କାଶୀପୁର: କିଛିଦିନର ବ୍ୟବଧାନ ପରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ୍‌ରେ ପୁଣି ବେକାକୁ ହୋଇଛି ମହାମାରୀ କଲେରା। କଳାହାଣ୍ଡି ଜିଲ୍ଲା ସୀମାକୁ ଲାଗି ରହିଥିବା ଅଡ଼ାଜୋର ପଞ୍ଚାୟତର ପର୍ଲାଜୋର ଗାଁରେ ଗତ ୯ଦିନ ମଧ୍ୟରେ ୪ଜଣଙ୍କ ଝାଡ଼ାବାନ୍ତିରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସ୍ଥିତି ନିୟନ୍ତ୍ରଣାଧୀନ ରହିଥିବା ଦର୍ଶାଇ ପ୍ରଶାସନ ଏବଂ ସ୍ବାସ୍ଥ୍ୟ ବିଭାଗ ଚୁପ୍‌ ରହିଥିବା ବେଳେ ଅନ୍ୟପଟେ ଗୋଟିଏ ପରେ ଗୋଟିଏ ମୁଣ୍ଡ ଗୋଟାଇ ଚାଲିଛି ଡାଇରିଆ। ଚଳିତ ମାସ ୧୪ ତାରିଖରେ ପର୍ଲାଜୋର ଗାଁର ମଣି ମାଝୀ ଡାଇରିଆରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିଲେ। ଘରୁ କୋକେଇ ଉଠିବାର ଦୁଇ ଦିନ ପୂରୁଣୁ ୧୭ତାରିଖ ଦିନ ମଣି ମାଝୀଙ୍କ ବୋହୂ ନମିତା ମାଝୀ ଡାଇରିଆରେ ଆକ୍ରାନ୍ତ ହୋଇଥିଲେ। ତିନିରୁ ଚାରି ଥର ଝାଡ଼ାବାନ୍ତି ହେବାପରେ ନମିତାଙ୍କ ଆକସ୍ମିକ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି।

Advertisment

ଏହାପରେ ନମିତାଙ୍କ ଦୁଇ ସନ୍ତାନ ମା’ ଛେଉଣ୍ଡ ହୋଇଯାଇଛନ୍ତି। ସେହିପରି ଗତ ୨୦ ତାରିଖରେ ଗାଁର ଚନ୍ଦ୍ର ଗୌଡ଼ଙ୍କ ତିନି ମାସର ପୁଅର ମୃତ୍ୟୁ ହୋଇଥିବା ବେଳେ ଗତକାଲି ୬୫ବର୍ଷୀୟ ସୁନା ମାଝୀଙ୍କ ଡାଇରିଆରେ ମୃତ୍ୟୁ ହୋଇଥିବା ଖବର ମିଳିଛି। ଦୁର୍ଗମ ଅଞ୍ଚଳ ହୋଇଥିବାରୁ ବିଳମ୍ବରେ ମୃତ୍ୟୁ ଏବଂ ଆକ୍ରାନ୍ତଙ୍କ ସଂପର୍କରେ ସୂଚନା ମିଳୁଛି। ତେବେ ଗୋଟିଏ ଗାଁରୁ ଡାଇରିଆ ଆକ୍ରାନ୍ତଙ୍କ ଲଗାତାର ମୃତ୍ୟୁ ଗାଁରେ କୋକୁଆ ଭୟ ସୃଷ୍ଟି କରିଛି। ବିଡ଼ମ୍ବନା ହେଲା ବ୍ଲକ୍‌ରେ ଡାଇରିଆ ଜନିତ ମୃତ୍ୟୁ ସଂଖ୍ୟା ୧୯ରେ ପହଞ୍ଚିଥିବା ବେଳେ ସରକାରୀ ରେକର୍ଡରେ ମୃତ୍ୟୁ ସଂଖ୍ୟା ବଢ଼ୁନି। ଏବେ ବି ୯ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରୀ ରିପୋର୍ଟ ଦର୍ଶାଉଛି।

ପୂର୍ବରୁ ୨୦୧୦ ମସିହାରେ ଏମିତି ଭୟାବହ ପରିସ୍ଥିତି ସୃଷ୍ଟି ହୋଇଥିଲା। ତଥାପି ସରକାର କିଛି ଶିକ୍ଷା ପାଇ ନଥିବା ବର୍ତ୍ତମାନର ସ୍ଥିତିକୁ ଦେଖିଲେ ସ୍ପଷ୍ଟ ଜଣାପଡ଼ୁଛି। କାରଣ ଡାଇରିଆ ମୁକ୍ତ ବ୍ଲକ୍‌ କରିବାକୁ ଏପର୍ଯ୍ୟନ୍ତ ଠୋସ୍‌ ପଦକ୍ଷେପ ନିଆଯାଇ ନାହିଁ। ଦୂଷିତ ପାନୀୟ ଜଳ ବ୍ୟବହାର ଏବଂ ଖୋଲାରେ ମଳତ୍ୟାଗ ଯୋଗୁ ଡାଇରିଆ ବ୍ୟାପିବାର ପ୍ରମୁଖ କାରଣ ବୋଲି କୁହାଯାଉଛି। ତେବେ ଏହି ଯୁକ୍ତି ବାହ୍ୟମଳମୁକ୍ତ ଗାଁ ଘୋଷଣା ଏବଂ ସ୍ବଚ୍ଛ ଭାରତ ମିଶନର ବାସ୍ତବତାକୁ ପଦାରେ ପକାଇ ଦେଇଛି। ପାଇଖାନା ପାଇଁ ବହୁ ହିତାଧିକାରୀଙ୍କୁ ସରକାର ଅନୁଦାନ ଯୋଗାଇ ଦେଇଥିବା ସରକାରୀ ରେକର୍ଡ କହୁଛି। ବର୍ତ୍ତମାନ ଅନୁସନ୍ଧାନ କରିବା ବେଳକୁ ଅଧାରୁ ଅଧିକ ପାଇଖାନା ଗାଏବ ହୋଇଯାଇଛି। ତେଣୁ ଗ୍ରାମାଞ୍ଚଳରେ ଲୋକେ ଖୋଲାରେ ମଳତ୍ୟାଗ କରିବାକୁ ବାଧ୍ୟ ହୋଇଛନ୍ତି। ସେହିପରି ସ୍ବାସ୍ଥ୍ୟସେବା କ୍ଷେତ୍ରରେ ପଛରେ ପଡ଼ିଥିବା ଏହି ବ୍ଲକ୍‌ରେ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାରେ ସରକାର ବିଫଳ ହୋଇଛନ୍ତି।

ବିରୋଧୀ ଦଳ ଗୁଡ଼ିକର ଭୂମିକା ତଥା ନିରବତା ବି ଚକିତ କରୁଛି। ଲୋକଙ୍କୁ ମୌଳିକ ସୁବିଧା ଯୋଗାଇ ଦେବା ପାଇଁ ସରକାରଙ୍କ ଉପରେ ଯେଉଁ ଭଳି ଚାପ ବିରୋଧୀ ଦଳ ପକାଇବା କଥା ସେମିତି କିଛି କରୁନଥିବା ଅଭିଯୋଗ ହୋଇଛି। ନଚେତ୍‌ ଲୋକ ଆଜି ଏମିତି ଦଷା ଭୋଗି ନଥାନ୍ତା ବୋଲି ମତ ପ୍ରକାଶ ପାଇଛି। କିଛିଦିନ ହୋହଲ୍ଲା କରିବା ପରେ ବିରୋଧୀ ଦଳ ଚୁପ୍‌ ରହିଛନ୍ତି। ଯଦି ସମୟ ଥାଉଣୁ ସ୍ଥାୟୀ ପଦକ୍ଷେପ ନିଆ ନଯିବ ତେବେ ଏମିତି ମୁଣ୍ଡ ଗଡ଼ି ଚାଲିଥିବ ବୋଲି ଚର୍ଚ୍ଚା ଜୋର ଧରିଛି।