ପୁରୀ: ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମାଙ୍କ ବ୍ୟକ୍ତିଗତ ସୁରକ୍ଷା କର୍ମୀ ସାନବନ୍ଧକେରାର ଚିତ୍ତରଞ୍ଜନ ପଲେଇଙ୍କ ମୃତ୍ୟୁର ଅଡ଼ୁଆ ସୁତାକୁ ସଜାଡ଼ିବାରେ କ୍ରାଇମ୍ବ୍ରାଞ୍ଚ ୮ ଦିନ ବିତାଇ ଦେଲାଣି। ଆଜି ସାନବନ୍ଧକେରା ଗାଁରେ ଏକ ଶୋକାକୂଳ ପରିବେଶ ମଧ୍ୟରେ ଚିତ୍ତରଞ୍ଜନଙ୍କର ଦଶାହ କାର୍ଯ୍ୟ ସମାପନ ହୋଇଯାଇଛି। ସେପଟେ କ୍ରାଇମ୍ବ୍ରାଞ୍ଚ ତିନି ଜଣଙ୍କୁ ମିଛଧରା ଯନ୍ତ୍ରରେ ବସାଇ ରିପୋର୍ଟକୁ ନେଇ ଛାନଭିନ୍ ଆରମ୍ଭ କରିଛି। ଆଜି ଆଉ ଦୁଇ ଜଣଙ୍କୁ ଭୁବନେଶ୍ବର ନେଇ ସେମାନଙ୍କ ଲାଏ ଡିଟେକ୍ସନ ଟେଷ୍ଟ କରାଇଛି କ୍ରାଇମ୍ବ୍ରାଞ୍ଚ ଟିମ୍। ଇତି ମଧ୍ୟରେ ସମୁଦାୟ ୫ ଜଣଙ୍କର ଲାଏ ଡିଟେକ୍ସନ ଟେଷ୍ଟ କରାସରିଛି। ତେଣୁ ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ କ୍ରାଇମ୍ବ୍ରାଞ୍ଚ ଟିମ୍ ହତ୍ୟା ସନ୍ଦେହରେ ତଦନ୍ତ ଆଗେଇ ନେଉଛି।
ଏଭଳି ପରିସ୍ଥିତିରେ ଚିତ୍ତରଞ୍ଜନଙ୍କ ବଡ଼ବାପା ପୂର୍ଣ୍ଣଚନ୍ଦ୍ର ପଲେଇ ହତ୍ୟାକାଣ୍ଡ ପ୍ରଚ୍ଛଦପଟରେ ସଞ୍ଜୟଙ୍କ ପୂର୍ବତନ ବ୍ୟକ୍ତିଗତ ସହାୟକ ଅରୁଣ ମିଶ୍ରଙ୍କ ସମ୍ପୃକ୍ତି ରହିଥିବା ଅଭିଯୋଗ କରିବା ଗୁରୁତ୍ବ ବହନ କରୁଛି। ତେଣୁ କ୍ରାଇମ୍ବ୍ରାଞ୍ଚ ଟିମ୍ ଅରୁଣକୁ ସ୍କାନର୍କୁ ନେବକି ବୋଲି ପ୍ରଶ୍ନ ଉଠିଛି। ଜଣେ ବରିଷ୍ଠ ପୁଲିସ ପଦାଧିକାରୀ କହିଛନ୍ତି ଯେ ଏବେ ଅରୁଣଙ୍କ ସମ୍ପୃକ୍ତି ଥିବା ନେଇ ଯଦି ଚିତ୍ତରଞ୍ଜନର ବଡ଼ବାପା ଉଠାଇଛନ୍ତି, ତେବେ ଅରୁଣକୁ ମଧ୍ୟ କ୍ରାଇମ୍ବ୍ରାଞ୍ଚ ତଦନ୍ତ ପରିସରଭୁକ୍ତ କରିପାରେ। ଚିତ୍ତରଞ୍ଜନଙ୍କ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ତଦନ୍ତରେ ଭିସେରା
ରିପୋର୍ଟକୁ ଅପେକ୍ଷା କରିଥିବାବେଳେ ସିସି କ୍ୟାମେରାର ଫୁଟେଜ୍, ମୋବାଇଲ ବାର୍ତ୍ତାଳାପକୁ ନେଇ କ୍ରାଇମ୍ବ୍ରାଞ୍ଚ ତଦନ୍ତ ଚଳାଇଛି। ଚର୍ଚ୍ଚାରେ ଥିବା ମହିଳା, ତାଙ୍କ ସ୍ବାମୀ ଓ ଜଗାର ଲାଏ ଡିଟେକ୍ସନ ପରୀକ୍ଷା ରିପୋର୍ଟକୁ ସଂଗ୍ରହ କରିବା ପରେ ଭୋଜିରେ ଉପସ୍ଥିତ ଥିବା ଆଉ ଦୁଇ ଜଣ ସାଙ୍ଗଙ୍କର ଆଜି ଲାଏ ଡିଟେକ୍ସନ ଟେଷ୍ଟ କରାଇଛି। ଚିତ୍ତରଞ୍ଜନଙ୍କ ମୃତ୍ୟୁକୁ ନେଇ କ୍ରାଇମ୍ବ୍ରାଞ୍ଚ ଯୋଜନାବଦ୍ଧ ହତ୍ୟା ବୋଲି ମଧ୍ୟ ସନ୍ଦେହ କରୁଛି।
ଗତ ୧୧ ତାରିଖ ରାତିରେ ଚିତ୍ତରଞ୍ଜନ ନିଖୋଜ ହୋଇଯାଇଥିଲେ। ଦିନକ ପରେ ତାଙ୍କ ଶବ ନୂଆନଈ ପାଣିରୁ ମିଳିଥିଲା। ତାଙ୍କୁ ଯୋଜନାବଦ୍ଧ ହତ୍ୟା ପାଇଁ ଅପହରଣ କରାଯାଇଥିବା ନେଇ ପରିବାର ଲୋକଙ୍କ ପକ୍ଷରୁ ଅଭିଯୋଗ ହୋଇଥିଲା। ଚିତ୍ତରଞ୍ଜନ ଯେହେତୁ ସଞ୍ଜୟ ଦାସବର୍ମାଙ୍କର ଘରୋଇ ସୁରକ୍ଷାକର୍ମୀ ଥିଲେ, ତେଣୁ ଏହା ଏକ ଷଡ଼ଯନ୍ତ୍ର ଜନିତ ହତ୍ୟାକାଣ୍ଡ ବୋଲି ଚର୍ଚ୍ଚା ଜୋର ଧରିଥିଲା।