ଭୁବନେଶ୍ବର: ଯାଜପୁର ଜିଲ୍ଲାରେ ଡାଇରିଆରେ ଶତାଧିକ ଆକ୍ରାନ୍ତ ହେବା ପଛରେ ରହିଛି ହଇଜା (କଲେରା) ଜୀବାଣୁ। ସଂଗ୍ରହ କରାଯାଇଥିବା ୪୧ଟି ମଳ ନମୁନାରୁ ୮ଟି ହଇଜା ପଜିଟିଭ୍ ରହିଛି। ୧୦ ଦିନ ଭିତରେ ସ୍ଥାନୀୟ ଅଞ୍ଚଳରେ ବିଶୋଧନ କାର୍ଯ୍ୟ ଶେଷ କରିବା ଲାଗି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। ୨୦୨୨ ମସିହାରେ ରାୟଗଡ଼ା ଜିଲ୍ଲା କାଶୀପୁରରେ ଭିବ୍ରିଓ କଲେରା ପାଇଁ ଶତାଧିକ ଆକ୍ରାନ୍ତ ହୋଇଥିବାବେଳେ ୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା।
ରାଜ୍ୟ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା.ନୀଳକଣ୍ଠ ମିଶ୍ର କହିଛନ୍ତି, ସଂକ୍ରମିତ ସ୍ଥାନରେ ସର୍ବେକ୍ଷଣ ଓ ଡାକ୍ତରୀ ଦଳ କାର୍ଯ୍ୟରତ ଅଛନ୍ତି। ଯାଜପୁରରେ ହୋଇଥିବା ଏକ ଭୋଜିରେ ବ୍ୟବହାର ହୋଇଥିବା ପାଣି ପାଇଁ ଅନେକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ସ୍ଥାନୀୟ ଅଞ୍ଚଳରେ ଡାଇରିଆ ମାମଲା କମୁଛି, ଆସନ୍ତା ୨୪ଘଣ୍ଟାରେ ଏହା ଆହୁରି ହ୍ରାସ ପାଇବ। ଆଗୁଆ ମୌସୁମୀ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଏଭଳି ଡାଇରିଆ ସଂକ୍ରମଣ ଦେଖିବାକୁ ମିଳୁଛି। ଏଥିପାଇଁ ଜଳ ଉତ୍ସ ଯାଞ୍ଚ କରାଯାଉଛି। ଲୋକମାନେ ବିଶୁଦ୍ଧ ପାଣି ପିଇବା ଲାଗି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଅନୁରୋଧ କରାଯାଉଥିବା ସେ କହିଛନ୍ତି।
ଅପରପକ୍ଷରେ ଆଜି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ ଅଧ୍ୟକ୍ଷତାରେ ରାଜ୍ୟରେ ଜଳ ଓ କୀଟବାହିତ ରୋଗର ନିରାକରଣକୁ ନେଇ ଏକ ଉଚ୍ଚସ୍ତରୀୟ ବୈଠକ ବସିଥିଲା। ବୈଠକରୁ ମିଳିଥିବା ସୂଚନା ଅନୁସାରେ, ଗ୍ରାମ ଓ ସହରାଞ୍ଚଳରେ ଥିବା ସମସ୍ତ ନଳକୂପ ଓ ପାନୀୟ ଜଳସ୍ରୋତକୁ ନିୟମିତ ଭାବେ ବିଶୋଧିତ କରିବା ପାଇଁ ଜଳଯୋଗାଣ ବିଭାଗ ଯନ୍ତ୍ରୀଙ୍କୁ କୁହାଯାଇଛି। ଶିକ୍ଷାନୁଷ୍ଠାନ ପରିସରରେ ଥିବା ନଳକୂପ, କୂପ ଓ ପାଣି ଟାଙ୍କି ଆଦିକୁ ବୈଜ୍ଞାନିକ ପଦ୍ଧତିରେ ଠିକ୍ ଭାବେ ବିଶୋଧିତ କରିବା ପାଇଁ ଗଣଶିକ୍ଷା ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଦୂରଦୂରାନ୍ତ ଅଞ୍ଚଳରେ ମୋବାଇଲ୍ ହେଲ୍ଥ ୟୁନିଟ୍ଗୁଡ଼ିକୁ ଅଧିକ କ୍ରିୟାଶୀଳ କରିବା, ବର୍ଷାଜନିତ ରୋଗର ସର୍ବେକ୍ଷଣ ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ କାର୍ଯ୍ୟକ୍ଷମ କରିବା ଲାଗି ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ଜଣ୍ଡିସ୍, ମ୍ୟାଲେରିଆ, ଡେଙ୍ଗୁ ଆଦି ରୋଗର ପ୍ରତିରୋଧ ଓ ଚିକିତ୍ସା ବିଷୟରେ ମଧ୍ୟ ଆଲୋଚନା କରାଯାଇଛି। ଘରକୁ ଘର ସର୍ବେକ୍ଷଣ କରି ଆରମ୍ଭରୁ ରୋଗ ଚିହ୍ନଟ କରିବା, ସରକାରୀ ଡାକ୍ତରଖାନାରେ ଶଯ୍ୟା ସଂଖ୍ୟା ବୃଦ୍ଧି, ଉପଯୁକ୍ତ ଚିକିତ୍ସା, ହସ୍ପିଟାଲରେ ଆବଶ୍ୟକ ଔଷଧ ମହଜୁଦ ରଖିବା ଉପରେ ଗୁରୁତ୍ବ ଦିଆଯାଇଛି। ଏହି ବୈଠକରେ ସ୍ବାସ୍ଥ୍ୟ ସଚିବ ଅଶ୍ବତୀ ଏସ୍, ଯାଜପୁର ଜିଲ୍ଲା ନିରୀକ୍ଷଣ ଦାୟିତ୍ବରେ ଥିବା ପଞ୍ଚାୟତିରାଜ ବିଭାଗର ସଚିବ ଗିରିଶ ଏସ୍.ଏନ୍, ବିଭାଗର ନିର୍ଦ୍ଦେଶକ ବିନୀତ ଭରଦ୍ବାଜ ଯାଜପୁରରୁ କ୍ଷେତ୍ରୀୟ ସ୍ଥିତି ଓ ନିଆଯାଇଥିବା ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ।
୧୦ ଦିନ ଭିତରେ ବିଶୋଧନ କାର୍ଯ୍ୟ ଶେଷ କରିବାକୁ ନିର୍ଦ୍ଦେଶ
ସରକାରୀ କର୍ମଚାରୀଙ୍କ ରଜ ଛୁଟି ବାତିଲ
ଯାଜପୁର/ସଦର/ଟାଉନ: ଯାଜପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଡାଇରିଆ ନିୟନ୍ତ୍ରଣକୁ ଆସୁନାହିଁ। ଏହାକୁ ଦୃଷ୍ଟିରେ ଯାଜପୁର ଜିଲ୍ଲାପାଳ ପି. ଅନ୍ବେଷା ରେଡ୍ଡୀ ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ରଜଛୁଟି ବାତିଲ କରିଛନ୍ତି। ଜୁନ ୧୪ରୁ ୧୬ ତାରିଖ ଯାଏଁ ଥିବା ଏହି ଛୁଟିକୁ ବାତିଲ କରାଯାଇଛି। ଛୁଟିଦିନରେ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଖୋଲା ରହିବ ବୋଲି ଜିଲ୍ଲାପାଳ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାରେ ଗୁରୁବାର ସୁଦ୍ଧା ଆକ୍ରାନ୍ତଙ୍କ ସଂଖ୍ୟା ୭୦୦ ଟପିଥିବା ବେଳେ ଡାଇରିଆଜନିତ ମୃତ୍ୟୁସଂଖ୍ୟା ୧୨ ଛୁଇଁଛି। ଧର୍ମଶାଳା, ଯାଜପୁରରୋଡ୍ (ବ୍ୟାସନଗର), ଦାନଗଦୀ, ସୁକିନ୍ଦା, କୋରେଇ, ରସୁଲପୁର, ଦଶରଥପୁର ବ୍ଲକ୍ ସମେତ ଅନ୍ୟ ଅଞ୍ଚଳକୁ ଡାଇରିଆ ବ୍ୟାପିଛି। ଏବେ ସୁଦ୍ଧା ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଯଯାତି କେଶରୀ ମେଡିକାଲ କଲେଜ ହସ୍ପିଟାଲ ସମେତ ଜିଲ୍ଲାର ବିଭିନ୍ନ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୨୨୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ଶୁକ୍ରବାର ପୂର୍ବାହ୍ନରେ ଜିଲ୍ଲାପାଳ ପି ଅନ୍ବେଷା ରେଡ୍ଡୀ ଆଭାସୀ ମାଧ୍ୟମରେ ପ୍ରତ୍ୟେକ ଗାଁରେ ଜଳଉତ୍ସ ସଫା କରିବା ସହ ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ୪/୫ଟି ପଞ୍ଚାୟତକୁ ନେଇ ଜଣେ ଲେଖାଏଁ ନୋଡାଲ୍ ଅଫିସର ନିୟୋଜିତ ରହି ଏହି କାର୍ଯ୍ୟକୁ ତଦାରଖ କରିବେ। ଭ୍ରାମ୍ୟମାଣ ସ୍ବାସ୍ଥ୍ୟଟିମ୍ ସମ୍ବେଦନଶୀଳ ଅଞ୍ଚଳରେ ପହଞ୍ଚି ଚିକିତ୍ସା ସୁବିଧା ଯୋଗାଇ ଦେବେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ୨୪ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲା ରହିଥିବା ସୂଚନା ଦିଆଯାଇଛି। ମୁଖ୍ୟ ଚିକିତ୍ସାଳୟରେ ଏବେ ୧୧୨ ଜଣ ରୋଗୀ ଥିବାବେଳେ ଗତ ରାତିରେ ୧୮ ଜଣ ନୂଆ ରୋଗୀ ଭର୍ତ୍ତି ହୋଇଛନ୍ତି। ଯାଜପୁର ଟାଉନ, ବ୍ୟାସନଗର ପୌରାଞ୍ଚଳରେ ଥିବା ହୋଟେଲ ଓ ମିଷ୍ଟାନ୍ନଭଣ୍ଡାରଗୁଡ଼ିକ ଯାଞ୍ଚ କରାଯାଉଛି। ବାସିଖାଦ୍ୟ ବିକୁଥିବା ଦୋକାନକୁ ସିଲ୍ କରାଯିବ ବୋଲି ନିର୍ଦ୍ଦେଶ ହୋଇଛି।
କେନ୍ଦୁଝରକୁ ବି ବ୍ୟାପିଲା: ଘସିପୁରାରେ ୩ ମୃତ, ବାତୋରେ ଆଖି ବୁଜିଲେ ସ୍ବାମୀ-ସ୍ତ୍ରୀ
ଆନନ୍ଦପୁର/ଅଳିତ: ଯାଜପୁରରେ ଝାଡ଼ାବାନ୍ତି ଅଣାୟତ୍ତ ହୋଇଥିବା ବେଳେ ଏବେ ଏହା କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡକୁ ବ୍ୟାପିଛି। ଏଥିରେ ଆକ୍ରାନ୍ତ ହୋଇ ଘସିପୁରା ବ୍ଲକ୍ରୁ ଏ ପର୍ଯ୍ୟନ୍ତ ୩ ଜଣଙ୍କର ମୃତ୍ୟୁ ହୋଇଛି। ଘସିପୁରା ବ୍ଲକ୍ ବାତୋ ଗ୍ରାମର ଯୋଗେନ୍ଦ୍ର ଜେନାଙ୍କ ପତ୍ନୀ ସୁମ ଜେନା (୪୫)ଙ୍କର ଗତକାଲି ମୃତ୍ୟୁ ହୋଇଥିଲା। ପରେ ସ୍ବାମୀ ଯୋଗେନ୍ଦ୍ର ଏଥିରେ ଆକ୍ରାନ୍ତ ହୋଇଥିଲେ। ପ୍ରଥମେ ତାଙ୍କୁ ସାଇଁକୁଳ ଓ ପରେ କଟକ ବଡ଼ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଆଜି ତାଙ୍କର ମୃତ୍ୟୁ ହୋଇଛି। ଘସିପୁରା ବ୍ଲକ୍ ରାଧିକାଦେଈପୁର ପଞ୍ଚାୟତ ଚମ୍ପାପାଳ ଗାଁର ଗଣେଶ୍ବର ଜେନାଙ୍କ ପତ୍ନୀ ସଞ୍ଜୁଲତା ଜେନା(୫୮)ଙ୍କର ଗତକାଲି କଟକ ବଡ଼ଡାକ୍ତରଖାନାରେ ମୃତ୍ୟୁ ହୋଇଛି। ଚମ୍ପାପାଳ ଗ୍ରାମର ଗଣେଶ ପେରେଇ(୬୨), ଶାନ୍ତି ପେରେଇ (୫୩), ଭରତ ପେରେଇ (୪୮)ଙ୍କୁ ଚିକିତ୍ସା ପାଇଁ ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସେହିପରି ଘସିପୁରା ବ୍ଲକ୍ ସୀମାନ୍ତ ଯାଜପୁର ଜିଲ୍ଲା ଦାନଗଦୀ ବ୍ଲକ୍ ଉଚ୍ଚବାଲି ପଞ୍ଚାୟତ ତରାଇଲୋ ଗ୍ରାମର ଘନଶ୍ୟାମ ପୂର୍ତ୍ତି (୭୬) ଆନନ୍ଦପୁର ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବାବେଳେ ଆଜି ତାଙ୍କର ମୃତ୍ୟୁ ହୋଇଛି।