍ତେ ନିଜ ନିଜର ଉଦ୍ୟମ ଜାରି ରଖିଛନ୍ତି। ତେବେ ଚିତ୍ରକୋଣ୍ଡା ପାଇଁ କିଏ ବିଜେଡ ଟିକଟ ଆଣୁଛି ଦେଖିବାକୁ ବାକି ରହିଲା।

ସମ୍ବନ୍ଧିତ ଖବର