ରାୟଗଡ଼ା : ରୂପ ବଦଳାଉଛି କଲେରା ଭୂତାଣୁ। ଆକ୍ରାନ୍ତଙ୍କ ନମୁନା ପରୀକ୍ଷା ସମୟରେ ଚିହ୍ନଟ ହୋଇଛି ନୂଆ ଭୂତାଣୁ ଇ ଡଟ୍ କୋଲାଇ। ଆରଏମ୍ଆରସିକୁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଏହି ନୂଆ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଛି। ଯାହାକୁ ନେଇ ଚିନ୍ତାରେ ପଡ଼ିଛି ସ୍ବାସ୍ଥ୍ୟ ବିଭାଗ। ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି. ଆପାଙ୍ଗ ଆଓ କାଶୀପୁରରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଥିବାବେଳେ ସଂଧ୍ୟାରେ ରାୟଗଡ଼ାରେ ପହଞ୍ଚିଛନ୍ତି ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର।
ଗତ ଦୁଇ ଦିନରେ ସଂଗ୍ରହ ହୋଇଥିବା ନମୁନାରେ ନୂଆ ଭୂତାଣୁର ନୂଆ ପ୍ରଜାତି ଇ ଡଟ୍ କୋଲାଇ ଏବଂ ସିଜୋଲିସସ୍ ଚିହ୍ନଟ ହୋଇଛି। ଭିବ୍ରିଓ କଲେରା ଆକ୍ରାନ୍ତଙ୍କ ମଳରେ ଜଳୀୟ ଅଂଶ ଅଧିକ ଯାଉଥିବାବେଳେ ଇ କୋଲାଇ ଆକ୍ରାନ୍ତଙ୍କ ମଳରେ ରକ୍ତର ପରିମାଣ ଅଧିକ ରହୁଛି। ଯାହା ଆକ୍ରାନ୍ତଙ୍କ ପାଇଁ ଘାତକ ସାଜିବା ସହ ଜୀବନ ନେଉଛି। ପରୀକ୍ଷା ପାଇଁ ଯାଇଥିବା ୨୭ ନମୁନା ମଧ୍ୟରୁ ୧୭ ନମୁନାରେ ଇ କୋଲାଇ, ୬ ନମୁନାରେ ଭିବ୍ରିଓ କଲେରା, ୪ଟି ନମୁନାରେ ସିଜୋଲେସିସ୍ ଭୂତାଣୁ ଚିହ୍ନଟ ହୋଇଛି। ନୂତନ ପ୍ରଜାତିର ଭୂତାଣୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ଉପରେ ସ୍ବତନ୍ତ୍ର ନଜର ରଖିଛି ସ୍ବାସ୍ଥ୍ୟ ବିଭାଗ ଟିମ୍। ଧୀରେଧୀରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଥିବା ବେଳେ ନୂଆ ଭୂତାଣୁର ମୁକାବିଲା ସ୍ବାସ୍ଥ୍ୟ ବିଭାଗ ପାଇଁ ଚ୍ୟାଲେଞ୍ଜ ସଦୃଶ୍ୟ ହୋଇଛି।
କାଶୀପୁର କଲେରା ସ୍ଥିତି ସଙ୍ଗିନ୍ ହେବାରେ ଲାଗିଥିବାରୁ ଆଜି ଅପରାହ୍ନରେ ଟିକିରି ଓ ଉଷାପଡ଼ା ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଦକ୍ଷିଣାଞ୍ଚଳ ରାଜସ୍ବ କମିସନର ଟି. ଆପାଙ୍ଗ ଆଓ। ଶ୍ରୀ ଆଓ ଆକ୍ରାନ୍ତ ଓ ମୃତକଙ୍କ ପରିବାର ସହ ଆଲୋଚନା କରି ଦୁଡୁକାବାହଲ ଗ୍ରାମକୁ ଯାଇ ଦୂଷିତ କୂଅକୁ ଦେଖିଥିଲେ। ଉକ୍ତ କୂଅକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଥିବା ବେଳେ ଆଜି ଉକ୍ତ ଗ୍ରାମରେ ନୂତନ ପାନୀୟ ଜଳ ପ୍ରକଳ୍ପର ଖନନ ଆରମ୍ଭ ହୋଇଛି। ଏହାପରେ କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିଦର୍ଶନରେ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଥିଲେ। ଆରଡିସିଙ୍କ ଗସ୍ତ ପୂର୍ବରୁ ଜିଲ୍ଲାପାଳ ସ୍ୱଧା ଦେବ ସିଂ କାଶୀପୁର ଗସ୍ତରେ ଯାଇ ପ୍ରଭାବିତ ଗ୍ରାମ ଗୁଡ଼ିକରେ ସ୍ଥିତି ଅନୁଧ୍ୟାନ କରିଥିଲେ।
ଅନ୍ୟପକ୍ଷରେ, ନୂଆ ଆକ୍ରାନ୍ତଙ୍କୁ ମିଶାଇ କାଶୀପୁର ବ୍ଲକ୍ରେ ମୋଟ ଆକ୍ରାନ୍ତ ସଂଖ୍ୟା ୧୦୬ ଟପିଛି।
ଦଶମନ୍ତପୁରରେ ବି ଝାଡ଼ାବାନ୍ତି ବ୍ୟାପିଲା, ୨ ମୃତ, ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ବୃଦ୍ଧି
କୋରାପୁଟ/ଦଶମନ୍ତପୁର : ରାୟଗଡା ଜିଲ୍ଲା କାଶୀପୁର ବ୍ଲକ୍ ପରେ ପଡ଼ୋଶୀ ଜିଲ୍ଲା କୋରାପୁଟକୁ ଡେଇଁଛି କଲେରା। ଦଶମନ୍ତପୁର ବ୍ଲକ୍ରେ ଦ୍ରୁତଗତିରେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଗତକାଲି ସୁଦ୍ଧା ୨୨ଜଣ ଆକ୍ରାନ୍ତ ହୋଇ ସାରିଥିବାବେଳେ ଦୁଇ ଜଣଙ୍କର ମୃତ୍ୟ ହୋଇଥିଲା। ଏହାପରେ ଆଜି ପୁଣି ୩ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରେ ଦୁଇ ଜଣ ଶିଶୁ ଏବଂ ଜଣେ ମହିଳା ରହିଥିବା ଜଣାପଡ଼ିଛି। ଧୀରେ ଧୀରେ ପରିସ୍ଥିତି ବେକାବୁ ହେଉଥିବାରୁ ପ୍ରଶାସନର ଚିନ୍ତା ବଢ଼ାଇଛି ଏବଂ ସ୍ବାସ୍ଥ୍ୟ ବିଭାଗର ନିଦ ହଜାଇ ଦେଇଛି।
ସୂଚନାଯୋଗ୍ୟ, ପୂର୍ବରୁ ୨୦୦୭ ମସିହାରେ ମଧ୍ୟରେ ଦଶମନ୍ତପୁର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପିଥିଲା। ସେହି ସମୟରେ ୧୮୦ଜଣ ଆକ୍ରାନ୍ତଙ୍କ ଅକାଳରେ ମୃତ୍ୟୁ ହୋଇଯାଇଥିଲା। ଆମ୍ବ ଟାକୁଆ ଖାଇ ଲୋକେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ସେତେବେଳେ ଚର୍ଚ୍ଚା ହୋଇଥିଲା। ଏପରିକି ପାନୀୟ ଜଳ ସମସ୍ୟା, ଯାତାୟାତାରେ ଅସୁବିଧା ଯୋଗୁ ଏତେ ସଂଖ୍ୟାରେ ଲୋକଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା। ୧୫ବର୍ଷର ବ୍ୟବଧାନ ପରେ ପୁଣି ଝାଡ଼ାବାନ୍ତି ଲେଉଟି ପୁଣି ସଂଗିନ୍ ପରିସ୍ଥିତି ସୃଷ୍ଟି କରିଛି।