ଭୁବନେଶ୍ବର: ଭାଷାକୁ ସାଧାରଣ ଲୋକଙ୍କ ନିକଟରେ ଅଧିକରୁ ଅଧିକ ପହଞ୍ଚାଇବା ଏବଂ ଭାଷାର ବ୍ୟବହାରକୁ ବଢ଼ାଇବା ପାଇଁ ଗଦ୍ୟ ଅପରିହାର୍ଯ୍ୟ ମାଧ୍ୟମ। ଏହି ମର୍ମରେ ପ୍ରଫେସର ଚିତ୍ତରଞ୍ଜନ ଦାସ ଓଡ଼ିଆ ଭାଷାର ଗଦ୍ୟ ସାହିତ୍ୟ ବିଭାଗର ଜଣେ ନିଆରା ପ୍ରବର୍ତ୍ତକ ଥିଲେ ବୋଲି ପ୍ରଫେସର ଚିତ୍ତରଞ୍ଜନ ଦାସ ଶତବାର୍ଷିକୀ କମିଟିର ଅଧ୍ୟକ୍ଷ ତଥା ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି। ଭାରତୀୟ ବିଦ୍ୟାଭବନଠାରେ କେନ୍ଦ୍ର ସାହିତ୍ୟ ଅକାଦେମି ପକ୍ଷରୁ ଆୟୋଜିତ ଚିତ୍ତରଞ୍ଜନ ଦାସ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ରର ଉଦ୍ଘାଟନୀ ଅଧିବେଶନରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶ୍ରୀ ପଟ୍ଟନାୟକ ଆହୁରି କହିଲେ, ଚିତ୍ତଭାଇ ଗାଉଁଲି ତଥା ମୂଳଭାଷାକୁ ବ୍ୟବହାର କରି ପ୍ରଭାବୀ ଢଙ୍ଗରେ ନିଜର ଗଦ୍ୟକୁ ଲୋକାଦୃତ କରିପାରିଛନ୍ତି। ନିୟମିତ ପ୍ରକାଶ ପାଉଥିବା ତାଙ୍କ ପ୍ରବନ୍ଧ ‘ସମ୍ବାଦ’କୁ ବହୁମାତ୍ରାରେ ସମୃଦ୍ଧ ଓ ଋଦ୍ଧିମନ୍ତ କରିଥିଲା ବୋଲି ଶ୍ରୀ ପଟ୍ଟନାୟକ କହିଥିଲେ।
ଆଲୋଚନାଚକ୍ରର ଉଦ୍ଘାଟକ ଭାବେ ଗାନ୍ଧୀବାଦୀ ନେତ୍ରୀ କୃଷ୍ଣା ମହାନ୍ତି ଚିତ୍ତଭାଇଙ୍କ ସହ ବିତାଇଥିବା ମୁହୂର୍ତ୍ତଗୁଡ଼ିକର ସ୍ମୃତିଚାରଣ କରିଥିଲେ। ସେ କହିଥିଲେ, ଚିତ୍ତଭାଇ ଏବଂ ତାଙ୍କ ଶିକ୍ଷାର୍ଥୀମାନଙ୍କ ମଧ୍ୟରେ କେବଳ ଭଲ ପାଇବା, ଆସ୍ଥା ଓ ବିଶ୍ବାସର ସଂପର୍କ ରହିଥିଲା। ତାଙ୍କର ମାନସସନ୍ତାନ ‘ଜୀବନ ବିଦ୍ୟାଳୟ’ର ଛାତ୍ରଛାତ୍ରୀଙ୍କ ପାଇଁ ସେ ଜଣେ ବଡ଼ଭାଇ ଭଳି ଥିଲେ। ସେମାନଙ୍କ ପାଇଁ ସେ ଥିଲେ ପଥପ୍ରଦର୍ଶକ, ବନ୍ଧୁ ଓ ଜୀବନ ଦର୍ଶନର ସ୍ବତନ୍ତ୍ର ଉଦାହରଣ।
ବିଶିଷ୍ଟ ଗବେଷକ ଗୌରାଙ୍ଗ ଚରଣ ଦାଶ କହିଥିଲେ, ଚିତ୍ତଭାଇଙ୍କ ଲେଖାରେ ସାଧାରଣ ମଣିଷର ଭାଷାର ଚମତ୍କାରିତା ସହ ଅନ୍ୟ ଭାଷା ସହ ତାଙ୍କ ଆନ୍ତରିକ ସମ୍ପର୍କର ସମାହାର ଥିଲା। ତାହା ତାଙ୍କ ଲେଖାକୁ ସ୍ବତନ୍ତ୍ର ଶୈଳୀ ପ୍ରଦାନ କରୁଥିଲା। କାର୍ଯ୍ୟକ୍ରମରେ କେନ୍ଦ୍ର ସାହିତ୍ୟ ଅକାଦେମିର ଓଡ଼ିଆ ଉପଦେଷ୍ଟା ମଣ୍ଡଳୀ ଆବାହକ ଗୌରହରି ଦାସ ସଭାପତିତ୍ବ କରି କହିଲେ, ଚିତ୍ତଭାଇ ଥିଲେ ଜଣେ ଅଭିଭାବକ ସମାଲୋଚକ। ସେ ବିଶିଷ୍ଟ ହୋଇ ବି ସାଧାରଣ ଥିଲେ। ଅନ୍ୟ କୌଣସି ଲେଖକଙ୍କଠାରେ ତାଙ୍କ ଭଳି ଅନୁରାଗ ଦେଖିବା ପ୍ରାୟ ଦୁଷ୍ପ୍ରାପ୍ୟ। ଯାହା ସାଧାରଣ ପାଠକଙ୍କ ଆଖିକୁ ଦେଖାଯାଏ ନାହିଁ, ସେହି କଥା ସେ ନିଜ ଲେଖା ମାଧ୍ୟମରେ କହିଯାଇଛନ୍ତି ବୋଲି ଶ୍ରୀ ଦାସ କହିଥିଲେ। କାର୍ଯ୍ୟକ୍ରମରେ ଅକାଦେମିର ସଚିବ କେ ଶ୍ରୀନିବାସ ରାଓ ସ୍ବାଗତ ଭାଷଣ ପ୍ରଦାନ କରି ଶ୍ରୀ ଦାସଙ୍କ ଜୀବନୀ ଓ କୃତି ବାବଦରେ ଆଲୋଚନା କରିଥିଲେ। ଶେଷରେ ଏକାଦେମିର ଓଡ଼ିଆ ଉପଦେଷ୍ଟାମଣ୍ଡଳୀ ସଦସ୍ୟ ପବିତ୍ର ମୋହନ କର ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମକୁ କ୍ଷେତ୍ରବାସୀ ନାୟକ ସଂଯୋଜନା କରିଥିଲେ।
ଏହାପରେ ପ୍ରଫେସର ଯତୀନ୍ଦ୍ର କୁମାର ନାୟକଙ୍କ ସଭାପତିତ୍ବରେ ଆୟୋଜିତ ପ୍ରଥମ ଅଧିବେଶନରେ ଅଭିରାମ ବିଶ୍ବାଳ, ଅରବିନ୍ଦ ବେହେରା ଓ ପବିତ୍ର ମୋହନ ଦାଶ ପ୍ରବନ୍ଧ ପାଠ କରିଥିବାବେଳେ ଚିତ୍ତରଞ୍ଜନ ଚିରଞ୍ଜିତ ଧନ୍ୟବାଦ ଦେଇଥିଲେ। ପରବର୍ତ୍ତୀ ଅଧିବେଶନରେ ଅଧ୍ୟାପକ ବିଶ୍ବରଞ୍ଜନ ସଭାପତିତ୍ବ କରିଥିଲେ ଏବଂ ଭାରତ ଭୂଷଣ ମହାନ୍ତି, ଧନେଶ୍ବର ସାହୁ ଓ ପ୍ରବୀଣା ମହାନ୍ତି ନିଜ ପ୍ରବନ୍ଧ ଉପସ୍ଥାପନ କରିଥିଲେ। ଧନ୍ୟବାଦ ଅର୍ପଣ କରିଥିଲେ ଅରୁଣ କୁମାର ସାହୁ।