ବଡ଼ବିଲ : କେନ୍ଦୁଝର ଜିଲ୍ଲା ବଡ଼ବିଲ ଥାନା ଅନ୍ତର୍ଗତ ଦାମୁହଟିଂର ଏକ ଜଙ୍ଗଲିଆ ସ୍ଥାନରୁ ପୁଲିସ ଚୋରା ପିଲେଟ୍ ଡିପୋ ଠାବ କରିଛି। ଏହି ଘଟଣାରେ ୩ଜଣଙ୍କୁ ଗିରଫ କରାଯାଇଛି।
ଦାମୁହଟିଂର ଏକ ଜଙ୍ଗଲିଆ ସ୍ଥାନରେ ଚୋରା ପିଲେଟ୍ ବୋଝେଇ ଡିପୋ କରାଯାଇଥିଲା। ବିଭିନ୍ନ ଖଣିରୁ ଟ୍ରକ୍ ଯୋଗେ ପିଲେଟ୍ ପରିବହନ ବେଳେ ମାଫିଆମାନେ ରାସ୍ତାରେ ଗାଡ଼ିଗୁଡ଼ିକୁ ଅଟକାଇ ଚାଳକଙ୍କୁ ଧମକାଉଥିଲେ। ସେଥିରୁ କିଛି ପିଲେଟ୍ ଲୁଟି ନେଉଥିଲେ। ଏହାକୁ ଦାମୁହଟିଂ ନିକଟ ଡିପୋରେ ଗଦା କରୁଥିଲେ। କିଛିଦିନ ପରେ ଜମା ହୋଇଥିବା ପିଲେଟ୍କୁ ଅନ୍ୟତ୍ର ଚାଲାଣ କରୁଥିଲେ। ଗତକାଲି ବିଳମ୍ବିତ ରାତିରେ ଖଣି ମାଫିଆମାନେ ଏକ ଟ୍ରକ୍ (ଜେଏଚ୍-୦୫-ଡବ୍ଲୁ-୪୦୧୭)ରେ ପିଲେଟ୍ ବୋଝେଇ କରୁଥିଲେ। ଖବର ପାଇ ବଡ଼ବିଲ ପୁଲିସର ଏକ ଟିମ୍ ସେଠାରେ ଚଢ଼ଉ କରି ପିଲେଟ୍ ବୋଝେଇ ଟ୍ରକ୍ ସମେତ ଏହାକୁ ସୁରକ୍ଷା ଦେବା ପାଇଁ ନିୟୋଜିତ ହୋଇଥିବା ବୋଲେରୋ (ଓଆର୍-୦୯-ଏମ୍-୭୬୨୨) ଜବତ କରିଥିଲେ। ମୋଟ୍ ୧୭ ଟନ୍ ପିଲେଟ୍ ଜବତ କରିଥିଲେ, ଯାହାର ଅନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ପୁଲିସ କହିଛି।
ଏହି ଘଟଣାରେ ପୁଲିସ ସହ ତିନିଜଣଙ୍କୁ ଗିରଫ କରିଛି। ଅଭିଯୁକ୍ତମାନେ ହେଲେ, ଝାଡ଼ଖଣ୍ଡ ସଢ଼େଇକଳା ଥାନା ଆଦିତ୍ୟପୁର ଅଞ୍ଚଳର ରୌନକ କୁମାର, ଯୋଡ଼ା ଥାନା ସହିଦନଗର ଉଲିହଟିଂର ପ୍ରଶାନ୍ତ ରାଜ ଓ ମୟୂରଭଞ୍ଜ ଜିଲ୍ଲା ଜାମୁଦା ଥାନା ମହେଶକୁଦର ଗ୍ରାମର ରାଜୁ ବିନ୍ଧାଣୀ। ବଡ଼ବିଲ ଥାନାରେ କେସ୍ ନମ୍ବର ୬୯/୨୩ ଦଫା ୩୭୯, ୧୨୦ (ବି), ୩୪ ଆଇପିସି ଧାରାରେ ଏକ ମାମଲା ରୁଜୁ କରାଯାଇଛି ଗିରଫ ଅଭିଯୁକ୍ତମାନଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ବଡ଼ବିଲ ଥାନା ସବ୍ଇନ୍ସପେକ୍ଟର ବରୋଦା ପ୍ରସନ୍ନ ସାହୁ ସୂଚନା ଦେଇଛନ୍ତି।