କଟକ : ବରିଷ୍ଠ ସାମ୍ବାଦିକ ତଥା ଯୁବ ଲେଖକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ପଞ୍ଚମ ଉପନ୍ୟାସ ‘ଆଦିପୁରୁଷ’ ଉନ୍ମୋଚିତ ହୋଇଛି। ଗପଘର ଓ ଓଡ଼ିଶା ବୁକ୍ ଏମ୍ପୋରିୟମ୍ ମିଳିତ ଆନୁକୂଲ୍ୟରେ ହୋଟେଲ ଶିତଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଖ୍ୟାତନାମା କଥାକାର, ‘ସମ୍ବାଦ’ର ସଂପାଦକ (ଫିଚର) ତଥା ‘କଥା’ର ସ˚ପାଦକ ଡକ୍ଟର ଗୌରହରି ଦାସ ଯୋଗ ଦେଇ ପୁସ୍ତକକୁ ଉନ୍ମୋଚନ କରି କହିଛନ୍ତି ଯେ କ୍ଷୁଦ୍ର ଗଳ୍ପ ଯଦି ଗୋଟିଏ ପ୍ରେମ ସଂପର୍କ ହେଲା, ତେବେ ଉପନ୍ୟାସ ଗୋଟିଏ ବିବାହ। ଯଦି ଗପଟିଏ ଗୋଟିଏ ଫଟୋଗ୍ରାଫ୍ ହେଲା, ଉପନ୍ୟାସ ହେଲା ଗୋଟିଏ ସିନେମା। କିନ୍ତୁ ଉପନ୍ୟାସର ଆରମ୍ଭ ଅଧିକ ଶକ୍ତିଶାଳୀ ହେବା ଦରକାର। ତା ସହିତ ଉପନ୍ୟାସରେ ଯେତିକି ଚରିତ୍ରମାନେ ଥିବେ, କେହି ଯେମିତି ଅଦରକାରୀ ଅଥବା ଅନାବଶ୍ୟକ ମନେ ହେବେ ନାହିଁ।
କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଓ ସମୀକ୍ଷକ ଭାବେ ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଅଧ୍ୟାପିକା ସ˚ଘମିତ୍ରା ଭଞ୍ଜ ଯୋଗ ଦେଇ ‘ଆଦିପୁରୁଷ’କୁ ଓଡ଼ିଆ ଉପନ୍ୟାସ ସାହିତ୍ୟରେ ଏକ ଅସାଧାରଣ କୃତି ଭାବେ ବର୍ଣ୍ଣନା କରିଥିଲେ। କାର୍ଯ୍ୟକ୍ରମରେ ପୌରୋହିତ୍ୟ କରି କେନ୍ଦ୍ର ସାହିତ୍ୟ ଏକାଡେମି ଓଡ଼ିଆ ଉପଦେଷ୍ଟା ମଣ୍ତଳୀର ଆବାହକ ତଥା ବିଶିଷ୍ଟ ସାହିତ୍ୟିକ ଡକ୍ଟର ବିଜୟାନନ୍ଦ ସି˚ହ କହିଥିଲେ ଯେ ଓଡ଼ିଆ ସାହିତ୍ୟରେ ଉପନ୍ୟାସ ଅଧିକ ସଂଖ୍ୟାରେ ଲେଖା ହେବା ଦରକାର। ବର୍ତ୍ତମାନ କିନ୍ତୁ ସେତିକି ଆଶାନୁରୂପକ ଉପନ୍ୟାସ ଲେଖା ହେଉନାହିଁ। ଏ କ୍ଷେତ୍ରରେ ଯେଉଁମାନେ ନିରବଚ୍ଛିନ ସାଧନା କରି ଉପନ୍ୟାସ ଲେଖୁଛନ୍ତି, ସେମାନେ ଧନ୍ୟବାଦର ପାତ୍ର।
କାର୍ଯ୍ୟକ୍ରମରେ ‘ଆଦିପୁରୁଷ’ର ଲେଖକ ଚିତ୍ତରଞ୍ଜନ ଚିରଞ୍ଜିତଙ୍କ ସମେତ ସମ୍ମାନିତ ଅତିଥି ଭାବେ ଆଞ୍ଚଳିକ ଜନସମ୍ପର୍କ କେନ୍ଦ୍ରର ନିର୍ଦ୍ଦେଶକ ତଥା କବି ଅଖିଳ କୁମାର ମିଶ୍ର, ଓଡ଼ିଶା ବୁକ୍ ଏମ୍ପୋରିୟମର ପ୍ରକାଶକ ଶିବାଶିଷ କର, ଗପଘରର ଆବାହକ ରବିନାରାୟଣ ଦାଶ ଉପସ୍ଥିତ ଥିଲେ। ‘ଆଦିପୁରୁଷ’ ସମ୍ପର୍କରେ ପ୍ରତିବେଦନ ରଖିଥିଲେ ଅଧ୍ୟାପକ ଡକ୍ଟର ବିଧୁଭୂଷଣ ପଣ୍ତା, ଅଧ୍ୟାପକ ପ୍ରସନ୍ନ କୁମାର ସ୍ବାଇଁ, ଅଧ୍ୟାପକ ଆର୍ଯ୍ୟକୁମାର ହର୍ଷବର୍ଦ୍ଧନ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/11/book.jpg)