ପୁରୀ: ଡିସେମ୍ବର ୧୭ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି କାମ ଆରମ୍ଭ ହେବ। ଏହା ପୂର୍ବରୁ ଆଜି ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ସହ ଏକ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଏସ୍ପି ବିନୀତ ଅଗ୍ରୱାଲ୍, ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଦେବବ୍ରତ ସାହୁ, ଏଏସ୍ଆଇର ଭୁବନେଶ୍ବର ମଣ୍ଡଳ ଉପଅଧୀକ୍ଷକ ଚିତ୍ତରଞ୍ଜନ ଦାସ, ସହକାରୀ ସଂରକ୍ଷକ ଜ୍ୟୋତିରଞ୍ଜନ ପ୍ରଧାନ, ଶ୍ରୀମନ୍ଦିର ପ୍ରଶାସନର ଯନ୍ତ୍ରୀ ନରେଶ ଦାଶ ଉପସ୍ଥିତ ଥିଲେ। ବୈଠକ ପରେ ଜିଲ୍ଲାପାଳ ଶ୍ରୀ ସ୍ବାଇଁ କହିଛନ୍ତି, ଆସନ୍ତା ୧୭ ତାରିଖରୁ ରତ୍ନଭଣ୍ଡାର ମରାମତି ପରିପ୍ରେକ୍ଷୀରେ ଠାକୁରଙ୍କ ନୀତିକାନ୍ତି ଓ ଅନ୍ୟାନ୍ୟ ବିଧିବ୍ୟବସ୍ଥା କିଭଳି ଚାଲିବ ସେ ସଂପର୍କରେ ବିସ୍ତୃତ ଆଲୋଚନା ହୋଇଥିଲା। ଏଏସ୍ଆଇର ଯେଉଁମାନେ ରତ୍ନଭଣ୍ଡାରକୁ ଯିବେ, ସେମାନଙ୍କ ତାଲିକା ମଗାଯାଇଥିଲା। ରତ୍ନଭଣ୍ଡାରରେ ପ୍ରବେଶ ପାଇଁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ସମସ୍ତଙ୍କୁ ସ୍ବତନ୍ତ୍ର ପରିଚୟପତ୍ର ପ୍ରଦାନ କରାଯିବ। ଏହି ପରିଚୟପତ୍ର ଦେଖାଇ ସେମାନେ ରତ୍ନଭଣ୍ଡାରରେ ପ୍ରବେଶ କରିବେ।
ମରାମତି ପାଇଁ ଶ୍ରୀମନ୍ଦିର ପ୍ରଶାସନ ଓ ଏଏସ୍ଆଇ ଅଧିକାରୀଙ୍କ ପ୍ରସ୍ତୁତି ବୈଠକ
ରତ୍ନଭଣ୍ଡାରକୁ ପ୍ରବେଶ ଓ ପ୍ରସ୍ଥାନ ସମୟରେ ପୁଲିସ ପକ୍ଷରୁ କଡ଼ାକଡ଼ି ଯାଞ୍ଚ କରାଯାଇ ସମସ୍ତଙ୍କୁ ଛଡ଼ାଯିବ। ଯେହେତୁ ଦ୍ବିତୀୟ ଭୋଗମଣ୍ଡପ ପରଠାରୁ ମରାମତି କାମ ଆରମ୍ଭ ହେବ, ତେଣୁ ରତ୍ନଭଣ୍ଡାର ମରାମତି କରିବାକୁ ଦିନ ସାଢ଼େ ୧୨ଟାରେ ଏଏସ୍ଆଇ ଦଳ ପଶିବେ ବୋଲି ଆମେ ଆଶା କରୁଛୁ। ଦୈନିକ ପ୍ରାୟ ୫ ଘଣ୍ଟା ମରାମତି କାମ ଚାଲିବ ଓ ୩ ମାସରେ ମରାମତି କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଏଏସ୍ଆଇର ଜଣେ ଅଧିକାରୀ କହିଛନ୍ତି, ଭିତର ଓ ବାହାର ରତ୍ନଭଣ୍ଡାରକୁ ମିଶାଇଲେ ଲମ୍ବା ୨୫ ଫୁଟ ଓ ଓସାର ପ୍ରାୟ ୧୫ ଫୁଟ ହେବ। ଚଟାଣରୁ ଛାତ ଉଚ୍ଚତା ବି ପାଖାପାଖି ୨୦ ଫୁଟ ହେବ। ବୈଜ୍ଞାନିକ ବୈଷୟିକ ପଦ୍ଧତିରେ ରତ୍ନଭଣ୍ଡାର ଫାଟ ଓ ଅନ୍ୟାନ୍ୟ ସ୍ଥିତି ଅନୁଧ୍ୟାନ କରାଯାଇଛି। ଯେଉଁ ସ୍ଥାନରେ ଫାଟ ରହିଛି, ସେଠାରୁ ପ୍ଲାଷ୍ଟର ଛଡ଼ାଯାଇ ଖୋଣ୍ଡଲାଇଟ୍ ପଥର ଲଗାଯିବ। ବିମ୍ ଖରାପ ହୋଇଛି ଓ ଲୁହା ବି କଳଙ୍କି ଲାଗିଛି। ଯେଉଁ ଜାଗାରେ କଳଙ୍କି ଲୁହା ସବୁ ରହିଛି ତାକୁ ହଟାଯାଇ କଳଙ୍କିବିହୀନ ଲୁହା ଲଗାଯିବ। ଶ୍ରୀମନ୍ଦିର ସୁରକ୍ଷାକୁ ଦୃଷ୍ଟିରେ ରଖି ଦୀର୍ଘସ୍ଥାୟୀ କାମ କରାଯିବ। ଆମର ପ୍ରାଥମିକ କାର୍ଯ୍ୟ ହେଉଛି ଭାରାବନ୍ଧା। ଏଣୁ ରତ୍ନଭଣ୍ଡାର ଭିତରେ ପ୍ରଥମେ ଭାରାବନ୍ଧା (ଲୁହା ଭାରା) କାମ ସରିବା ପରେ ମରାମତି ଆରମ୍ଭ ହେବ ବୋଲି ସଂପୃକ୍ତ ଅଧିକାରୀ କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2024/12/14/Li9BWpwKDMcqA2jnYTPQ.jpg)