ଚକଡ଼ା ଉପଦ୍ରବ ଆରମ୍ଭ: ୨୫୦ରୁ ଊର୍ଧ୍ବ ହେକ୍ଟର ଫସଲ ପ୍ରଭାବିତ

ପତ୍ରମୋଡ଼ା ବି ଦାଉ ସାଧୁଛନ୍ତି; ନିୟନ୍ତ୍ରଣ କକ୍ଷ ଖୋଲିଲା ଓୟୁଏଟି, ଜାରି କଲା ପରାମର୍ଶ

ଭୁବନେଶ୍ବର: ଚାଷୀଙ୍କ ଚିନ୍ତା ବଢ଼ାଇଲେଣି ଚକଡ଼ା ପୋକ। ରାଜ୍ୟର ପ୍ରାୟ ୧୦ଜିଲ୍ଲା‌ରେ ଚକଡ଼ା ପୋକଙ୍କ ଉତ୍ପାତ ଦେଖିବାକୁ ମିଳିଥିବା ଅଭିଯୋଗ ହୋଇଥିଲେ ହେଁ ସରକାରୀ ସୂତ୍ର ଅନୁସାରେ, ମୟୂରଭଞ୍ଜ, କେନ୍ଦୁଝର, ଗଞ୍ଜାମ, ବରଗଡ଼ ଏବଂ ଢେଙ୍କାନାଳର ପ୍ରାୟ ୧୫୩ ହେକ୍ଟରରେ ଏହା ସୀମିତ ରହିଥିବା କୁହାଯାଇଛି। ବର୍ତ୍ତମାନ ପର୍ଯ୍ୟନ୍ତ ଚକଡ଼ା ପୋକ ଆକ୍ରମଣ ପ୍ରଥମ ପର୍ଯ୍ୟାୟରେ ରହିଛି ଓ ବଡ଼ଧରଣର କ୍ଷୟକ୍ଷତି ହୋଇନାହିଁ। ଦୁଇଟି ଜିଲ୍ଲାରେ ପତ୍ରମୋଡ଼ା ଲାଗିଥିବା ମଧ୍ୟ ସୂଚନା ରହିଛି। ଏହାକୁ ଦୃଷ୍ଟିରେ ରଖି ଓୟୁଏଟିରେ ନିୟନ୍ତ୍ରଣ କକ୍ଷ ଖୋଲିଛି। ଯେ କୌଣସି ଜିଲ୍ଲାର ଚାଷୀ (୦୬୭୪-୨୩୯୭୯୩୩)ରେ ଯୋଗାଯୋଗ କଲେ ସମସ୍ତ ପ୍ରକାର ସହାୟତା କରାଯିବ। ଆବଶ୍ୟକସ୍ଥଳେ କୃଷି ବିଜ୍ଞାନ କେନ୍ଦ୍ରର ପ୍ରତିନିଧି ପହଞ୍ଚି ସ୍ଥିତି ଅନୁଧ୍ୟାନ କରୁଛନ୍ତି। ପ୍ରତିଷେଧକ ବ୍ୟବସ୍ଥା ସହ କେଉଁ କୀଟନାଶକ ସିଞ୍ଚନର ଆବଶ୍ୟକତା ରହିଛି, ସେ ସମ୍ପର୍କରେ ପରାମର୍ଶ ଦିଆଯାଉଛି।

ଓୟୁଏଟି ଡିନ୍‌(ସମ୍ପ୍ରସାରଣ) ପ୍ରସନ୍ନଜିତ ମିଶ୍ର କହିଛନ୍ତି, ସେପ୍ଟେମ୍ବର ଶେଷ ଏବଂ ଅକ୍ଟୋବର ପ୍ରଥମ ସପ୍ତାହରେ ଚକଡ଼ା ଲାଗିଥାଏ। ତାପମାତ୍ରା ୨୮ରୁ ୩୦ଡିଗ୍ରି, ମଧ୍ୟମଧରଣର ବର୍ଷା, ଆଦ୍ରତା ରହିଲେ, ଏହି ପୋକଙ୍କ ଉପଦ୍ରବ ଦେଖିବାକୁ ମିଳିଥାଏ। ଅଧିକ ପବନ ହେଲେ, ଗୋଟିଏ ବିଲରୁ ଅନ୍ୟ ବିଲକୁ ସହଜରେ ଯାଇପାରେ। ରାତିରେ ଥଣ୍ଡା, ଦିନରେ ଗରମ ଏବଂ ବର୍ଷା ହୋଇ ଗୁଳୁଗୁଳି ଏହାକୁ ସହାୟକ ହୁଏ। ୪ ବର୍ଷ ପୂର୍ବରୁ ପ୍ରଥମ କରି ଯେତେବେଳେ ଚକଡ଼ା ଲାଗିଥାଏ, ସେତେବେଳେ ଏ ସମ୍ପର୍କରେ ବିଶେଷ ଅଭିଜ୍ଞତା ନଥିବାରୁ ଶୀଘ୍ର ଚାରି ଆଡ଼େ ବ୍ୟାପି ଯାଇଥିଲା। ବର୍ତ୍ତମାନ କିନ୍ତୁ କୃଷି ଓ ଓୟୁଏଟି, ଆରମ୍ଭରୁ ପ୍ରସ୍ତୁତ ଥିବାରୁ ଏହାକୁ ନିୟନ୍ତ୍ରଣ କରାଯାଉଥିବା ଶ୍ରୀ ମିଶ୍ର କହିଛନ୍ତି।

କୃଷି ବିଭାଗର ସୂଚନା ଅନୁସାରେ, ଢେଙ୍କାନାଳର ୫ଟି ବ୍ଲକର ୧୬୩ ହେକ୍ଟରରେ ଚକଡ଼ା ଏବଂ ପତ୍ରମୋଡ଼ା ପୋକଙ୍କ ଉପଦ୍ରବ ଦେଖାଦେଇଛି। କେନ୍ଦୁଝର ଜିଲ୍ଲାର ୪ଟି ବ୍ଲକ ହରିଚନ୍ଦନପୁର, ଚମ୍ପୁଆ, ସାହାରାପଡ଼ା, ପାଟଣାର ୭୦ ହେକ୍ଟର, ଗଞ୍ଜାମ ଜିଲ୍ଲାର ୨ଲକ୍ଷ ହେକ୍ଟର ଚାଷରୁ ବେଗୁନିଆ ବ୍ଲକର ୧୨ ହେକ୍ଟର କ୍ଷତି କରିଛି। ବରଗଡ଼ ଜିଲ୍ଲାର ବରପାଲି, ଅତାବିରା, ବରଗଡ଼ ଏବଂ ଭେଡ଼େନର କିଛି ଅଂଶରେ ଚକଡ଼ାର ପ୍ରଥମ ପର୍ଯ୍ୟାୟ ପ୍ରଭାବିତ କରିଛି। କୀଟନାଶକ ସିଞ୍ଚନ ଯୋଗୁଁ ଏହା ନିୟନ୍ତ୍ରିତ ରହିଛି। ଏହାର ପରିଚାଳନା ପାଇଁ ଓୟୁଏଟି ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ପରାମର୍ଶ ଜାରି କରାଯାଇଛି। ଏହା ଅନୁଯାୟୀ, ଚକଡ଼ା ବା ମାଟିଆଗୁଣ୍ଡି ପୋକ ମାଟିଆ ରଙ୍ଗ, ଛୋଟ ଏବଂ ଲମ୍ବା ଡେଣାଦିଆ ହୋଇଥାଆନ୍ତି। ଧାନବୁଦାର ମୂଳ ଭାଗରେ ମେଞ୍ଚାମେଞ୍ଚା ହୋଇ ଲାଗି ଥାଆନ୍ତି। ଏହି ପୋକରେ ଆକ୍ରାନ୍ତ ଧାନଗଛର ପତ୍ର ହଳଦିଆ ହୋଇଯାଏ। ମୂଳରୁ ରସ ଶୋଷି ଖାଇଥାଆନ୍ତି।

ଧାନ କିଆରିର ମଧ୍ୟ ଅଂଶରୁ ଏହା ହିଡ଼ ପର୍ଯ୍ୟନ୍ତ ମାଡ଼ି ଆସେ ଏବଂ ଦୂରରୁ ସମୁଦାୟ କିଆରି ପୋଡ଼ିଲା ଭଳି ଦେଖାଯାଏ। ଏହି ପୋକ ଲାଗିଲେ, କିଆରିରୁ ଜଳ ନିଷ୍କାସନ ସହ ଦରକାର ପଡ଼ିଲେ ପୁନର୍ବାର ପାଣି ଭରିଦେବା ଏବଂ ପ୍ରତି ୬ ଫୁଟ୍‌ ଅନ୍ତରରେ କନ୍ଦି ତିଆରି କରାଯିବା ଉଚିତ। ଅନୁମୋଦିତ ମାତ୍ରାରେ କୀଟନାଶକ ପ୍ରୟୋଗ, ଏକର ପ୍ରତି ହସ୍ତଚାଳିତ ସ୍ପ୍ରେୟର୍‌ ବ୍ୟବହାର କରୁଥିଲେ ୨୦୦ ଲିଟର କୀଟନାଶକ ଦ୍ରବଣ, ଶକ୍ତିଚାଳିତ ସ୍ପ୍ରେୟର ବ୍ୟବହାର କରୁଥିଲେ ୬୦ରୁ ୭୦ ଲିଟର କୀଟନାଶକ ଦ୍ରବଣ ସିଞ୍ଚନ କରାଯିବା ଉଚିତ। ଚକଡ଼ା ସଂକ୍ରମଣ ହେଲେ ଯବକ୍ଷାରଜାନ ଜାତୀୟ ସାର, ଏକାଧିକ କୀଟନାଶକକୁ ମିଶ୍ରଣ କରି, ବିନା ଅନୁମୋଦନରେ କୀଟନାଶକ ଏବଂ ଗୋଟିଏ କୀଟନାଶକକୁ ମଧ୍ୟ ବାରମ୍ବାର ପ୍ରୟୋଗ ନକରିବା ପାଇଁ ପରାମର୍ଶ ଦିଆଯାଇଛି।

ସମ୍ବନ୍ଧିତ ଖବର