ପୁରୀ : ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଜୀର୍ଣ୍ଣ ମନ୍ଦିରର ପୁନରୁଦ୍ଧାର କରି ଭବ୍ୟ ଶ୍ରୀମନ୍ଦିର ଗଢ଼ି ଅକ୍ଷୟ କୀର୍ତ୍ତି ଛାଡ଼ି ଯାଇଛନ୍ତି ଗଙ୍ଗ ସମ୍ରାଟ ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବ। ଖାଲି ସେ ଶ୍ରୀମନ୍ଦିରର ପୁନରୁଦ୍ଧାର କରିନଥିଲେ, ବରଂ ପୁରୀରେ ବହୁ ପ୍ରାଚୀନ କାଳରୁ ଜାଗାଘର ପ୍ରତିଷ୍ଠା କରି ଏହାର ସୁରକ୍ଷା ପାଇଁ ବୀରମାନଙ୍କୁ ଗଢ଼ିବାର ମାର୍ଗ ପ୍ରଶସ୍ତ କରିଥିଲେ। ଚୁଡ଼ଙ୍ଗସାହିର ବଡ଼ୁ ମହାପାତ୍ର ଜାଗାଘର ସହ ଚୋଡ଼ଗଙ୍ଗ ଦେବଙ୍କର ନିବିଡ଼ ସମ୍ପର୍କ ଥିଲା। ଚୋଡ଼ଗଙ୍ଗ ଦେବ ନିଜେ ଜଣେ କୁସ୍ତିଯୋଦ୍ଧା ଥିଲେ ବୋଲି କହିଛନ୍ତି ଐତିହ୍ୟ ଗବେଷକ ଦୀପକ କୁମାର ନାୟକ।

Advertisment

ପ୍ରଥମଥର ପାଇଁ ବଡ଼ୁ ମହାପାତ୍ର ଜାଗାଘର ପରିସରରେ ତଥା ରିଡିସ୍କଭର୍‌ ଲଷ୍ଟ୍‌ ହେରିଟେଜ୍‌ ପକ୍ଷରୁ ଗଙ୍ଗବଂଶ ସମ୍ରାଟ ଅନନ୍ତବର୍ମନ ଚୋଡ଼ଗଙ୍ଗ ଦେବଙ୍କ ୯୪୫ତମ ରାଜ୍ୟାଭିଷେକ ପାଳନ ଅବସରରେ ଶ୍ରୀ ନାୟକ ଅତିଥି ଭାବେ ‌ଯୋଗଦେଇ କହିଲେ, ପୁରୀ ସହର ତଥା ଶ୍ରୀମନ୍ଦିରକୁ ବାହ୍ୟ ଶତ୍ରୁ ଆକ୍ରମଣରୁ ରକ୍ଷା କରିବା ପାଇଁ ପୁରୀର ବିଭିନ୍ନ ସ୍ଥାନରେ ଜାଗାଘର ପ୍ରତିଷ୍ଠା କରିବାରେ ଚୋଡ଼ଗଙ୍ଗ ଦେବଙ୍କ ଗୁରୁତ୍ତ୍ବପୂର୍ଣ୍ଣ ଭୂମିକା ଥିଲା। ଜାଗାଘରମାନଙ୍କରେ ଯୁବକମାନଙ୍କୁ ମଲ୍ଲଯୁଦ୍ଧ ଓ କୁସ୍ତିରେ ପାରଙ୍ଗମ କରାଯାଉଥିଲା। ସ୍ବୟଂ ଚୋଡ଼ଗଙ୍ଗ ଦେବ ମଧ୍ୟ ବଡ଼ୁ ମହାପାତ୍ର ଜାଗାଘରକୁ ମଲ୍ଲଯୁଦ୍ଧ ଓ କୁସ୍ତି କସରତ ପାଇଁ ଆସୁଥିବାର ପ୍ରମାଣ ମିଳେ। ବହୁ ପ୍ରାଚୀନ କାଳରୁ ଏହି ଜାଗା ଘର ପରିସରରେ ଚୋଡ଼ଗଙ୍ଗ ଦେବଙ୍କ ପ୍ରତିମାକୁ ପୂଜା କରାଯାଉଥିବା ଏହାର ଅନ୍ୟତମ ବଳିଷ୍ଠ ପ୍ରମାଣ ବୋଲି ସେ କହିଛନ୍ତି।

 ଚୋଡ଼ଗଙ୍ଗ ଦେବଙ୍କ ୯୪୫ତମ ରାଜ୍ୟାଭିଷେକ
ବଡ଼ୁ ମହାପାତ୍ର ଜାଗାଘର ସହ ଚୋଡ଼ଗଙ୍ଗଙ୍କର ନିବିଡ଼ ସମ୍ପର୍କ ଥିଲା
ଜାଗାଘରେ ପୂଜା ପାଉଛନ୍ତି ଚୋଡ଼ଗଙ୍ଗ ଦେବ

publive-image

ତାଙ୍କ ଗବେଷଣାଲବ୍ଧ ତଥ୍ୟ ମୁତାବକ, ୧୦୭୮ ଖ୍ରୀଷ୍ଟାବ୍ଦ ଫେବ୍ରୁଆରି ୧୭ ତାରିଖରେ ଚୋଡ଼ଗଙ୍ଗ ଦେବ ସିଂହାସନ ଆହୋରଣ କରିଥିଲେ। ମାତ୍ର ୫ ବର୍ଷ ବୟସରେ ସିଂହାସନ ଆରୋହଣ କରିଥିବା ବେଳେ ରାଜତ୍ବର ପ୍ରଥମାର୍ଦ୍ଧ ଥିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ। ଚୋଳ ରାଜକୁମାର ବୀରଚୋଡ଼ଙ୍କ ତତ୍ତ୍ବାବଧାନରେ ଚୋଡ଼ଗଙ୍ଗ ଦେବ ବହୁ ବାଧାବିଘ୍ନ ଅତିକ୍ରମ କରି ଉତ୍ତରରେ ଗଙ୍ଗାନଦୀଠାରୁ ଆରମ୍ଭ କରି ଦକ୍ଷିଣରେ ଗୋଦାବରୀ ନଦୀ ପର୍ଯ୍ୟନ୍ତ ସାମ୍ରାଜ୍ୟ ବିସ୍ତାର କରିଥିଲେ। ସମଗ୍ର ଉତ୍କଳକୁ ଏକୀଭୂତ କରି ଗଙ୍ଗ ସାମ୍ରାଜ୍ୟର ଦୃଢ଼ ମୂଳଦୁଆ ସ୍ଥାପନ କରିଥିଲେ। ଏହା ୪ ଶତାବ୍ଦୀ ପର୍ଯ୍ୟନ୍ତ ବୀରତ୍ବ, କଳା ଓ ଭାସ୍କର୍ଯ୍ୟ କ୍ଷେତ୍ରରେ ଚରମ ଉତ୍କର୍ଷତା ଲାଭ କରିଥିଲା। ପୁରୀରେ ଶ୍ରୀଜଗନ୍ନାଥଙ୍କ ମନ୍ଦିରର ପୁନଃ ପ୍ରତିଷ୍ଠା କରିଥିଲେ। ତାଙ୍କ ପୌତ୍ର ଦ୍ବିତୀୟ ରାଜରାଜ ଦେବଙ୍କର ଦାଶଗୋବା ତାମ୍ରଶାସନରୁ ଚୋଡ଼ଗଙ୍ଗ ଯେ ଶ୍ରୀମନ୍ଦିରର ନିର୍ମାତା ଥିଲେ, ଏହାର ସ୍ପଷ୍ଟ ପ୍ରମାଣ ମିଳେ ଶ୍ରୀ ନାୟକ କହିଛନ୍ତି।

ଇଣ୍ଡିଆନ୍‌ ନ୍ୟାସନାଲ୍‌ ଟ୍ରଷ୍ଟ ଫର୍‌ ଆର୍ଟ ଆଣ୍ଡ୍‌ କଲଚରାଲ୍‌ ହେରିଟେଜ୍‌ (ଇନ୍‌ଟାକ୍)ର ରାଜ୍ୟ ପ୍ରକଳ୍ପ ସଂଯୋଜକ ତଥା ଐତହ୍ୟ ଗବେଷକ ଅନିଲ ଧୀର କହିଛନ୍ତି, ଆମ ରାଜ୍ୟରେ ଯେତିକି ଐତିହ୍ୟ କୀର୍ତ୍ତିରାଜି ଅଛି ତାହା ଅନ୍ୟ ୧୦ଟି ରାଜ୍ୟଠାରୁ ବି ଅଧିକ। ଏପରିକି ରାଜ୍ୟରେ ଏବେ ବି ୨୯ ହଜାର ତାଳପତ୍ର ପୋଥି ରହିଛି, ଯାହା ସମ୍ପର୍କରେ ଏଯାଏ ଗବେଷଣା ହୋଇନାହିଁ। ଚୋଡ଼ଗଙ୍ଗ ଦେବ ଭାରତୀୟ ପୃଷ୍ଠଭୂମିରେ ଜଣେ ଦିଗବିଜୟୀ ସମ୍ରାଟ ଥିଲେ। କିନ୍ତୁ ତାଙ୍କୁ ନେଇ ଗର୍ବ କରିବା ପାଇଁ କୌଣସି ସାଧନ ଆମ ନିକଟରେ ନାହିଁ। ବହୁ ବର୍ଷର ସଂଘର୍ଷପୂର୍ଣ୍ଣ ରାଜତ୍ବ ମଧ୍ୟରେ ସେ ଗଙ୍ଗାରୁ ଗୋଦାବରୀ ପର୍ଯ୍ୟନ୍ତ ଜୟ କରିଥିଲେ, କିନ୍ତୁ ତାଙ୍କୁ ଯେଭଳି ସମ୍ମାନ ଦେବାକଥା ଦିଆଯାଇନାହିଁ। ତେଣୁ ଚୋଡ଼ଗଙ୍ଗ ଦେବଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ସ୍ଥାପନ କରିବା ଆବଶ୍ୟକ ବୋଲି ସେ କହିଛନ୍ତି।

ଇନ୍‌ଟାକ୍‌ର ଅନ୍ୟତମ ସଦସ୍ୟ ବିଶ୍ବଜିତ ମହାନ୍ତି କହିଛନ୍ତି, ଏତେ ବଡ଼ ସମ୍ରାଟ ହୋଇ ମଧ୍ୟ ଚୋଡ଼ଗଙ୍ଗ ଦେବଙ୍କ ସମ୍ପର୍କରେ ପାଠ୍ୟ ପୁସ୍ତକରେ ବିଶେଷ ତଥ୍ୟ କି ଆଲେଖ୍ୟ ନାହିଁ। ଅନ୍ୟ ରାଜାଙ୍କ ସମ୍ପର୍କରେ ୫ ପୃଷ୍ଠା ରହିଥିବା ବେଳେ ଚୋଡ଼ଗଙ୍ଗ ଦେବଙ୍କ ସମ୍ପର୍କରେ ବହୁ କମ୍‌ ଲେଖା ପିଲାମାନେ ପଢ଼ୁଛନ୍ତି। ତେଣୁ ପାଠ୍ୟ ଖସଡ଼ାରେ ସମ୍ରାଟ ଚୋଡ଼ଗଙ୍ଗ ଦେବଙ୍କୁ ଯଥେଷ୍ଟ ସ୍ଥାନ ଦିଆଯିବା ଆବଶ୍ୟକ ବୋଲି ସେ କହିଛନ୍ତି। ବଡ଼ୁ ମହାପାତ୍ର ଜାଗାର ସମ୍ପାଦକ ରାକେଶ କୁମାର ପାତ୍ର, ଚିତ୍ରଶିଳ୍ପୀ ଦେବେନ୍ଦ୍ର ଦାଶଙ୍କ ସମେତ ଅନ୍ୟ ସଦସ୍ୟମାନେ ଉପସ୍ଥିତ ଥିଲେ। ଜାଗାଘର ପ୍ରତି ଅବଦାନ ଥିବା ବ୍ୟକ୍ତିବିଶେଷ ଓ ଦିବଙ୍ଗତଙ୍କ ଉଦ୍ଦେଶ୍ୟରେ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ରିଡିସ୍କଭର‌୍ ଲଷ୍ଟ୍ ହେରିଟେଜ୍ ଗ୍ରୁପ ତରଫରୁ ଚିତ୍ରଶିଳ୍ପୀ ବିଭୁ ପଟ୍ଟନାୟକଙ୍କ ଦ୍ୱାରା ଅଙ୍କିତ ଚୋଡଗଙ୍ଗ ଦେବଙ୍କର ଚିତ୍ରର ଏକ ଫୋଟୋ-ଫ୍ରେମ ବଡୁ ମହାପାତ୍ର ଜାଗାକୁ ପ୍ରଦାନ କରାଯାଇଥିଲା। ବିକ୍ରମ ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।