ରାୟଗଡ଼ା : କାଶୀପୁରରେ ନିୟନ୍ତ୍ରଣକୁ ଆସୁନି କଲେରା ସ୍ଥିତି। ବ୍ୟାପକ ପଦକ୍ଷେପ ସତ୍ତ୍ବେ ଦୈନିକ ବଢ଼ିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା। ପୁରୁଷ, ମହିଳାଙ୍କ ପରେ ଏବେ କଲେରାର ଶିକାର ହୋଇଛନ୍ତି ଶିଶୁ। ୮ଜଣ ଶିଶୁ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାଶ ଟିକିରି ଗସ୍ତ କରି ସ୍ଥିତି ସମୀକ୍ଷା କରିବା ପରେ ସ୍ବାସ୍ଥ୍ୟ ବିଭାଗ କର୍ତ୍ତୃପକ୍ଷ ଅଧିକ ତତ୍ପର ହୋଇଛନ୍ତି।
ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟାରେ ରୋକ୍ ଲଗାଇବା ପାଇଁ ୨୫୯ ଗାଁ ଉପରେ ସ୍ବାସ୍ଥ୍ୟ ବିଭାଗ ତୀକ୍ଷ୍ଣ ନଜର ରଖିଛି। ୨୧୪ ଗାଁରେ କଲେରା ନ ବ୍ୟାପିବା ଲାଗି ଜଳ ବିଶୋଧନ ସହ ଅନ୍ୟ ନିରାକରଣ ବ୍ୟବସ୍ଥା ଶେଷ ହୋଇଛି। କିନ୍ତୁ ଟିକିରି, ଦୁଡୁକାବାହଲ, ଗୋବରଘାଟି, ଡେଙ୍ଗାଗୁଡ଼ା, ପାଞ୍ଚାଳି, ଡଙ୍ଗାସିଲ୍ ସମେତ ୮ଟି ଗାଁକୁ କଲେରା କରାୟତ କରି ସାରିଲାଣି। ଆକ୍ରାନ୍ତ ସଂଖ୍ୟା ୨୫୦ ଟପିଥିବା ବେଳେ ଘରେ ଘରେ ଆକ୍ରାନ୍ତ ପଡି ରହିଥିବାରୁ ୮ଟି ମୋବାଇଲ୍ ହେଲଥ୍ ଟିମ୍ ଗାଁକୁ ଗାଁ ବୁଲି ଆକ୍ରାନ୍ତଙ୍କ ସ୍ବାସ୍ଥ୍ୟବସ୍ଥା ତଦାରଖ କରୁଛନ୍ତି। କାଶୀପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୧୦, ଟିକିରି ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ୨୦, ଉତ୍କଳ ଆଲୁମିନା ହସ୍ପିଟାଲରେ ୩୮ ଜଣଙ୍କ ଚିକିତ୍ସା ଚାଲିଛି।
କାଶୀପୁର, ଟିକିରି, ଉଷାପଡ଼ା ଡାକ୍ତରଖାନାରେ ୬୮ ଚିକିତ୍ସାଧୀନ
୨୫୯ ଗାଁ ଉପରେ ସ୍ବାସ୍ଥ୍ୟ ବିଭାଗର ନଜର, ଚାଲିଛି ସଚେତନତା
୨୧୪ ଗାଁରେ ସରିଲା ନିରାକରଣ, ବସିଲା ଟାସ୍କଫୋର୍ସ ବୈଠକ
ଜଣେ ପରେ ଜଣେ ଆକ୍ରାନ୍ତ ଚିକିତ୍ସା ପାଇଁ ଡାକ୍ତରଖାନାକୁ ଆସୁଥିବା ବେଳେ ବେଳେ ୮ ଶିଶୁ ଗୁରୁତର ଅସୁସ୍ଥ ହୋଇ ଚିକିତ୍ସା ପାଇଁ ଭର୍ତ୍ତି ହୋଇଛନ୍ତି। ଗୋବରଘାଟି ଗାଁର ୪ବର୍ଷର ଶିଶୁ କବର ମାଝି, ପାଞ୍ଚାଳିର ୨ବର୍ଷର ଶିଶୁ ନୟନା ମାଝି, ତାଣାବନ୍ଧ ଗାଁର ବବିଲି ମାଝି, ପଣସପଦର ଗ୍ରାମର ବର୍ଷକର ଶିଶୁ ସୋନାଲି କୁମାର, ଟିକିରିର ୬ବର୍ଷର ଶିଶୁ ବଗଲା ମାଝି ଟିକିରି ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଜଣେ ଶିଶୁର ଅବସ୍ଥା ସଙ୍କଟାପନ୍ନ ହେବା ପରେ ଉତ୍କଳ ଆଲୁମିନା ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଡାକ୍ତରୀ ଟିମର ତଦାରଖ ପରେ ସମସ୍ତ ଶିଶୁଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଥିବା ଡାକ୍ତର ପ୍ରକାଶ କରିଛନ୍ତି। ଦୂଷିତ ପାନୀୟ ଜଳ, ଅଖାଦ୍ୟ ଠାରୁ ଦୂରେଇ ରହିବା ସହ ଗରମ ପାଣି ପିଇବାକୁ ଗ୍ରାମବାସୀଙ୍କୁ ପ୍ରଶାସନ ଓ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସଚେତନତା କରାଯାଉଛି।
ଶନିବାର ଟିକିରି ଗସ୍ତରେ ଆସି ସ୍ବାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାଶ କଲେରା ସ୍ଥିତି ସମୀକ୍ଷା କରି ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ସମସ୍ତ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଧିକ ମୋବାଇଲ୍ ହେଲଥ୍ ଟିମ୍ ମୁତୟନ, ନମୁନା ପରୀକ୍ଷା ବଢ଼ାଇବାକୁ ମନ୍ତ୍ରୀ କହିଛନ୍ତି। ମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ଉପଜିଲ୍ଲାପାଳ ଭୀମସେନ ଶବରଙ୍କ ଅଧ୍ୟକ୍ଷତାରେ ବ୍ଲକସ୍ତରୀୟ ଟାସ୍କଫୋର୍ସ କମିଟିର ବୈଠକ ବସିଛି। ପଞ୍ଚାୟତ ଅଫିସରେ ବସିଥିବା ବୈଠକରେ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡା. ଶ୍ରୀ ରାୟ, କାଶୀପୁର ବିଡିଓ, ତହସିଲଦାର, ମହାମାରୀ ବିଶେଷଜ୍ଞ, ଆଶା, ଅଙ୍ଗନବାଡ଼ି, ବହୁମୁଖୀ ସ୍ବାସ୍ଥ୍ୟକର୍ମୀ, ପଞ୍ଚାୟତ ପ୍ରତିନିଧି, ଶିକ୍ଷା, ସମନ୍ବିତ ଶିଶୁ ବିକାଶ ଏବଂ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ କର୍ତ୍ତୃପକ୍ଷଙ୍କୁ ନେଇ ଉଚ୍ଚସ୍ତରୀୟ ଆଲୋଚନା ହୋଇଛି। ବ୍ଲକ୍ କର୍ତ୍ତୃପକ୍ଷ ଗ୍ରାମସ୍ତରରେ ସଚେତନତା, ପରିମଳ ବ୍ୟବସ୍ଥା ସୁଧାରିବା ଉପରେ ଫୋକସ୍ କରିବାକୁ କୁହାଯାଇଛି। ସେହିପରି ଜଳ ଯୋଗାଣ ବିଭାଗ ନଳକୂପ ଓ ଜଳ ଉତ୍ସ ଗୁଡ଼ିକର ବିଶୋଧନ, କ୍ଲୋରିନେସନ୍, ନମୁନା ପରୀକ୍ଷା ତୁରନ୍ତ ସାରିବାକୁ ନିର୍ଦ୍ଦେଶ ମିଳିଛି। ପ୍ରଭାବିତ ଗାଁରେ ହାଲୋଜିନ୍ ଔଷଧ ବଣ୍ଟନ, ଘରକୁ ଘର ସର୍ଭେ ପାଇଁ ରାପିଡ୍ ରେସପନସ୍ ଟିମ୍କୁ ନିର୍ଦ୍ଦେଶ ହୋଇଛି। ଶୁକ୍ରବାର ରାତିରେ ଡେଙ୍ଗାଗୁଡ଼ା ଗ୍ରାମର ମୃତକଙ୍କୁ ମିଶାଇ କଲେରା ମୃତ୍ୟୁ ସଂଖ୍ୟା ୯ରେ ପହଞ୍ଚିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/rayagada-f.jpg)