ଭୁବନେଶ୍ବର: ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ସହଯୋଗୀ ଚିତ୍ତରଞ୍ଜନ ମୃତ୍ୟୁ ମାମଲାରେ ଅଭିଯୁକ୍ତ ଅଶୋକ ଉପାଧ୍ୟୟଙ୍କ ଉପରେ ସନ୍ଦେହ ଘନୀଭୂତ ହୋଇଛି। ଅଭିଯୁକ୍ତ ଅଶୋକ ଉପାଧ୍ୟାୟଙ୍କର ଆଜି ଦୁଇ ଦିନିଆ ରିମାଣ୍ଡ ସରୁଥିବା ବେଳେ ପୁଣି ୫ଦିନିଆ ରିମାଣ୍ଡରେ ନେବା ପାଇଁ କ୍ରାଇମବ୍ରାଞ୍ଚ ଆବେଦନ କରିଛି। ଅଶୋକ ଉପାଧ୍ୟାୟଙ୍କୁ ରିମାଣ୍ଡରେ ନେଇ ଅଧିକ ଖୋଳତାଡ଼ କରିବ କ୍ରାଇମବ୍ରାଞ୍ଚ। ଏଥିପାଇଁ ପୁରୀ ନ୍ୟାୟାଳୟରେ ୫ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଛି। ଘଟଣାରେ ସଂପୃକ୍ତ ଦୁଇ ଅଭିଯୁକ୍ତ ଅଶୋକ ଉପାଧ୍ୟାୟ ଓ ଜଗନ୍ନାଥ ଷଡ଼ଙ୍ଗୀଙ୍କ ଆଜି ରିମାଣ୍ଡ ଅବଧି ସରିଛି।
ଏହି ଦୁଇଦିନିଆ ରିମାଣ୍ଡ ଅବଧି ପରେ ଅଶୋକ ଉପାଧ୍ୟାୟଙ୍କ ଉପରେ ସନ୍ଦେହ ଘନୀଭୂତ ହେଉଛି। ଫଳରେ ପୁଣି ଥରେ ଅଶୋକକୁ ୫ଦିନିଆ ରିମାଣ୍ଡରେ ନେବା ପାଇଁ ଚାହୁଁଛି କ୍ରାଇମବ୍ରାଞ୍ଚ । ଘଟଣା ଦିନ ରାତିରେ ଅଶୋକ ତା ଗାଁ ବାସୁଦେବପୁରରୁ ଘଟଣାସ୍ଥଳକୁ ଯାଇଥିଲା । ଚକ୍ରପଡ଼ା ଗାଁରେ ଏମିତି କ’ଣ ଘଟିଲା ଯେ, ଅଶୋକ ରାତି ଅଧରେ ବାସୁଦେବପୁରରୁ ଜମାରସୁଆଁ ନଈ ପାଖକୁ ଆସିବାକୁ ପଡ଼ିଲା। ସେହିପରି ଅଶୋକ ଘଟଣାସ୍ଥଳକୁ ଏକା ଆସିଥିଲା, ନା ତା ସହ ଆଉ କିଏ ଆସିଥିଲେ ସେନେଇ ପଚରାଉଚରା କରୁଛି କ୍ରାଇମବ୍ରାଞ୍ଚ। ରାତିରେ ଅନ୍ୟ ତିନି ଜଣ ଗାଡ଼ିରେ ସେଠାକୁ ଯାଇଥିବା ସ୍ଥାନୀୟ ଲୋକେ ଦେଖିଥିବା କହିଛନ୍ତି। ସେମାନେ କିଏ, ସେ ନେଇ ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ।