ପୁରୀ ଜିଲ୍ଲାର କୌଣସି ସ୍ଥାନରେ ହଇଜାର ସୂଚନା ନାହିଁ

0

ଭୁବନେଶ୍ୱର : ବାତ୍ୟା କ୍ଷତିଗ୍ରସ୍ତ ପୁରୀ ଜିଲ୍ଲାର କୌଣସି ଅଞ୍ଚଳରେ ହଇଜା ଦେଖା ଦେଇନାହିଁ। ଯେଉଁ କେତେକ ଝାଡାବାନ୍ତି ରୋଗୀ ଚିକିତ୍ସାଳୟକୁ ଆସୁଛନ୍ତି ସେମାନଙ୍କ ମଧ୍ୟରୁ ସଂଖ୍ୟାଧିକ ବାସି ଖାଦ୍ୟ ଓ ଭୋଜି ଖାଇ ଏଭଳି ଭୋଗୁଥିବାବେଳେ ଗୋଟିଏ ହେଲେ ନମୂନା ପରୀକ୍ଷାରେ ହଇଜା ମିଳିନଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଆଜି କୁହାଯାଇଛି। ବିଭାଗ ପକ୍ଷରୁ ଦର୍ଶାଯାଇଛି ଯେ ପୁରୀ ଜିଲ୍ଲାର ବିଭିନ୍ନ ଚିକିତ୍ସାଳୟକୁ ଗତ କିଛିଦିନ ଧରି ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ରୋଗୀ ଆସିବାରେ ଲାଗିଛନ୍ତି । ଏମାନଙ୍କୁ ତୁରନ୍ତ ଚିକିତ୍ସା ସହିତ ବିପଦ ଆଶଙ୍କାରେ ସମସ୍ତ ରୋଗୀଙ୍କ ମଳ ନମୂନା ପରୀକ୍ଷା କରାଯାଉଛି। ତେବେ ବର୍ତ୍ତମାନ ସୁଦ୍ଧା କୌଣସି ନମୂନାରେ ହଇଜା ମିଳିନାହିଁ। ଇତି ମଧ୍ୟରେ ଜିଲ୍ଲାର ସତ୍ୟବାଦୀ, ବ୍ରହ୍ମଗିରି, କୃଷ୍ଣପ୍ରସାଦ ଆଦି ବ୍ଲକରୁ କେତେକ ଝାଡାବାନ୍ତି ସଂକ୍ରାନ୍ତୀୟ ଅଭିଯୋଗ ଆସିଥିବାବେଳେ ସେହି ସବୁ ସ୍ଥାନକୁ ତୁରନ୍ତ ଡାକ୍ତରୀଦଳ ପଠାଯାଇ ନମୂନା ସଂଗ୍ରହ କରାଯାଇଥିଲା। କୌଣସି ନମୂନାରୁ ହଇଜା ନଥିବା ଜଣାପଡିଥିବାବେଳେ ସେମାନେ ସମସ୍ତେ ସାମାନ୍ୟ ଝାଡାବାନ୍ତିରେ ଆକ୍ରାନ୍ତ ପରେ ଚିକିତ୍ସିତ ହୋଇ ଫେରିଛନ୍ତି।

ତେବେ ବାତ୍ୟା ହୋଇନଥିବା ସୋନପୁର ଜିଲ୍ଲା ନାୟକେନପାଲିର ଜାନୁମୁରା ଗ୍ରାମରେ ହଠାତ୍‌ ଝାଡାବାନ୍ତିରେ ୧୬ଜଣ ଆକ୍ରାନ୍ତ ହୋଇ ଚିକିତ୍ସା ପାଇଁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆସିଥିଲେ। ଅନୁଧ୍ୟାନରୁ ଜଣାଯାଇଛି ଯେ ସମସ୍ତ ଆକ୍ରାନ୍ତ ବ୍ୟକ୍ତି ବାସି ମିଠା ଖାଇ ଖାଦ୍ୟ ବିଷକ୍ରିୟାର ଶିକାର ହୋଇଛନ୍ତି। ଇତି ମଧ୍ୟରେ ସ୍ୱାସ୍ଥ୍ୟ ବିଭାଗର ତ୍ୱରିତ କାର୍ଯ୍ୟାନୁଷ୍ଠାନ ଦଳ ସମ୍ପୃକ୍ତ ଅଞ୍ଚଳକୁ ଯାଇ ଖାଦ୍ୟ ନମୂନା ସହିତ ରୋଗୀଙ୍କ ମଳ ଓ ପାନୀୟଜଳ ନମୂନା ସଂଗ୍ରହ କରିଛନ୍ତି। ବାତ୍ୟାଞ୍ଚଳରେ ଯେଭଳି କୌଣସି ସ୍ଥାନରେ ମହାମାରୀ ନବ୍ୟାପେ ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗ ସର୍ତକତା ଅଲମ୍ବନ କରି ସେହି ଅଞ୍ଚଳକୁ ଡାକ୍ତର, ପାରାମେଡିକ୍‌ ଏବଂ ଭ୍ରାମ୍ୟମାଣ ଚିକିତ୍ସକ ଦଳ ମୁତୟନ କରିଛି। ଏଠାକୁ ପର୍ଯ୍ୟାପ୍ତ ଔଷଧ ସହିତ ଜଳ ବିଶୋଧନ ପାଇଁ ଆବଶ୍ୟକ ହାଲୋଜେନ, କ୍ଲୋରିନ୍‌ ଆଦି ଯୋଗାଇ ଦିଆଯାଇଛି। ଗାଁ କଲ୍ୟାଣ ସମିତି ଜରିଆରେ ଇତି ମଧ୍ୟରେ ୨୦ହଜାରରୁ ଅଧିକ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ୮୯,୦୯୧ ମୁକ୍ତ ଜଳଉତ୍ସ ଗୁଡିକୁ ବିଶୋଧନ କରାଯାଇଛି। ବର୍ତ୍ତମାନ ବାତ୍ୟାଞ୍ଚଳରେ ରୋଗ ସର୍ବେକ୍ଷଣ କରୁଥିବା କେନ୍ଦ୍ର ସରକାର ଓ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ବିଶେଷଜ୍ଞଦଳ ସଂକ୍ରମଣ ସଂକ୍ରାନ୍ତରେ କୌଣସି ଆଗୁଆ ସର୍ତକ ସୂଚନା ଦେଇନାହାନ୍ତି। ତେବେ ସ୍ଥିତିକୁ ଦେଖି କ୍ଷତିଗ୍ରସ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଓ ପରିମଳ ଉପରେ ସଜାଗ ଦୃଷ୍ଟି ରଖାଯାଇଛି। ପୁରୀ ଜିଲ୍ଲାର କୌଣସି କିଶୋରୀ ଓ ମହିଳା ଯେଭଳି ସଂକ୍ରମଣର ଶିକାର ନହୁଅନ୍ତି ସେଥିପାଇଁ ଆସନ୍ତା ଦୁଇମାସ ପାଇଁ ମାଗଣାରେ ୨୪ଲକ୍ଷ ସାନିଟାରୀ ନାପ୍‌କିନ୍‌ ବଣ୍ଟନ ପାଇଁ ବ୍ୟବସ୍ଥା ହୋଇଥିବାବେଳେ ନିମାପଡା, ଗୋପ, ଅସ୍ତରଙ୍ଗ, କଣାସ, କାକଟପୁର ଓ ସତ୍ୟବାଦୀ ବ୍ଲକରେ ଏହାର ବଣ୍ଟନ ଆରମ୍ଭ ହୋଇଛି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.