ଚିତ୍ରକୋଣ୍ଡା ବ୍ଲକ୍‌ ସ୍ବାଭିମାନ ଅଞ୍ଚଳର ଉନ୍ନୟନ କାର୍ଯ୍ୟ ତ୍ବରାନ୍ବିତ ହେବ

ଭୁବନେଶ୍ୱର : ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକ୍‌ର ସ୍ବାଭିମାନ ଅଞ୍ଚଳର ସାମାଜିକ-ଅର୍ଥନୈତିକ ରୂପାନ୍ତରକରଣ ଓ ଉତ୍‌ଥାନ ଯୋଜନାରେ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପଗୁଡ଼ିକର ସ୍ଥିତି ଓ ଅଗ୍ରଗତିର ଆଜି ସମୀକ୍ଷା କରାଯାଇଥିଲା। ଉନ୍ନୟନ କମିସନର୍‌ ସୁରେଶ ମହାପାତ୍ର ଏହାର ସମୀକ୍ଷା କରି ପ୍ରକଳ୍ପଗୁଡ଼ିକୁ ତ୍ବରାନ୍ବିତ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ବୈଠକରୁ ମିଳିଥିବା ସୂଚନା ଅନୁଯାୟୀ ସ୍ବାଭିମାନ ଅଞ୍ଚଳରେ ପୂର୍ତ୍ତ ବିଭାଗ ଦ୍ବାରା ବଡ଼ପଡ଼ା ଠାରୁ ଜନତାପାଇ ୯ କିମି ଦୀର୍ଘ ରାସ୍ତା ଶେଷ ହୋଇଛି। ଅବଶିଷ୍ଟ ୨.୫ କିମି ରାସ୍ତା ନିର୍ମାଣ ୨ ମାସରେ ‌େଶଷ ହେବ। ରୁମାନଦୀ ଉପରେ କୁନିଗୁଡ଼ା ନିକଟସ୍ଥ ପେପରମେଟଲା, ବନ୍ଧୁଗୁଡ଼ା ଠାରୁ ଗଦଲମାମୁଣ୍ଡି ରାସ୍ତା, ମାଳିଗୁଡ଼ା-ଡୋଲିଅମ୍ବା ରାସ୍ତା ନିର୍ମାଣକୁ ତ୍ବରାନ୍ବିତ କରାଯିବ। ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ବାରା ୪୫ଟି ରାସ୍ତା ଓ ପୋଲ ନିର୍ମାଣ କରାଯାଉଛି। ୬ଟି ସ୍ବାସ୍ଥ୍ୟ ଉପକେନ୍ଦ୍ର ନିର୍ମାଣ କାର୍ଯ୍ୟ ଚାଲିଛି। ମନରେଗା ଯୋଜନାରେ ୩୨ଟି ରାସ୍ତା ନିର୍ମାଣାଧୀନ ରହିଛି। ଗାଁ ଗାଁ ଭିତରେ ତିଆରି ହେଉଥିବା ୧୮ଟି ସିସି ରୋଡ୍‌, ଧୂଳିପୁର-ରାଲେଗୁଡ଼ା-ପେପରମେଟଲା ରାସ୍ତା ଶେଷ ହୋଇଛି। ୬୪ଟି ନଳକୂପ ଖନନ କରାଯାଇଛି। ସମସ୍ତ ୯ଟି ପଞ୍ଚାୟତକୁ ପାଇପ ଯୋଗେ ପାନୀୟ ଜଳ ଯୋଗାଇ ଦିଆଯିବ। ଶକ୍ତି ବିଭାଗ ଦ୍ବାରା ତିନିଟି ଜନବସତିରେ ‌େସୗରଶକ୍ତି ଚାଳିତ ବିଦ୍ୟୁତୀକରଣ କାର୍ଯ୍ୟ ୮୭ ଲକ୍ଷ ଟଙ୍କା ବ୍ୟୟରେ କରାଯିବ। ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ପକ୍ଷରୁ ୮ଟି ବାଳକ ଛାତ୍ରାବାସ ଓ ୭ଟି ଛାତ୍ରୀନିବାସ ନିର୍ମାଣ କରାଯିବ। ଗଣଶିକ୍ଷା ବିଭାଗ ପକ୍ଷରୁ ଶିକ୍ଷକମାନଙ୍କ ପାଇଁ ୮ଟି ବାସଗୃହ କମ୍ପ୍ଲେକ୍ସ, ୨୮ଟି ବିଦ୍ୟାଳୟରେ ଅତିରିକ୍ତ ଶ୍ରେଣୀଗୃହ ନିର୍ମାଣ କରାଯିବ। ମତ୍ସ୍ୟ ଓ ପ୍ରାଣୀସମ୍ପଦ ବିକାଶ ବିଭାଗ ପକ୍ଷରୁ ୪୬ ଲକ୍ଷ ମାଛ ଯାଆଁଳ ବାଲିମେଳା ଜଳଭଣ୍ଡାରରେ ଛଡ଼ା ହୋଇଛି। ଜୁଲାଇ ମାସରେ ଆଉ ୭୦ ଲକ୍ଷ ଯାଆଁଳ ଛଡ଼ାଯିବ। ୧୦୦ ଜଣ ମତ୍ସ୍ୟଜୀବୀଙ୍କ ପାଇଁ ମାଲକାନଗିରି ଡିଭିଜନ୍‌ ବନାଞ୍ଚଳ ଅଧିକାରୀ ଡଙ୍ଗା ଓ ଜାଲ ଯୋଗାଇ ଦେବେ। ୨୦୦୦ ମତ୍ସ୍ୟଜୀବୀ ପରିବାର ଏହା ଦ୍ବାରା ଉପକୃତ ହେବେ। ଏୟାରଟେଲ୍‌ ପକ୍ଷରୁ ମୋବାଇଲ୍‌ ଟାୱାର୍‌ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି। ଉଠା ଜ‌ଳସେଚନ ନିଗମ ମାଧ୍ୟମରେ ୨୧ଟି ଉଠା ଜଳସେଚନ ପଏଣ୍ଟ ଓ ୪୯୪ଟି କ୍ଲଷ୍ଟର୍‌ ବୋର୍‌ୱେଲ୍‌ କରାଯିବ।  ଏହି ବୈଠକରେ ବିଭିନ୍ନ ବିଭାଗର ସଚିବ ଓ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ। ଯୋଜନା ଓ ସଂଯୋଜନ ବିଭାଗର ସ୍ବତନ୍ତ୍ର ସଚିବ ଗୋପବନ୍ଧୁ ଶତପଥୀ ଉପସ୍ଥିତ ଥିଲେ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ମାଲକାନଗିରି ଜିଲ୍ଲାପାଳ ଓ ଏସ୍‌ପି ବୈଠକରେ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର