ଭୁବନେଶ୍ବର : ପୂର୍ଣ୍ଣ ପେନସନ୍‌ ଦାବି ନେଇ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ବଳ୍ପ ପେନସନ୍‌ଭୋଗୀ କର୍ମଚାରୀ ସଂଘ ଆଜି ରାଜ୍ୟ ସରକାରଙ୍କ ଉପରେ ଭୀଷଣ ବର୍ଷିଛି। ଉତ୍କଳ ସାମ୍ବାଦିକ ସଂଘ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସଂଘର ସଭାପତି ରାମଚନ୍ଦ୍ର ରଣା ଅଭିଯୋଗ କରିଛନ୍ତି ଯେ ରାଜ୍ୟ ସରକାର ସେମାନଙ୍କୁ ବର୍ଷ ବର୍ଷ ହେଲା ଭଣ୍ଡାଇ ଚାଲିଛନ୍ତି। ସୁପ୍ରିମ୍‌କୋର୍ଟ ଓ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ମାତ୍ର ୫୪ଜଣ କର୍ମଚାରୀଙ୍କୁ ପୂର୍ଣ୍ଣ ପେନସନ୍‌ ଦିଆଯାଇଥି‌ବା ବେଳେ ବାକି କର୍ମଚାରୀମାନଙ୍କୁ ସରକାର ଆଡ଼ଆଖିରେ ଚାହୁଁ ନାହାନ୍ତି।

Advertisment

ସେ କହିଛନ୍ତି ଯେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ୧୯୭୨ ମସିହାରେ ଚକବନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ଯୋଗ୍ୟତା ଭିତ୍ତିରେ ପରୀକ୍ଷା କରାଯାଇ ବୈଷୟିକ କର୍ମଚାରୀ, ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀମାନଙ୍କୁ ୩୦ଏଚ୍ଆର ଜବ୍‌-କଣ୍ଟ୍ରାକ୍ଟ ଭାବେ ନିଯୁକ୍ତ ଦିଆଯାଇଥିଲା। ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୭୮ ମସିହାରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ଘୋଷଣା କରିଥିଲେ। ମାତ୍ର ପରବର୍ତ୍ତୀ ସମୟରେ ତାହା କାର୍ଯ୍ୟକାରୀ ହେଲା ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମ‌େ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ‌ ଦିଆଯିବା ପରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ କର୍ମଚାରୀମାନଙ୍କୁ ସ୍ଥାୟୀ ନିଯୁକ୍ତ କଲେ। ମାତ୍ର ସେମାନଙ୍କ ପୂର୍ଣ୍ଣ ଚାକିରି ଗଣନା କରା ନଯାଇ ସର୍ବନିମ୍ନ ପେନସନ୍ ୩୫୦୦ ଟଙ୍କା ଧାର୍ଯ୍ୟ କରାଗଲା। ତେଣୁ କର୍ମଚାରୀମାନେ ହାଇକୋର୍ଟ ଏବଂ ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହେବା ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ୫୪ଜଣଙ୍କୁ ପୂର୍ଣ୍ଣ ପେନ୍‌ସନ୍‌ ଦିଆଯାଇଥିଲା। ହେଲେ କୋର୍ଟଙ୍କ ଆଦେଶ ସତ୍ତ୍ବେ ଅନ୍ୟ କର୍ମଚାରୀମାନଙ୍କୁ ଏ ପର୍ଯ୍ୟନ୍ତ ପୂର୍ଣ୍ଣ ପେନ୍‌ସନ୍‌ ମିଳି ପାରୁନାହିଁ। ଫଳରେ ବର୍ତ୍ତମାନ ଶହଶହ ଅବସରପ୍ରାପ୍ତ କର୍ମଚାରୀ ଅଭାବ ଅନଟନରେ ଜୀବନଯାପନ କରୁଛନ୍ତି। ତେଣୁ ପୂର୍ଣ୍ଣ ପେନ୍‌ସନ୍‌ ଦିଆନଗଲେ ଆଗାମୀ ଦିନରେ ହଜାର ହଜାର ଅବସରପ୍ରାପ୍ତ କର୍ମଚାରୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ସେ ଚେତା‌ବନୀ ଦେଇଛନ୍ତି।

ଏହି ସାମ୍ବାଦିକ ସମ୍ମିଳନୀରେ ସଂପାଦକ ହରମୋହନ ରାଉତ, ଦୁର୍ଯ୍ୟୋଧନ ଦାସ, ପୂର୍ଣ୍ଣଚନ୍ଦ୍ର ସ୍ବାଇଁ, କ୍ଷେତ୍ରମୋହନ ପରିଡ଼ା, ପୀତାମ୍ବର ହୋତା, ପ୍ରଫୁଲ୍ଲ ବେହେରାଙ୍କ ସହ ଅନ୍ୟ କର୍ମକର୍ତ୍ତମାନେ ଯୋଗ ଦେଇଥିଲେ।