କଟକ : ବାରବାଟୀ ଷ୍ଟାଡିୟମ ପଡ଼ିଆର ଆଧୁନିକୀକରଣ କାମରେ ବ୍ୟବହୃତ ବାଲିରେ ହୋଇଛି ବଡ଼ଧରଣର କେଳେଙ୍କାରୀ। ପଡ଼ିଆରେ ବିଛା ଯାଇଥିବା ବାଲିର ହିସାବ ନାହିଁ। ବାଲି ଚାଲାଣ ପାଇଁ ଉଦ୍ଦିଷ୍ଟ ଥିବା ‘ଓ୍ୱାଇ ଫର୍ମ’ ହସ୍ତାନ୍ତରରେ ବ୍ୟାପକ ହେରଫେର ଅଭିଯୋଗ ହୋଇଛି। ଚୋରା ବାଲିରେ ଷ୍ଟାଡିୟମ ପଡ଼ିଆ ନିର୍ମାଣ ଅଭିଯୋଗ ହୋଇଥିବା ବେଳେ ଏ ସ˚କ୍ରାନ୍ତରେ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) କର୍ତ୍ତୃପକ୍ଷଙ୍କଠୁ କିନ୍ତୁ କୌଣସି ପ୍ରତିକ୍ରିୟା ମିଳିନାହିଁ। ଅନ୍ୟପଟେ ଏଭଳି ଅଭିଯୋଗ ସ˚କ୍ରାନ୍ତରେ ତଦନ୍ତ କରିବାକୁ ସଦର ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ବେଳେ ନିର୍ଦ୍ଦେଶର ମାସେ ପରେ ବି ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା ଜଣାପଡ଼ିଛି। ଭିଜିଲାନ୍ସ ବିଭାଗ ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଏହି ଘଟଣା ଉପରେ ରିପୋର୍ଟ ମଗାଯାଇଥିଲେ ମଧ୍ୟ ତହସିଲଦାରଙ୍କ ନିରବତା ଏକ ବଡ଼ ଦୁର୍ନୀତିକୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି। ଫେବ୍ରୁଆରି ୧୫ ତାରିଖରେ ଭାରତ ଓ ୱେଷ୍ଟଇଣ୍ତିଜ ମଧ୍ୟରେ ଆନ୍ତର୍ଜାତିକ ଦିନିକିଆ ମ୍ୟାଚ ଖେଳାଯିବାକୁ ଥିବାରୁ ଏହା ପୂର୍ବରୁ ପଡ଼ିଆର ନିର୍ମାଣକୁ ନେଇ ବି ସନ୍ଦେହ ସୃଷ୍ଟି ହେଲାଣି।

Advertisment

publive-image Exporters India

ବାରବାଟୀ ପଡ଼ିଆ ନବୀକରଣ ପାଇଁ ପ୍ରଚୁର ପରିମାଣର ବାଲି ବ୍ୟବହାର ହୋଇଛି। ବ୍ୟବହୃତ ବାଲିର ବୃହତ୍‌ ଅ˚ଶ ବେଆଇନ୍‌ ଭାବେ ଚାଲାଣ ହୋଇଥିବା ସଂକ୍ରାନ୍ତରେ ଢେଙ୍କାନାଳ ଭୁବନର ସମାଜସେବୀ ବିକ୍ରମ କୁମାର ନାୟକ ଗତ ଅଗଷ୍ଟ ୧୨ ତାରିଖରେ ସଦର ତହସିଲଦାରଙ୍କୁ ଅଭିଯୋଗ କରିଥିଲେ। ଅଭିଯୋଗ ଅନୁଯାୟୀ ପଡ଼ିଆ ନବୀକରଣ ପାଇଁ ପାଖାପାଖି ୩୫୦ ହାଇଵା ଟ୍ରିପ୍‌ ବାଲି ଅଣାଯାଇଥିଲା। ଏସବୁ ବାଲିର ଟ୍ରାନ୍‌ଜିଟ୍‌ ପାସ୍‌ (ଵାଇ ଫର୍ମ) ଓସିଏ କାର୍ଯ୍ୟାଳୟରେ ନିର୍ଧାରିତ ସମୟରେ ଦାଖଲ ହେଉନାହିଁ। ଯାହାଫଳରେ ତହସିଲ କାର୍ଯ୍ୟାଳୟରେ ତାହାର କୌଣସି ରେକର୍ଡ ରହିପାରୁନାହିଁ। ବାଲି ବେଆଇନ୍‌ ଭାବେ ଆସୁଥିବାରୁ ରାଜ୍ୟ ରାଜକୋଷର କ୍ଷତି ହେଉଥିବା ଆବେଦନକାରୀ ଦର୍ଶାଇଥିଲେ। ତେଣୁ ଏହାଉପରେ ପଦକ୍ଷେପ ନେବାପାଇଁ ପ୍ରାର୍ଥନା କରାଯାଇଥିଲା। ମାସେ ପର୍ଯ୍ୟନ୍ତ କୌଣସି ପଦକ୍ଷେପ ନ ନିଆଯିବାରୁ ଆବେଦନକାରୀଙ୍କ ପକ୍ଷରୁ ପୁଣି ଥରେ ସେପ୍ଟେମ୍ବର ୯ ତାରିଖରେ ରିମାଇଣ୍ତର ଦେଇଥିଲେ। କିନ୍ତୁ କୌଣସି କାର୍ଯ୍ୟାନୁଷ୍ଠାନ ନହେବାରୁ ପୁଣି ଥରେ ଅକ୍ଟୋବର ୨ ତାରିଖରେ ଦ୍ବିତୀୟ ରିମାଇଣ୍ତର ଦିଆଯାଇଥିଲା।

publive-image Sambad English

ଦ୍ବିତୀୟ ରିମାଇଣ୍ତର ପରେ ଉପ ଜିଲ୍ଲାପାଳ (ତୌଜି ଓ ଋଣ)ଙ୍କ ନିର୍ଦ୍ଦେଶକ୍ରମେ ସଦର ତହସିଲଦାରଙ୍କ ଦ୍ବାରା ଓସିଏ ସମ୍ପାଦକଙ୍କୁ ବ୍ୟକ୍ତିଗତ ଭାବେ ହାଜର ହୋଇ ପକ୍ଷ ରଖିବାକୁ ଅକ୍ଟୋବର ୧୮ ତାରିଖରେ ଡକା ଯାଇଥିଲା। ହେଲେ ଏହି ତଦନ୍ତର କୌଣସି ରିପୋର୍ଟ ବର୍ତ୍ତମାନ ସୁଦ୍ଧା ଉପ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ନାହିଁ। ଯାହାଫଳରେ ଉପରୋକ୍ତ ଅଭିଯୋଗ ସମ୍ବନ୍ଧୀୟ ପୂର୍ଣ୍ଣାଙ୍ଗ ତଦନ୍ତ ରିପୋର୍ଟ ସରକାରଙ୍କ ପାଖକୁ ପଠାଯାଇ ନଥିବା ସୂଚନା ମିଳିଛି।

ଅନ୍ୟପଟେ ଭିଜିଲାନ୍ସ ବିଭାଗ (ଚିଠି ନ˚ ୧୮୧୦୨, ତା ୨୯.୧୦.୨୧) ଓ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ଡାଏରି ନ˚. ୭୦୪୭/ସିଏମ୍‌-୧/ତା ୨୭.୧୦.୨୧) ରୁ ଉକ୍ତ ଅଭିଯୋଗ ଉପରେ ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିଲା। ତହସିଲଦାରଙ୍କ ନିକଟରୁ କୌଣସି ଜବାବ ଆସିପାରୁ ନଥିବାରୁ ସରକାରଙ୍କୁ କୌଣସି ରିପୋର୍ଟ ଦିଆଯାଇପାରୁ ନଥିବା କୁହାଯାଇଛି।