ପୁରୀ: ୨୦୨୪ ସାଧାରଣ ନିର୍ବାଚନରେ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ଓ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ମୁଖ୍ୟମନ୍ତ୍ରୀ ଲଢ଼ିବେ ବୋଲି ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ପୁରୀର ବିଜେପି ବିଧାୟକ ଜୟନ୍ତ ଷଡ଼ଙ୍ଗୀ ଓ ବିଜେଡି ବରିଷ୍ଠ ନେତା ରାମକୃଷ୍ଣ ଦାସମହାପାତ୍ରଙ୍କ ମନ୍ତବ୍ୟ ଏହି ଚର୍ଚ୍ଚାର ଆଧାର। ଉଭୟ ଦଳରେ ଏହି ଖବରଟି ଯେମିତି ଆଲୋଚନାର ବିଷୟ ହୋଇଛି, ଠିକ୍ ସେମିତି ସ୍ଥାନୀୟ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ୨୦୧୯ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ଲଢ଼ିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ପରବର୍ତ୍ତୀ ସମୟରେ ଏହା ମିଛ ପ୍ରମାଣିତ ହୋଇଥିଲା। ଶେଷ ମୁହୂର୍ତ୍ତରେ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ଲୋକସଭା ପ୍ରାର୍ଥୀ ହୋଇଥିଲେ। ଯଦିଓ ଜିତିପାରିଲେନି, ତଥାପି ପୁରୀ ଲୋକସଭା ଆସନରୁ ଭଲ ଭୋଟ ହାତେଇଥିଲେ। ବିଜେଡି ତୁଳନାରେ ବିଜେପି କେବଳ ପୁରୀ ନିର୍ବାଚନମଣ୍ଡଳୀରୁ ୨୭ହଜାର ଭୋଟ ଅଧିକ ପାଇଥିଲା। ସେପଟେ ବିଜେଡି ଗଡ଼ କୁହାଯାଉଥିବା ପୁରୀ ଓ ବ୍ରହ୍ମଗିରି ବିଧାନସଭା ନିର୍ବାଚନମଣ୍ଡଳୀ ବି ବିଜେଡି ହାତରୁ ଖସି ଯାଇଥିଲା। ଦୁଇ ଆସନରେ ବିଜେପିର ବିଜୟ ହୋଇଥିଲା। ଗତ ସାଧାରଣ ନିର୍ବାଚନରେ ବିଜେପିର ଏହି ଚମତ୍କାରିତା ବିଜେପି ନେତା ଓ କର୍ମୀଙ୍କ ଉତ୍ସାହ ବଢ଼ାଇ ଦେଇଛି।

Advertisment

ଶୁଣିଛି ପ୍ରଧାନମନ୍ତ୍ରୀ ଲଢ଼ିବେ, ୭ ସିଟ୍‌ ନେବୁ: ଜୟନ୍ତ
ଆମେ ଚାହୁଛୁ ମୁଖ୍ୟମନ୍ତ୍ରୀ ଲଢ଼ନ୍ତୁ: ରାମକୃଷ୍ଣ

ବିଜେପିକୁ ରୋକିବା ଲାଗି ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କୁ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ାଇବ ବୋଲି ଚର୍ଚ୍ଚା ହେଉଛି। ବରିଷ୍ଠ ବିଜେଡି ନେତା ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ଆମେ ଚାହୁଛୁ ଓ ପ୍ରସ୍ତାବ ବି ଦେଉଛୁ, ମୁଖ୍ୟମନ୍ତ୍ରୀ ପୁରୀ ବିଧାନସଭା ନିର୍ବାଚନମଣ୍ଡଳୀରୁ ଲଢ଼ନ୍ତୁ। ମୁଖ୍ୟମନ୍ତ୍ରୀ ଲଢ଼ିଲେ ଦଳମତ ନିର୍ବିଶେଷରେ ସମସ୍ତେ ସ୍ବାଗତ କରିବେ। ପୁରୀରେ ଅନେକ ବିକାଶ କାମ ଚାଲିଛି। ଯେଉଁ କାମ ବାକି ରହିଯାଇଛି, ତାହା ସମ୍ପୂର୍ଣ୍ଣ ହୋଇପାରିବ।
ଅନ୍ୟପଟେ ବିଧାୟକ ଶ୍ରୀ ଷଡ଼ଙ୍ଗୀ କହିଛନ୍ତି, ଆମେ ଶୁଣିଛୁ, ପୁରୀ ଲୋକସଭା ନିର୍ବାଚନମଣ୍ଡଳୀରୁ ପ୍ରଧାନମନ୍ତ୍ରୀ ନିର୍ବାଚନ ଲଢ଼ିବେ। ପୁରୀବାସୀ ଏହାକୁ ସ୍ବାଗତ କରୁଛନ୍ତି। ଏଠାରୁ ପ୍ରଧାନମନ୍ତ୍ରୀ ନିର୍ବାଚନରେ ଲଢ଼ିବା ଦରକାର। ଏହାଦ୍ବାରା ବିଶ୍ବ ଦରବାରେ ପୁରୀର ସମ୍ମାନ ଆହୁରି ବଢ଼ିଯିବ। ଆମ ଠାକୁର ବଡ଼ଠାକୁର, ବିଶ୍ବପ୍ରସିଦ୍ଧ ଠାକୁର, ଏଠୁ ମୋଦୀ ଯଦି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହୁଅନ୍ତି, ତେବେ ଆମେ ୭ରୁ ୭ ବିଧାନସଭା ସିଟ୍‌ରେ ଜିତିବୁ।