୩ବର୍ଷ ପରେ ରାଜ୍ୟକୁ ଫେରିଲା କଲେରା: ୫ବର୍ଷରେ ଡାଇରିଆରେ ଯାଇଛି ୪୩୦ ଜୀବନ

ଡାଇରିଆ ବ୍ୟାପିଥିବା ଜିଲ୍ଲାରେ ଖାଲି ପଡ଼ିଛି ୨୫୦୩ ପଦବି

ଭୁବନେଶ୍ବର: ରାୟଗଡ଼ାର କାଶୀପୁର ସମେତ ୭ଟି ଜିଲ୍ଲାରେ ଏବେ ଡାଇରିଆ ବ୍ୟାପିବାରେ ଲାଗିଛି। ନିକଟ‌ରେ ସ୍ବାସ୍ଥ୍ୟମନ୍ତ୍ରୀ ବିଧାନସଭାରେ ଦେଇଥିବା ସୂଚନା ଅନୁସାରେ ରାଜ୍ୟରେ ଚଳିତବର୍ଷ ୪୩୨ଜଣ ଡାଇରିଆରେ ଆକ୍ରାନ୍ତ ଥିବା ବେଳେ ୧୭ଜଣଙ୍କ ମୃତ୍ୟୁ ହୋଇଛି। କିନ୍ତୁ ୩ବର୍ଷର ବ୍ୟବଧାନ ପରେ ରାଜ୍ୟରେ ପୁଣିଥରେ କଲେରା(ହଇଜା) ଚିହ୍ନଟ ହୋଇଛି। ୨୦୧୯ ମସିହାରେ ରାଜ୍ୟରେ ଏଥିରେ ୯ଜଣ ଆକ୍ରାନ୍ତ ହୋଇଥିଲେ। କିନ୍ତୁ ଜଣେ ହେଲେ ବି ପ୍ରାଣ ହରାଇ ନଥିଲେ। ଚଳିତବର୍ଷ କାଶୀପୁରରେ ଏକାଧିକ ବ୍ୟକ୍ତି କଲେରାରେ ଆକ୍ରାନ୍ତ ହୋଇଛନ୍ତି। ମାତ୍ର ଏଥିରେ କେତେଜଣ ପ୍ରାଣ ହରାଇଛନ୍ତି ତାହା ଏ ଯାଏଁ ସ୍ପଷ୍ଟ ହୋଇନାହିଁ।

ସ୍ମରଣଥାଉକି, ରାଜ୍ୟରେ ଡାଇରିଆର ଇତିହାସ ବେଶ୍ ପୁରୁଣା। ବର୍ଷ ବର୍ଷ ଧରି ରାଜ୍ୟରେ ଲକ୍ଷାଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି। ଅନେକଙ୍କ ଜୀବନ ମଧ୍ୟ ଯାଉଛି। କିନ୍ତୁ ସ୍ଥିତିରେ ସୁଧାର ଆସୁନାହିଁ। କିଛି ନିର୍ଦ୍ଦିଷ୍ଟ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ବେଶ୍‌ ଅଧିକ ରହିଛି। ଦେଶରେ ପ୍ରତିବର୍ଷ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହେଉଥିବା ଯେଉଁ କେତୋଟି ପ୍ରମୁଖ ରାଜ୍ୟ ରହିଛନ୍ତି ତହିଁରେ ଓଡ଼ିଶା ରହିଛି। ଉପଯୁକ୍ତ ପାନୀୟ ଜଳର ଅଭାବ ଓ ବିଷାକ୍ତ ଖାଦ୍ୟ ଗ୍ରହଣ ଡାଇରିଆର ପ୍ରମୁଖ କାରଣ ହୋଇଥିବା ବେଳେ ଏହାର ଅଭାବ ବିପଦକୁ ଡାକି ଆଣୁଛି। ଏହାସହ ରୋଗୀଙ୍କୁ ଠିକ୍ ସମୟରେ ଚିକିତ୍ସା ନ ମିଳିବା ଯୋଗୁଁ ମୃତ୍ୟୁ ହେଉଥିବା ବିଶେଷଜ୍ଞମାନେ କହୁଛନ୍ତି। ଜାତୀୟ ସ୍ବାସ୍ଥ୍ୟ ପ୍ରୋଫାଇଲ ବା ଏନ୍‌ଏଚ୍‌ଏଫ୍‌ରୁ ମିଳିଥିବା ସୂଚନା ଅନୁସାରେ, ୨୦୧୩ ମସିହାରୁ ୨୦୧୮ ମସିହା ପର୍ଯ୍ୟନ୍ତ ଜଣେ ହେଲେ ବି କଲେରା ଆକ୍ରାନ୍ତ ଚିହ୍ନଟ ହୋଇ ନ ଥିଲେ। ତେବେ ୨୦୧୮ ମସିହାରେ ରାଜ୍ୟରେ ୩ଜଣ କଲେରାରେ ଆକ୍ରାନ୍ତ ହୋଇଥିଲେ। ୨୦୧୯ ମସିହାରେ ୬ଜଣ ପୁରୁଷ ଓ ୩ଜଣ ମହିଳାଙ୍କୁ ମିଶାଇ ମୋଟ ୯ଜଣ ଏଥିରେ ଆକ୍ରାନ୍ତ ହୋଇଛନ୍ତି। ବିଶେଷଜ୍ଞଙ୍କ ମତରେ କଲେରାର ଦୁଇଟି ଷ୍ଟ୍ରେନ୍ ରହିଛି। ଗୋଟିଏ ହେଲା ଭିବ୍ରିଓ ଓ ଅନ୍ୟଟି ଏଲଟର। ଭିବ୍ରିଓ କଲେରା ବେଶ୍‌ ଘାତକ। ପୂର୍ବରୁ ରାଜ୍ୟରେ ବହୁ ସଂଖ୍ୟାରେ ଭିବ୍ରିଓ କଲେରା‌ ଦେଖିବାକୁ ମିଳୁଥିଲା। ମାତ୍ର ଏହି ସଂଖ୍ୟା ହ୍ରାସ ପାଇଛି। ତଥାପି ସଂପୂର୍ଣ୍ଣ ଯାଇନାହିଁ। ତେଣୁ ଯେତେବେଳେ ଅଧିକ ସଂଖ୍ୟାରେ ରୋଗୀ ଡାଇରିଆରେ ଆକ୍ରାନ୍ତ ହେଉଛନ୍ତି ସେତେବେଳେ ଲୁଚି ରହିଥିବା ଭିବ୍ରିଓ କଲେରା ପୁଣିଥରେ ଆତ୍ମପ୍ରକାଶ କରୁଛି।

ବ୍ୟାକ୍ଟେରିଆ, ଭୂତାଣୁ, ଫଙ୍ଗସ୍ ଓ କୃମି ଆଦି କାରଣରୁ ଡାଇରିଆ(ଏଡିଡି) ହୋଇଥାଏ। ବିଷାକ୍ତ ପାଣି, ପରିମଳ ବ୍ୟବସ୍ଥାର ଅଭାବ, ଠିକ୍‌ରେ ହାତ ନ ଧୋଇବା ଓ ଅନେକ ପାରମ୍ପରିକ ଖାଦ୍ୟ ଗ୍ରହଣ ଭଳି କାରଣ ପାଇଁ ଡାଇରିଆ ବ୍ୟାପିଥାଏ। ବିଶେଷକରି ଗ୍ରାମାଞ୍ଚଳରେ ବସବାସ କରୁଥିବା ଲୋକମାନେ ଏହା ଉପରେ ସେତେଟା ଗୁରୁତ୍ବ ଦେଇ ନ ଥାନ୍ତି। ତେଣୁ ବର୍ଷ ପରେ ବର୍ଷ ରାଜ୍ୟରେ ଡାଇରିଆ ବ୍ୟାପିବାରେ ଲାଗିଛି। ୨୦୧୬ ମସିହାରେ ରାଜ୍ୟରେ ୧୦୩, ୨୦୧୭ରେ ୭୮, ୨୦୧୮ରେ ୮୮, ୨୦୧୯ରେ ୭୩, ୨୦୨୦ରେ ୨୮ ଓ ୨୦୨୧ରେ ୬୦ଜଣ ଡାଇରିଆରେ ପ୍ରାଣ ହରାଇଛନ୍ତି। ୨୦୧୩ ମସିହାରେ ୨୧୭ଜଣ ଡାଇରିଆରେ ପ୍ରାଣ ହରାଇଥିଲେ। ଗତ ୫ବର୍ଷ ଭିତରେ ପ୍ରତିବର୍ଷ ୪ଲକ୍ଷରୁ ଅଧିକ ଲୋକ ଡାଇରିଆରେ ଆକ୍ରାନ୍ତ ହୋଇଛନ୍ତି। ଚଳିତବର୍ଷ ରାୟଗଡ଼ାକୁ ବାଦ୍ ଦେଲେ କୋରାପୁଟ, ନବରଙ୍ଗପୁର, ସୋନପୁର, ଝାରସୁଗୁଡ଼ା, ନୂଆପଡ଼ା ଜିଲ୍ଲାରେ ଡାଇରିଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଉଭୟ ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାକୁ ଡାଇରିଆ ବ୍ୟାପିଛି। ମାତ୍ର ଏହି ଦୁଇ ଅଞ୍ଚଳ ଆଦିବାସୀ ବହୁଳ ହୋଇଥିବା ବେଳେ ସ୍ବାସ୍ଥ୍ୟସେବା ଚିତ୍ର ବେଶ୍‌ ଦୟନୀୟ ରହିଛି। ପଶ୍ଚିମ ଓଡ଼ିଶାର ୯ଟି ଜିଲ୍ଲାରେ ୧୭୧୧ ଓ ଦକ୍ଷିଣ ଓଡ଼ିଶାର ୭ଟି ଜିଲ୍ଲାରେ ୭୯୨ଟି ଡାକ୍ତର ପଦବି ଖାଲି ପଡ଼ିଛି। ୧୬ଟି ଜିଲ୍ଲାରେ କେବଳ ଭଗବାନଙ୍କ ଭରସାରେ ଏସବୁ ସ୍ବାସ୍ଥ୍ୟକେନ୍ଦ୍ର ଚାଲିଛି। ସ୍ବାସ୍ଥ୍ୟ ବିଭାଗର ଅଧିକାରୀଙ୍କ ମତରେ ଚଳିତବର୍ଷ କାଶୀପୁରରେ ଡାଇରିଆ ବ୍ୟାପିବାର ପ୍ରମୁଖ କାରଣ ହେଉଛି ବାହାରେ ମଳତ୍ୟାଗ। ସ୍ଥାନୀୟ ଲୋକମାନେ ବାହାର ପାଣି ଉପରେ ନିର୍ଭର କରୁଥିବା ବେଳେ ବର୍ଷା ସମୟରେ ବାହାରେ ମଳତ୍ୟାଗ ପାଇଁ ଏଭଳି ସ୍ଥିତି ଉପୁଜିଛି। ମାତ୍ର ଧୀରେ ଧୀରେ ସ୍ଥିତି ନିୟନ୍ତ୍ରଣକୁ ଆସିବ। ଏସବୁ ଅଞ୍ଚଳରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ କରାଯାଉଛି। ଅନେକ କ୍ଷେତ୍ରରେ ରୋଗୀଙ୍କୁ ବିଳମ୍ବରେ ଡାକ୍ତରଖାନା ଆସୁଥିବାରୁ ସେମାନଙ୍କ ଜୀବନ ରକ୍ଷା କଷ୍ଟକର ହୋଇ ପଡ଼ୁଥିବା ଅଧିକାରୀ ମତ ରଖିଛନ୍ତି।

ଅପରପକ୍ଷରେ ୧୯୯୯ ମସିହାରେ କାଶୀପୁରରେ ଡାଇରିଆ ବ୍ୟାପିବା ପରେ ଆରଏମ୍‌ଆରସି ପକ୍ଷରୁ ସେଠାରେ ଏକ କ୍ଷେତ୍ର ୟୁନିଟ୍‌ ଖୋଲା ଯାଇଥିଲା। ଆରଏମ୍‌ଆରସି ପକ୍ଷରୁ ଓଡ଼ିଶାରେ କଲେରା ସଂପର୍କିତ ଏକାଧିକ ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ମୁଖ୍ୟତଃ ବିଶୁଦ୍ଧ ପାନୀୟ ଜଳର ଅଭାବ କଲେରା ବ୍ୟାପିବାର ମୁଖ୍ୟ କାରଣ ବୋଲି ଦର୍ଶାଯାଇଛି। ଏହାସହ ସଚେତନତାର ଅଭାବ, ପରିମଳ ବ୍ୟବସ୍ଥା ମଧ୍ୟ ଅଧିକାଂଶ ମାତ୍ରାରେ ଦାୟୀ। ଏହାସତ୍ତ୍ବେ ବର୍ଷ ବର୍ଷ ଧରି ଏସବୁ ଜିଲ୍ଲାଗୁଡ଼ିକରେ ବିଶୁଦ୍ଧ ପାନୀୟ ଜଳ ପହଞ୍ଚିପାରି ନାହିଁ। ଏବେ ବି ସ୍ଥାନୀୟ ଲୋକମାନେ ଚୁଆ, ନାଳ ଇତ୍ୟାଦି ଉପରେ ନିର୍ଭର କରୁଥିବା ଏକାଧିକ ରିପୋର୍ଟରେ ଦର୍ଶାଯାଇଛି।

ସମ୍ବନ୍ଧିତ ଖବର