ରାୟଗଡ଼ା: କାଶୀପୁରରେ ଘାତକ ହେବାରେ ଲାଗିଛି ଭିବ୍ରିଓ କଲେରା। ବ୍ଲକ୍ର ୨୮ ପଞ୍ଚାୟତରୁ ୬ ପଞ୍ଚାୟତକୁ ବ୍ୟାପୀ ସାରିଲାଣି ଏହି ମାରାତ୍ମକ ଭୂତାଣୁ। ଧୀରେ ଧୀରେ ଗୋଟିଏ ପରେ ଗୋଟିଏ ପଞ୍ଚାୟତକୁ ବ୍ୟାପୁଥିବା ବେଳେ ଆଜି ପୁଣି ଗୋଟିଏ ମୁଣ୍ଡ ନେଇଛି କଲେରା। ସୋମବାର ରାତିରେ ନକଟିଗୁଡ଼ା ପଞ୍ଚାୟତ ସାନମାଟିକଣା ଗ୍ରାମର ଡାଲମି ମାଝି (୬୦)ଙ୍କ ମୃତ୍ୟୁ ହୋଇଛି। ଫଳରେ ମୃତ୍ୟୁସଂଖ୍ୟା ୮କୁ ବୃଦ୍ଧି ପାଇଛି। ସେହିପରି ଆକ୍ରାନ୍ତଙ୍କ ସଂଖ୍ୟା ୯୬କୁ ଛୁଇଁଛି। ଆକ୍ରାନ୍ତଙ୍କ ମଧ୍ୟରୁ ୪୭ଜଣ ଡାକ୍ତରଖାନା ଏବଂ ୪୧ ଜଣଙ୍କ ଚିକିତ୍ସା ଘରେ ଗ୍ରାମାଞ୍ଚଳ ମେଡିକାଲ୍ ଟିମ୍ ଦ୍ବାରା ଚାଲିଛି। ଜଣେ ଆକ୍ରାନ୍ତଙ୍କୁ କୋରାପୁଟ ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ୍ କଲେଜକୁ ସ୍ଥାନାନ୍ତର କରାଯାଇଛି।
ଭିବ୍ରିଓ କଲେରା ଭୂତାଣୁ ଚିହ୍ନଟ ପରେ କାଶୀପୁର ବ୍ଲକ୍ର ଦୁଡୁକାବାହଲ ପଞ୍ଚାୟତ ସର୍ବାଧିକ ସଂକ୍ରମିତ ହୋଇଛି। ଏହି ପଞ୍ଚାୟତରୁ ୨ ଜଣଙ୍କ ମୃତ୍ୟୁ ସହ ୪୪ ଜଣ ଆକ୍ରାନ୍ତ ହୋଇଛନ୍ତି। ଗତକାଲି ରାତିରେ ଗ୍ରାମର ଡାଲମି ମାଝି ଏବଂ ଏହା ପୂର୍ବରୁ ସବିତା ନାଏକଙ୍କ ମୃତ୍ୟୁ ହୋଇଥିଲା। ଡାଲମି ସଂଧ୍ୟାରେ ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ୨/୩ ଥର ଝାଡ଼ା ହେବାପରେ ପରିବାର ଲୋକ ଡାକ୍ତରଖାନା ଆଣିବା ସମୟରେ ଡାଲମିଙ୍କ ମୃତ୍ୟୁ ହୋଇଥିଲା। ଏଥିସହିତ ଦୁଡୁକାବାହଲ ପଞ୍ଚାୟତ ତୋଟାଗୁଡା ଗ୍ରାମରେ ଗତକାଲି ରାତିରେ ବାମିନି ମାଝି (୫୨)ଙ୍କ ମୃତ୍ୟୁ ହୋଇଛି। ବାମିନି କଲେରା ନୁହଁ ଅନ୍ୟ ରୋଗରେ ଆକ୍ରାନ୍ତ ହୋଇ ମୃତ୍ୟୁବରଣ କରିଥିବା ପରିବାର ଲୋକ କହିଛନ୍ତି। ଦୁଡୁକାବାହଲ ପଞ୍ଚାୟତରୁ ଆରମ୍ଭ ହୋଇଥିବା କଲେରା ସଂକ୍ରମଣ ପରବର୍ତ୍ତୀ ସମୟରେ ଟିକିରି, ଶଙ୍କରଡ଼ା, ପଞ୍ଚାଳି, ମାଇକଞ୍ଚ ଓ ନକଟିଗୁଡ଼ାକୁ ବ୍ୟାପିଛି। ଭୂତାଣୁ ବ୍ୟାପିଥିବା ୬ଟି ପଞ୍ଚାୟତ ମଧ୍ୟରୁ ୫ଟିରେ ମେଡିକାଲ୍ ଟିମ୍ ପକ୍ଷରୁ ସବ୍ ସେଣ୍ଟର୍ ଖୋଲାଯାଇ ଚିକିତ୍ସା ସୁବିଧା ଯୋଗାଇ ଦିଆଯାଇଛି। ସ୍ଥିତି ନିୟନ୍ତ୍ରଣ ପାଇଁ ବିଶେଷଜ୍ଞ, ମେଡିକାଲ୍ ଟିମ୍, ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷ ଆକ୍ସନ୍ ମୁଡ଼ରେ କାର୍ଯ୍ୟ ଜାରି ରଖିଛନ୍ତି। ୨/୩ ଦିନ ମଧ୍ୟରେ ମୋବାଇଲ୍ ହେଲଥ୍ ୟୁନିଟ୍, ସବ୍ ସେଣ୍ଟର ଓ ଡାକ୍ତରୀ ଦଳ ସଂଖ୍ୟା ବୃଦ୍ଧି କରିବା ନେଇ ପ୍ରଶାସନ ନକ୍ସା ପ୍ରସ୍ତୁତ କରିଛି।
ଅନ୍ୟପକ୍ଷରେ; କିଛି ବର୍ଷର ବ୍ୟବଧାନ ପରେ କାହିଁକି କାଶୀପୁରକୁ ଭିବ୍ରିଓ କଲେରା ଫେରିଲା, ତାହାର କାରଣ ଖୋଜିବା ଆରମ୍ଭ କରିଛି ଆରଏମ୍ଆରସି ବିଶେଷଜ୍ଞ ଟିମ୍। ବରିଷ୍ଠ ବୈଜ୍ଞାନିକ ବିଭୂତି ଭୂଷଣ ପାଲଙ୍କ ନେତୃତ୍ବରେ ଆସିଥିବା ଟିମ୍ ପ୍ରଭାବିତ ଗାଁରୁ ଜଳ ଓ ମଳ ନମୁନା ସଂଗ୍ରହ କରିବା ସହ ଆକ୍ରାନ୍ତ, ମୃତକଙ୍କ ପରିବାର ସହ ଆଲୋଚନା କରିଛନ୍ତି। ମୃତ୍ୟୁ ପୂର୍ବରୁ ଆକ୍ରାନ୍ତଙ୍କ ନିକଟରେ କେଉଁ କେଉଁ ଲକ୍ଷଣ ଦେଖା ଯାଇଥିଲା, ଆକ୍ରାନ୍ତଙ୍କ ମୃତ୍ୟୁ ପରେ ପରିବାରର ଅନ୍ୟ ସଦସ୍ୟଙ୍କ ପୂର୍ବ ଏବଂ ପରବର୍ତ୍ତୀ ସ୍ବାସ୍ଥ୍ୟାବସ୍ଥା, ଗ୍ରାମବାସୀଙ୍କ ଖାଦ୍ୟପେୟ, ପାନୀୟ ଜଳ ସଂଗ୍ରହ ଓ ଶୌଚ ଏପରି ଅନେକ ଦିଗକୁ ଗବେଷଣା ପରିସରଭୁକ୍ତ କରିଛି ଆରଏମଆରସି ଟିମ୍।