ମାଲକାନଗିରି: ଜିଲ୍ଲାରେ ସ୍ବାସ୍ଥ୍ୟବସ୍ଥା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ଏହାର ଜ଼୍ବଳନ୍ତ ଉଦାହରଣ ହେଉଛି ଚିତ୍ରକୋଣ୍ଡାସ୍ଥିତ ଉପଖଣ୍ଡ ଡାକ୍ତରଖାନା। ଏଠାରେ ଦିଆଯାଉଥିବା ଚିକିତ୍ସାକୁ ଲକ୍ଷ୍ୟ କଲେ ସହଜରେ ହୃଦୟଙ୍ଗମ ହୋଇପାରିବ। ଚିତ୍ରକୋଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ୨୦୧୮ ମସିହାରେ ଉପଖଣ୍ଡ ଚିକିତ୍ସାଳୟର ମାନ୍ୟତା ପାଇଥିଲା। ଏହି ଅଂଚଳର ଲୋକେ ଭାବିଥିଲେ ନିଜ ଅଂଚଳରେ ସମସ୍ତ ଚିକିତ୍ସା ସୁବିଧା ମିଳିବ।କିନ୍ତୁ ଲୋକେ ଯାହା ଭାବିଥିଲେ ତାହା ସ୍ବପ୍ନ ପାଲଟିଯାଇଛି।
ଏହି ଖବର ପଢ଼ନ୍ତୁ: ୪ର୍ଥ ସପ୍ତାହରେ ଦକ୍ଷିଣ ବଙ୍ଗୋପସାଗରରେ ଲଘୁଚାପ
ଡାକ୍ତରଖାନାରେ ଉନ୍ନତମାନଲ ଚିକିତ୍ସା ସହ ଯନ୍ତ୍ରପାତି ଆସିବା ନେଇ ଲୋକେ ଚିନ୍ତା କରିଥିଲେ। କିନ୍ତୁ ଏବେ ଏହି ଡାକ୍ତରଖାନାରେ ଚିକିତ୍ସା ପାଇଁ ୪୮ ଡାକ୍ତର ବଦଳରେ ରହିଛନ୍ତି ମାତ୍ର ୧୪ ଜଣ। ଦୁଃଖର କଥା ହେଲା ଯେ, ଜଣେ ବି ବିଶେଷଜ୍ଞ ଡାକ୍ତର ନାହାନ୍ତି। ଅଂଚଳବାସୀଙ୍କ ଦାବି ପରେ ଗତ ୫ ଦିନ ତଳେ ଜଣେ ସ୍ତ୍ରୀ ରୋଗ ବିଶେଷଜ୍ଞଙ୍କୁ କୋରପର୍ସ ଫଣ୍ଡରେ ନିଯୁକ୍ତି ଦିଆଯାଇଛି। ଅନ୍ୟପଟରେ ଯେଉଁ ୧୪ ଜଣ ଡାକ୍ତର ରହିଛନ୍ତି, ସେମାନେ ନବ ନିଯୁକ୍ତି ପାଇଛନ୍ତି। ଫଳରେ ରୋଗୀ ଡାକ୍ତରଖାନାକୁ ଆସିଲେ ଚିକିତ୍ସା ବଦଳରେ ରେଫେରାଲ ହୋଇ ମାଲାକନଗିରି ଡାକ୍ତରଖାନାକୁ ଆସିବାକୁ ପଡୁଛି। କୌଣସି ରୋଗୀକୁ ବି ଡାକ୍ତରମାନେ ମାଲକାନଗିରି ରେଫେର କରିଦେଛନ୍ତି। ଆଉ କିଛି ରୋଗୀ ଦୁର୍ଗମ ସ୍ବାଭିମାନ ଅଂଚଳରୁ ଆସୁଥିବା ବେଳେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା ନକରି ତାଂକୁ ସିଧାସଳଖ ମାଲକାନଗିରି ଯିବାକୁ ଡାକ୍ତରମାନେ ପରାମର୍ଶ ଦେଉଥିବା ଅଭିଯୋଗ ହେଉଛି।
ଏହି ଖବର ପଢ଼ନ୍ତୁ: ଦୁର୍ଗମ ଅଞ୍ଚଳରେ ସ୍ବାସ୍ଥ୍ୟ-ଗମନାଗମନର ଅବସ୍ଥା
ଏହି ଡାକ୍ତରଖାନାରେ ୧୦ ଜଣ ଫାର୍ମାସିଷ୍ଟ ବଦଳରେ ଅଛନ୍ତି ମାତ୍ର ୫ ଜଣ। କିଛି ଫାର୍ମାସିଷ୍ଟ ଡାକ୍ତରଖାନାରେ କାମ କରିବା ବଦଳରେ ନିଜର ବ୍ୟବସାୟକୁ ପ୍ରାଧାନ୍ୟ ଦେଉଛନ୍ତି। ଏହାର କାରଣ ହେଲା ଦୀର୍ଘ ଦିନ ଧରି ଏଠାରେ ରହି ନିଜର ବାଣିଜ୍ୟ ବ୍ୟବସାୟରେ ମାତିଛନ୍ତି। ଚିତ୍ରକୋଣ୍ଡା ଉପଖଣ୍ଡ ମେଡିକାଲକୁ ବଦଳି ହୋଇଯାଉଥିବା ଡାକ୍ତର କିମ୍ବା ନର୍ସିଂ ଅଫିସରମାନଙ୍କୁ କ୍ବାଟର ମିଳୁନଥିବାରୁ ସେଠାରେ ରହିବାକୁ ପସନ୍ଦ କରୁନଥିବା ଦେଖିବାକୁ ମିଳିଛି।
ଏହି ଖବର ପଢ଼ନ୍ତୁ: ଦାଦନ ଖଟିବାକୁ ଯାଇ ଦୁର୍ଘଟଣାର ଶିକାର
ତେବେ ଏଥିରେ ବ୍ୟତିକ୍ରମ କରୁଛନ୍ତି ସେହି ମେଡିକାଲର ଜଣେ କିରାଣୀ ବୋଲି ଅଭିଯୋଗ ହୋଇଛି। ପୁଣି ଏହି ମେଡିକାଲରେ ଅଲଟ୍ରା ସାଉଣ୍ଡ ମେସିନ ରହିଥିଲେ ମଧ୍ୟ ଏହାକୁ ଚଲାଇବା ପାଇଁ କେହି ନାହାନ୍ତି। ରକ୍ତଭଣ୍ଡାର ନେଇ ମଧ୍ୟ ଅଂଚଳବାସୀ ବାରମ୍ବାର ଦାବି କରିବା ପରେ ମଧ୍ୟ ଏହା ଏଠାରେ ପ୍ରତିଷ୍ଠା ହୋଇପାରୁନାହିଁ। ଏହି ଉପଖଣ୍ଡ ଚିକିତ୍ସାଳୟରେ ରହିଥିବା ଅତ୍ୟାଧୁନିକ ଯନ୍ତ୍ରପାତିଗୁଡିକୁ ଚଲାଇବା ପାଇଁ ଅଭିଜ୍ଞ ଡାକ୍ତର ନଥିବାରୁ ଏବେ ଏହା ଖତ ଖାଉଛି। ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଉତ୍ତମ ଚିକିତ୍ସା ନମିଳିବାରୁ ବାଧ୍ୟ ହୋଇ ଲୋକେ କ୍ବାକ ଉପରେ ବିଶ୍ବାସ କରୁଛନ୍ତି। ଚିତ୍ରକୋଣ୍ଡାରେ ଏବେ ମାଳ ମାଳ କ୍ବାକ ଦିନ ରାତି ବୁଲି ବୁଲି ରୋଗୀଙ୍କ ସେବା କରୁଥିବାର ଦୃଶ୍ୟ ପ୍ରାୟତଃ ଦେଖିବାକୁ ମିଳେ।
ଏହି ଖବର ପଢ଼ନ୍ତୁ: ପରପାରିରେ ଯୋଗଗୁରୁ ଶରତ ଜୋଏସ
ଏହି ମେଡିକାଲର ଭାଗ୍ୟ କେବେ ବଦଳିବ ଏବଂ ଅଂଚଳବାସୀ ଉପଯୁକ୍ତ ସେବା ପାଇବେ ଦେଖିବାକୁ ବାକି ରହିଲା। ଏନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ବ୍ରଜବନ୍ଧୁ ଦାସଙ୍କୁ ଅବଗତ କରିବା ପରେ ସେ ଏନେଇ ତଦନ୍ତ କରିବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି କହିଥିଲେ।