ଭୁବନେଶ୍ବର:  ଯୋଜନାବୋର୍ଡ ଉପାଧ୍ୟକ୍ଷ ସଂଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସହାୟକ ଚିତରଞ୍ଜନ ପଲେଇଙ୍କ ମୃତ୍ୟୁ ଦିନକୁ ଦିନ ରହସ୍ୟମୟ ହେବାରେ ଲାଗିଛି । ଚିତରଞ୍ଜନଙ୍କର ମୃତ୍ୟୁର କାରଣ ଖୋଜୁଥିବା କ୍ରାଇମବ୍ରାଂଚ ଟିମ୍ ଦାୟିତ୍ୱ ନେବା ପରେ ସଞ୍ଜୟଙ୍କ ପିଏସଓ ସମେତ ୫ଜଣଙ୍କୁ ପଚରାଉଚରା କରୁଛି । ଏତିକିବେଳେ ଏହି ମାମଲାରେ ଜଣେ ଯୁବତୀଙ୍କୁ ମଧ୍ୟ ପଚରାଉଚରା କରିଛି ତଦନ୍ତକାରୀ ଟିମ୍ । ଯାହାକି ମାମଲାକୁ ଆହୁରି ରହସ୍ୟମୟ କରି ଦେଇଛି ।

Advertisment

ଚିତରଞ୍ଜନଙ୍କ ମୃତଦେହ ମିଳିଥିବା ସ୍ଥାନଠାରୁ ୨ କିମି ଦୂରରେ ରହୁଥିବା ଜଣେ ଯୁବତୀ ଓ ତାଙ୍କ ମା’ଙ୍କୁ ପଚରାଉଚରା କରିଛି କ୍ରାଇମବ୍ରାଂଚ । ଯୁବତୀ ଜଣଙ୍କ ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀଙ୍କ ସମ୍ପର୍କୀୟ । ସୂଚନା ଅନୁସାରେ ଏଗାର ତାରିଖ ରାତି ପ୍ରାୟ ଗୋଟାଏବେଳେ ଜଗା ନିଜ ମଟରସାଇକେଲରେ ଚିତରଞ୍ଜନଙ୍କୁ ନେଇ ଯୁବତୀଙ୍କ ଘରକୁ ଯାଇଥିଲା ।

ସଞ୍ଜୟ ଦାସବର୍ମାଙ୍କ ପିଏସଓ ସର୍ବେଶ୍ୱର ଜେନା । ଚିତରଞ୍ଜନଙ୍କ ମୃତଦେହ ମିଳିବା ପରଠାରୁ ସର୍ବେଶ୍ୱର ସନ୍ଦେହ ଘେରରେ ରହିଛନ୍ତି । ପ୍ରଥମେ ପୁଲିସ ଏବେ ବାସେଳିସାହି ଥାନାରେ ଜେରା କରୁଛନ୍ତି କ୍ରାଇମବ୍ରାଂଚ ଟିମ୍ । ୧୧ ତାରିଖ ରାତିରେ ସେ କେଉଁଠି ଥିଲେ? ସେ କେତେବେଳେ ଚିତରଞ୍ଜନଙ୍କ ସହ କଥା ହୋଇଥିଲେ? ସେସବୁର ଉତ୍ତର ଖୋଜୁଛନ୍ତି ତଦନ୍ତକାରୀ ଟିମ୍ । ଏଥିସହ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଜଗନ୍ନାଥ ଷଡଙ୍ଗୀ ଓ ଅନ୍ୟ ୪ଜଣଙ୍କୁ ଚାଲିଛି ମାରାଥନ ଜେରା ।

ଚିତରଞ୍ଜନଙ୍କ ରହସ୍ୟ ଉପରୁ ପରଦା ଉଠାଇବା ପାଇଁ ତଦନ୍ତ ଦାୟିତ୍ୱ ନେଇଥିବା କ୍ରାଇମବ୍ରାଂଚ ଟିମ୍ କୁହାଯାଉଥିବା ଦୁର୍ଘଟଣାସ୍ଥଳକୁ ଯାଇ ଅନୁଧ୍ୟାନ କରିଛନ୍ତି । ଗ୍ରାମବାସୀଙ୍କୁ ପଚରାଉଚରା କରିବା ସହ ଚିତରଞ୍ଜନଙ୍କ ପରିବାର ଲୋକଙ୍କୁ ଭେଟି ବୟାନ ରେକର୍ଡ କରିଛନ୍ତି ।

ଚିତରଞ୍ଜନଙ୍କ ମୃତ୍ୟୁ ପଛରେ ଯୋଜନା ବୋର୍ଡ ଉପାଧ୍ୟକ୍ଷଙ୍କ ହାତ ଥିବା ଅଭିଯୋଗ ଆସିବା ପରେ ରାଜନୀତି ଜୋର ଧରିଛି ଓ ଶୁକ୍ରବାର ବ୍ରହ୍ମଗିରିରେ ଏହାର ପ୍ରତିଫଳନ ଦେଖିବାକୁ ମିଳିପାରେ ବୋଲି ଅନୁମାନ କରାଯାଉଛି ।