ଚିତ୍ରକୋଣ୍ଡା ଏସ୍‌ଡିପିଓଙ୍କ ଅଡ଼ୁଆ ବଢ଼ିଲା: କୋର୍ଟରେ ମକଦ୍ଦମା କଲେ ପୀଡ଼ିତ ପକ୍ଷ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଏସ୍‌ଡିପିଓ ଅଂଶୁମାନ ଦ୍ବିବେଦୀଙ୍କ ପାଇଁ ଅଡ଼ୁଆ ବଢ଼ିବାରେ ଲାଗିଛି। ଆଜି ମାଲକାନଗିରି ଜିଲ୍ଲା ଦୌରାଜଜ୍‌ ଏବଂ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଅପରାଧିକ ମକଦ୍ଦମା ରୁଜୁ ହୋଇଛି। ଗତକାଲି ଆରଏସି-୧୩ ଗାଁରେ ଆଦିବାସୀ ମହିଳାଙ୍କ ଉପରେ ବର୍ବରତା ଘଟଣାକୁ ନେଇ ବିଧାନସଭାରେ ତୁମ୍ବିତୋଫାନ ହୋଇଥିଲା। ସରକାର ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ଆଜି ଗ୍ରାମବାସୀ ସିଆରପିସି ୨୦୦ ଅନୁଯାୟୀ କୋର୍ଟରେ ଅଭିଯୋଗ ଦାଖଲ କରିବାରୁ ଆଇନ ଜାଲରେ ଛନ୍ଦି ହୋଇଛନ୍ତି ଏସ୍‌ଡିପିଓ ଶ୍ରୀଦ୍ବିବେଦୀ।

ଜୁନ୍‌ ୭ତାରିଖ ଦିନ ଗଞ୍ଜେଇ ଧରପଗଡ଼ ପାଇଁ ପୁଲିସ ଫୋର୍ସ ନେଇ ଆରଏସି-୧୩ ଗାଁରେ ଚଢ଼ଉ କରିଥିଲେ ଏସ୍‌ଡିପିଓ ଶ୍ରୀ ଦ୍ବିବେଦୀ । ଘରେ ପଶି ବୃଦ୍ଧା, ଗର୍ଭବତୀ ଏବଂ ନାବାଳିକାଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଥିଲା। ଏପରିକି ୪ଜଣ ମହିଳା ଗୁରୁତର ଆହତ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। କିନ୍ତୁ, ଏହି ସମ୍ବେଦନଶୀଳ ଘଟଣାରେ ଏସ୍‌ଡିପିଓଙ୍କ ବିରୋଧରେ ବିଭାଗ ପକ୍ଷରୁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ଏହାର ପ୍ରତିବାଦରେ କଂଗ୍ରେସ ପକ୍ଷରୁ ଚିତ୍ରକୋଣ୍ଡାରେ ବଡ଼ଧରଣର ସମାବେଶ‌ର ଆୟୋଜନ କରାଯାଇଥିଲା। ଏହିସମୟରେ ବହୁ ସଂଖ୍ୟାରେ ଉତ୍ତ୍ୟକ୍ତ ଲୋକ ଚିତ୍ରକୋଣ୍ଡା ଥାନାରେ ପଶି ଭଙ୍ଗାରୁଜା କରିଥିଲେ। ତଥାପି ବିବାଦୀୟ ଏସ୍‌ଡିପିଓଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଯାଇ ୧୮ଜଣ କଂଗ୍ରେସ କର୍ମୀଙ୍କୁ ଗିରଫ କରାଯାଇଥିଲା। ଏହାପରେ ରାଜରାସ୍ତାକୁ ଓହ୍ଲାଇବ ବୋଲି ମାଲକାନଗିରି ପୁଲିସକୁ ଚେତାବନୀ ଦେଇଥିଲା କଂଗ୍ରେସ।

ଆରଏସି-୧୩ ଗାଁରୁ ଉଠିଥିବା ପ୍ରତିବାଦର ସ୍ବର ଗତକାଲି ବିଧାନସଭାରେ ଶୁଣିବାକୁ ମିଳିଥିଲା। ବିରୋଧୀ ଦଳ ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିଥିଲେ। ଗୃହ ବାରମ୍ବାର ମୁଲତବୀ ହେବା ପରେ ଶେଷରେ କ୍ରାଇମବ୍ରାଞ୍ଚ ତଦନ୍ତ ନିମନ୍ତେ ସରକାର ନିର୍ଦ୍ଦେଶ ଦେଇଛନ୍ତି। କ୍ରାଇମବ୍ରାଞ୍ଚ ଆଇଜିଙ୍କ ଦ୍ବାରା ତଦନ୍ତ ହେବ ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ପ୍ରକାଶ କରିଥିଲେ। ତେବେ କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ ହେବା ପୂର୍ବରୁ ହିଁ ଏହି ଘଟଣା ଆଜି ନୂଆ ମୋଡ଼ନେଇ ମାଲକାନଗିରି ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ପହଞ୍ଚି ଯାଇଛି। ପୁଲିସ ଆକ୍ରମଣର ଶିକାର ହୋଇଥିବା ୪ଜଣ ପୀଡ଼ିତାଙ୍କ ଦ୍ବାରା ଦଖଲ ପୃଥକ୍‌ ପୃଥକ୍‌ ଅଭିଯୋଗକୁ କୋର୍ଟ ଶୁଣାଣି ପାଇଁ ଗ୍ରହଣ କରିଛନ୍ତି। ତେଣୁ ଏସ୍‌ଡିଜେଏମ୍‌ଙ୍କ କୋର୍ଟରେ ଆଇପିସି ଦଫା ୫୦୬, ୩୨୩, ୩୫୪ ଅନୁସାରେ ମକଦ୍ଦମା ରୁଜୁ ହୋଇଥିବା ଜିଲ୍ଲା କଂଗ୍ରେସ ସଭାପତି ଗୋବିନ୍ଦ ପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର