ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ବୁଝାଇବାକୁ ‌ନାକେଦମ୍‌ : ପ୍ରଶାସନ ପ୍ରତିଶ୍ରୁତି ପରେ ଫେରିଗଲେ

ମାଲକାନଗିରି/ଚିତ୍ରକୋଣ୍ଡା : ପ୍ରଶାସନର ପ୍ରତିଶ୍ରୁତି ପରେ ମାଲକାନଗିରି ଅଭିମୁଖେ ବାହାରିଥିବା ମ‌ାଲକାନଗିରିର ବିଚ୍ଛିନ୍ନାଞ୍ଚଳବାସୀ ଚିତ୍ରକୋଣ୍ଡାରୁ ନିଜ ଭିଟାମାଟିକୁ ଫେରିଯାଇଛନ୍ତି। ବିଭିନ୍ନ ସମସ୍ୟାରେ ଜର୍ଜରିତ ବିଚ୍ଛିନ୍ନାଞ୍ଚଳର ହଜାରେରୁ ଉର୍ଦ୍ଧ୍ବ ଲୋକ ଗତକାଲି ଚିତ୍ରକୋଣ୍ଡାଠାରେ ରୁଣ୍ଡ ହୋଇଥିଲେ। ଘଣ୍ଟାଘଣ୍ଟା ଧରି ଆଲୋଚନା ସହ ନାକେଦମ ହେବାପରେ ପ୍ରଶାସନ ସେମାନଙ୍କୁ ଫେରାଇଦେବାରେ ସଫଳ ହୋଇଛନ୍ତି।

ଗତକାଲି ଅପ୍ରତ୍ୟାଶିତ ଭାବେ ହଜାର ହଜାର ସଂଖ୍ୟାରେ ମହିଳା ଓ ପୁରୁଷ ବିଚ୍ଛିନ୍ନାଞ୍ଚଳରୁ ମାଲକାନଗିରି ଅଭିମୁଖେ ବାହାରିଥିଲେ। ଏହି ଖବର ବ୍ଲକ ପ୍ରଶାସନ ନିକଟରେ ପହଞ୍ଚିବା ପରେ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ତତ୍ପରତା ପ୍ରକାଶ ପାଇଥିଲା। ବିଡିଓ, ତହସିଲଦାର, ପୁଲିସ୍‌ ଅଧିକାରୀ ଓ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ପ୍ରମୁଖ ଲୋକଙ୍କ ପାଖକୁ ଯାଇ ବୁଝାସୁଝା କରିଥିଲେ। କିନ୍ତୁ ଲୋକେ ନିଜ ଜିଦ୍‌ରେ ଅଟଳ ରହିଥିଲେ। ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଭେଟି ନିଜ ମନର ବେଦନା ଜଣାଇବା ବୋଲି ଅଡ଼ି ବସିଥିଲେ। ଯାହାକି ବ୍ଲକ୍‌ ପ୍ରଶାସନର ଚିନ୍ତାକୁ ବଢ଼ାଇ ଦେଇଥିଲା। ରାତି ପର୍ଯ୍ୟନ୍ତ ଆଲୋଚନା ଚାଲିଥିଲେ ମଧ୍ୟ ସମାଧାନର ରାସ୍ତା ବାହାରି ପାରିନଥିଲା। ତେଣୁ ବାଧ୍ୟ ହୋଇ ଚିତ୍ରକୋଣ୍ଡାରେ ହିଁ ବିଚ୍ଛିନ୍ନାଞ୍ଚଳବାସୀଙ୍କୁ ରଖିବାକୁ ନିଷ୍ପତ୍ତି ନେଇଥିଲା ପ୍ରଶାସନ।

ଆଜି ସକାଳେ ପୁଣି ଆଲୋଚନା ପାଇଁ ବ୍ଲକ୍‌ ପ୍ରଶାସନ ସ୍ଥିର କରିଥିବାବେଳେ ଲୋକେ କିନ୍ତୁ ମାଲକାନଗିରି ଯିବାକୁ ବାହାରିଥିଲେ। ଏତିକିବେଳେ ମାଲକାନଗିରି ଉପଜିଲ୍ଲାପାଳ ରାମେଶ୍ବର ପ୍ରଧାନ ଚିତ୍ରକୋଣ୍ଡାରେ ପହଞ୍ଚି ଲୋକଙ୍କୁ ପୁଣି ବୁଝାସୁଝା କରିଥିଲେ। ବାରମ୍ବାର ବୁଝାଇବା ସତ୍ତ୍ବେ ଲୋକେ ଆଦୌ ବୁଝି ନଥିଲେ। ଏମିତି ପରିସ୍ଥିତିରେ ଲୋକେ ଯେମିତି ମାଲକାନଗିରି ଯାଇ ପାରିବେ ନାହିଁ ସେଥିନିମନ୍ତେ ପ୍ରଶାସନ କିଛିଟା କଟକଣା ଲଗାଇ ଦେଇଥିଲା। ଗୋଟିଏ ବି ଗାଡ଼ିକୁ ଚିତ୍ର‌କୋଣ୍ଡାରୁ ମାଲକାନଗିରି ଛଡ଼ାଯାଇ ନଥିଲା। ପୁଲିସ୍‌ ବି ଲୋକଙ୍କୁ ଘେରି ରହିଥିଲା। ଶେଷରେ ଆସନ୍ତା ୧୦ତାରିଖ ଦିନ ଜିଲ୍ଲାପାଳଙ୍କୁ ଭେଟିବା ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। ହେଲେ ଏଥିରେ ବି କିଛି ସର୍ତ ରହିଥିଲା। ଯେମିତି ସ୍ବାଭିମାନ ଅଞ୍ଚଳରୁ ୧୦ଜଣିଆ ଟିମ୍ ହିଁ ଜିଲ୍ଲାପାଳଙ୍କୁ ଭେଟି ଦାବି ଉପସ୍ଥାପନ କରିବ। ଏଥିରେ ଲୋକେ ରାଜି ହୋଇଯିବାରୁ ସେମାନଙ୍କୁ ଘରକୁ ପଠାଇବା ବ୍ୟବସ୍ଥା କରାଯାଇଥିଲା।

ସମ୍ବନ୍ଧିତ ଖବର