ଏସ୍‌ଡିପିଓଙ୍କ ବିରୋଧରେ ସଙ୍ଗୀନ୍ ଅଭିଯୋଗ ଆଣି ସରକାରଙ୍କୁ ଟାର୍ଗେଟ୍ କଲା କଂଗ୍ରେସ
ବିଜେପି ବି ସରକାରଙ୍କୁ ଘେରିଲା
ଗୃହ ବାରମ୍ବାର ମୁଲତବୀ, ସର୍ବଦଳୀୟ ବୈଠକ ଡକାଗଲା
କ୍ରାଇମ୍‌ବ୍ରାଞ୍ଚ୍ ଆଇଜି ତଦନ୍ତ କରିବେ ବୋଲି କହିଲେ ଗୃହ ରାଷ୍ଟ୍ରମନ୍ତ୍ରୀ

Advertisment

ଭୁବନେଶ୍ବର : ମାଲିକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ଥାନା ଆର୍‌ଏସ୍‌ସି-୧୩ ଗାଁରେ ଆଦିବାସୀ ମହିଳାଙ୍କ ଉପରେ ପୁଲିସର ବର୍ବରତାକୁ ନେଇ ବୁଧବାର ଦିନ ବିଧାନସଭା ହୁଲସ୍ତୁଲ ହୋଇଛି। ଆଦିବାସୀ ମହିଳାଙ୍କୁ କିପରି ଉଲଗ୍ନ କରି ମାଡ଼ ମରାଯାଇଛି, ତାହାର ଫଟୋ ଦେଖାଇ କଂଗ୍ରେସ ସଭ୍ୟମାନେ ସରକାରଙ୍କୁ ଭର୍ତ୍ସନା କରିଥିଲେ। ଏହି ସ୍ପର୍ଶକାତର ପ୍ରସଙ୍ଗରେ ବିଜେପି ସଭ୍ୟମାନେ ମଧ୍ୟ ସରକାରଙ୍କୁ ଘେରିଥିଲେ। ଫଳରେ ଗୃହ ବାରମ୍ବାର ମୁଲତବୀ ରହିବା ସହ ସର୍ବଦଳୀୟ ବୈଠକ ଡକାଯାଇଥିଲା। ଶେଷରେ ସରକାର ବିରୋଧୀଙ୍କ ଦାବି ମାନି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।

ଶୂନ୍ୟକାଳରେ କଂଗ୍ରେସ ସଭ୍ୟ ତାରା ପ୍ରସାଦ ବାହିନୀପତି ଏହି ପ୍ରସଙ୍ଗ ଉଠାଇ କହିଲେ, ଗତ ମାସ ୬ ତାରିଖ ରାତି ୨ଟାରେ ଆଏସ୍‌ସି-୧୩ ଗାଁରେ ପୁଲିସ୍ ଏସ୍‌ଡିପିଓ ଫୋର୍ସ ନେଇ ପହଞ୍ଚିଥିଲେ। ସେମାନଙ୍କ ସହ ମହିଳା ପୁଲିସ ନ ଥିଲେ। ଏଓ୍‌ଡିପିଓଙ୍କ ନେତୃତ୍ବରେ ପୁଲିସ ଘରକୁ ଘର ଯାଇ ଲୋକଙ୍କୁ ପିଟିଥିଲେ। ଗର୍ଭବତୀ ମହିଳା, ବୃଦ୍ଧା, ନାବାଳିକା କେହି ବାଦ୍ ପଡ଼ି ନ ଥିଲେ। ସେମାନଙ୍କୁ ନିସ୍ତୁକ ମାଡ଼ ମାରିବା ସହ ସେମାନଙ୍କ ଉପରେ ଜୁଲମ କରିଥିଲେ। ଏସ୍‌ଡିପିଓ ମଦ ପିଇ ଆତଙ୍କରାଜ ଖେଳାଇଥିଲେ। ଆହତ ଗ୍ରାମବାସୀଙ୍କ ଭିତରୁ ୪ ଜଣ ହସ୍ପିଟାଲ୍‌ରେ ଭର୍ତ୍ତି ହୋଇଥିଲେ। କିନ୍ତୁ ସିଡିଏମ୍ଓଙ୍କୁ ପ୍ରଭାବିତ କରାଯାଇ ମିଛ ରିପୋର୍ଟ ଲେଖାଯାଇଛି। ଏହା କ’ଣ ନବୀନ ସରକାରଙ୍କ ମା’କୁ ସମ୍ମାନ? ଶ୍ରୀ ବାହିନୀପତିଙ୍କ ସମେତ କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ରାଜନ ଏକ୍କା ଓ ଅଧିରାଜ ପାଣିଗ୍ରାହୀ ଘଟଣାସ୍ଥଳକୁ ଯାଇ ତଦନ୍ତ କରିଥିଲେ। ଆହତ ଲୋକମାନଙ୍କ ଫଟୋ ଓ ଭିଡିଓ ମଧ୍ୟ ସାଙ୍ଗରେ ଆଣିଥିଲେ। ଏହାକୁ ଶ୍ରୀ ବାହିନୀପତି ଗୃହରେ ଦେଖାଇଥିଲେ। ଏସ୍‌ଡିପିଓଙ୍କୁ ତୁରନ୍ତ ନିଲମ୍ବନ କରିବା ସହ ଘଟଣାର ତଦନ୍ତ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ଙ୍କ ଦ୍ବାରା କରାଇବାକୁ ସେ ଦାବି କରିଥିଲେ।

କଂଗ୍ରେସ ସଭ୍ୟ ସନ୍ତୋଷ ସିଂହ ସାଲୁଜା କହିଥିଲେ, ଆଦିବାସୀ ମହିଳାଙ୍କୁ ନିବସ୍ତ୍ର କରି ଏଓ୍‌ଡିପିଓ ଅଂଶୁମାନ ଦ୍ବିବେଦୀ ପିଟିଛନ୍ତି। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିଲେ। ଏସ୍‌ଡିପିଓଙ୍କ ନାଁରେ ଏତଲା ଦିଆଯାଇଥିଲେ ମଧ୍ୟ ତାହାକୁ ଗ୍ରହଣ କରାଯାଇ ନାହିଁ। ସମସ୍ତଙ୍କ ଦେହରେ ମାଡ଼ର ଚିହ୍ନ ରହିଛି। ଏହାର ପ୍ରମାଣ ମଧ୍ୟ କଂଗ୍ରେସ ହାତରେ ଅଛି। ଏହା ଏକ ଅତି ସମ୍ବେଦନଶୀଳ ଘଟଣା ହୋଇଥିବାରୁ ଏହାର ବିଚାର ବିଭାଗୀୟ କିମ୍ବା କ୍ରାଇମ୍‌ବ୍ରାଞ୍ଚ ତଦନ୍ତ କରିବାକୁ ଦାବି କରିଥିଲେ।

କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ, କଂଗ୍ରେସର ଚାରି ଜଣ ବିଧାୟକ ନିଜେ ଘଟଣାସ୍ଥଳକୁ ଯାଇ ଆହତଙ୍କୁ ଭେଟିଛନ୍ତି। ଆଦିବାସୀ ମହିଳାଙ୍କ ଉପରେ ପୁଲିସ ବର୍ବରତା ସୀମା ଟପିଯାଇଛି। ଏବେ ବିଧାନସଭା ଚାଲିଛି। ଆମେ ଚୁପ୍ ହୋଇ ବସିପାରିବାନି। ଓଡ଼ିଶାର ଜଣେ ଆଦିବାସୀ ମହିଳା ରାଷ୍ଟ୍ରପତି ପ୍ରାର୍ଥୀ ହୋଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ଭୋଟ୍ ଦେବା ପାଇଁ ନିବେଦନ କରୁଛନ୍ତି। କିନ୍ତୁ ଏପଟେ ଆଦିବାସୀ ସମାଜ ଉପରେ ଅତ୍ୟାଚାର ଚାଲିଛି। ଆଦିବାସୀ ମହିଳା ରାଷ୍ଟ୍ରପତି ହୋଇଗଲେ ଏସବୁ କ’ଣ ବନ୍ଦ ହୋଇଯିବ? ଆଦିବାସୀଙ୍କ ଉପରେ ଯେପରି ଅତ୍ୟାଚାର ହୋଇଛି, ସେଥିରୁ ଜଣାପଡ଼ୁଛି ମୁଖ୍ୟମନ୍ତ୍ରୀ ଆଦିବାସୀଙ୍କ ପାଇଁ କିପରି କାମ କରୁଛନ୍ତି? ଏମାନଙ୍କର ଆଦିବାସୀ ପ୍ରେମ ଏବେ ଧରାପଡ଼ିଯାଉଛି। ଏହା ଏକ ଅତି ସମ୍ବେଦନଶୀଳ ଘଟଣା। ଦଳମତ ନିର୍ବିଶେଷରେ ସମସ୍ତଙ୍କୁ ପୁଲିସର ଏପରି ଆଚରଣ ଆଘାତ ଦେଇଛି। ମହିଳା ପୁଲିସକୁ ନ ନେଇ ପୁଲିସ କିପରି ସେଠାକୁ ଗଲା? ଏହା ସମ୍ପୂର୍ଣ୍ଣ ବେଆଇନ। ଏହି ଘଟଣାରେ ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯିବାର ଆବଶ୍ୟକତା ରହିଛି। ଘଟଣାର ବିଚାର ବିଭାଗୀୟ କିମ୍ବା କ୍ରାଇମ୍‌ବ୍ରାଞ୍ଚ କିମ୍ବା ଗୃହ କମିଟି ଦ୍ବାରା ତଦନ୍ତ କରାଯାଉ। ଗୃହ କାର୍ଯ୍ୟକୁ ବନ୍ଦ ରଖି ଏହି ଘଟଣା ଉପରେ ବାଚସ୍ପତି ତର୍ଜମା କରି ତୁରନ୍ତ ରୁଲିଂ ଦେବାକୁ ଶ୍ରୀ ମିଶ୍ର ଦାବି କରିଥିଲେ।

କଂଗ୍ରେସର ଦାବିକୁ ସମର୍ଥନ କରି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ କହିଥିଲେ, ଏହା ଏକ ସ୍ପର୍ଶକତାର ବିଷୟ। ଆମେ ବି ଆଦିବାସୀ ସମାଜରୁ ପ୍ରତିନିଧିତ୍ବ କରୁଛୁ। ଆମେ କ’ଣ ସୁରକ୍ଷିତ ରହିପାରିବୁନି? ପୁଲିସ ରକ୍ଷକ ହୋଇ ଭକ୍ଷକ ସାଜୁଛି। ଅଧ ରାତିରେ ମହିଳାଙ୍କୁ ଉଲଗ୍ନ କରି ମାଡ଼ ମରାଯିବା ଦୁର୍ଭାଗ୍ୟଜନକ। ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗର ଦାୟିତ୍ବରେ ଥିଲା ବେଳେ ଏପରି ଘଟଣା ଘଟିଚାଲିଛି।

ଏହାପରେ କଂଗ୍ରେସ ଓ ବିଜେପି ସଭ୍ୟମାନେ ଗୃହ ମଧ୍ୟ ଭାଗକୁ ମାଡ଼ି ନାରାବାଜି କରିଥିଲେ। ବାଚସ୍ପତି ସର୍ବଦଳୀୟ ବୈଠକ ଡାକି ଗୃହକୁ ୧୦ ମିନିଟ୍ ମୁଲତବୀ ରଖିଥିଲେ। ସର୍ବଦଳୀୟ ବୈଠକ ଅଧିକ ସମୟ ଚାଲିବାରୁ ଗୃହକୁ ବାରମ୍ବାର ମୁଲତବୀ ରଖାଯାଇଥିଲା। ଫଳରେ ଗଣଶିକ୍ଷା ଉପରେ ଆସିଥିବା ମୁଲତବୀ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରି ନ ଥିଲା। ସର୍ବଦଳୀୟ ବୈଠକରେ ନିର୍ଯ୍ୟାସ ନ ବାହାରିବାରୁ ଗୃହକୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ମୁଲତବୀ ରଖାଗଲା।

୪ଟା ବେଳେ ଗୃହ କାର୍ଯ୍ୟ ଆରମ୍ଭ ହେଲା ମାତ୍ରେ ବାଚସ୍ପତି କହିଥିଲେ ଗୃହ ରାଷ୍ଟ୍ର ମନ୍ତ୍ରୀ ଏ ସଂକ୍ରାନ୍ତରେ ବିବୃତି ରଖିବେ। କିନ୍ତୁ ବିରୋଧୀ ଦଳ ସଦସ୍ୟମାନେ ହୋହଲ୍ଲା କରିବାକୁ ବାଚସ୍ପତି ତିନିଟି ପର୍ଯ୍ୟାୟରେ ଗୃହକୁ ୪୫ ମିନିଟ୍ ମୁଲତବୀ ରଖିଥିଲେ। ଶେଷରେ ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବୃତି ରଖିଥିଲେ। ଏହି ଘଟଣାର ତଦନ୍ତ କ୍ରାଇମବ୍ରାଞ୍ଚ ଆଇଜିଙ୍କ ଦ୍ବାରା କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ଜଣାଇଥିଲେ। ଏହା ପରେ ବିରୋଧୀ ଦଳ ସଦସ୍ୟମାନେ ଶାନ୍ତ ପଡ଼ିଥିଲେ।