ବେଗୁନିଆପଡ଼ା : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଲକ୍ ବୁରୁଝରି ପଞ୍ଚାୟତ ପି.ନୂଆଗାଁ ଗ୍ରାମର ସାଉଲିଙ୍ଗ୍ ପଢ଼ିଆଳି (୨୯)। ଓଲିଉଡ଼୍, ବଲିଉଡ଼୍ ଓ ଯାତ୍ରା ଜଗତର ଜଣେ ଯୁବ ଏବଂ ଦକ୍ଷ କୋରିଓଗ୍ରାଫର୍। ହେଲେ ଅଭିନେତା ଓ ଅଭିନେତ୍ରୀଙ୍କ ଗହଣରେ ଦିନ କାଟୁଥିବା ସାଉଲିଙ୍ଗ୍ ଆଜି ପାଲଟିଯାଇଛନ୍ତି ଜଣେ ଚା ଦୋକାନୀ। ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। କରୋନା କଟକଣା ତାଙ୍କ ଠାରୁ ଜୀବିକା ଛଡ଼ାଇ ନେବା ପରେ ପରିସ୍ଥିତିରେ ପଡ଼ି ଆଜି ଚା ବିକିବାକୁ ବାଧ୍ୟ ହୋଇଛନ୍ତି। ନିଜ ଗାଁ ନିକଟ ତଥା ରାଗପୁର ଆଦର୍ଶ ବିଦ୍ୟାଳୟ ରାସ୍ତାଛକରେ ଛାଟିମାଟି କୁଡ଼ିଆ ଭିତରେ ମାଟିହାଣ୍ଡି ଚାଦୋକାନଟିଏ ଖୋଲି ସାଉଲିଙ୍ଗ୍ ପ୍ରତିପୋଷଣ କରୁଛନ୍ତି। ବିଭିନ୍ନ କିସମର ଚା ସହ କାଜୁ ରାବିଡ଼ି ଆଦି ବିକୁଛନ୍ତି।
ସାଉଲିଙ୍ଗ୍ ପଢ଼ିଆଳି ସଭିଙ୍କ ମହଲରେ ଗୁରୁ ଭାବେ ପରିଚିତ। ବାପା ରଙ୍ଗନାଥ ପଢ଼ିଆଳି ଗୁଜରାଟରେ କାମ କରୁଥିବା ବେଳେ ସାଉଲିଙ୍ଗ୍ ଜନ୍ମ ଗ୍ରହଣ କରିଥିଲେ। ତାଙ୍କୁ ୧୦ ବର୍ଷ ବୟସ ବେଳେ ବାପା ଆରପାରିକୁ ଚାଲିଯିବା ପରେ ମା ବୁଦ୍ଧି କଷ୍ଟେମଷ୍ଟେ ଲାଳନପାଳନ କରିଥିଲେ। କିନ୍ତୁ ପିଲାଟି ଦିନରୁ ସାଉଲିଙ୍ଗ୍ଙ୍କ ନୃତ୍ୟ ପ୍ରତି ରୁଚି ଥିଲା। ଗୁଜରାଟର ଜଣେ ନୃତ୍ୟ ଗୁରୁଙ୍କ ଠାରୁ ଶିକ୍ଷାଦାନ କରିଥିଲେ। ବାପା ଚାଲିଯିବା ପରେ ନୃତ୍ୟ ଶିକ୍ଷକଙ୍କ ଘରେ ବାସନ ଧୋଇ ଓ ଝାଡ଼ୁ ଧୋଉଥିଲେ। ୧୪ ବର୍ଷ ବୟସ ବେଳକୁ ସାଉଲିଙ୍ଗ୍ ନୃତ୍ୟର ସମସ୍ତ କଳା ଶିଖିଯାଇଥିଲେ। ସମୟଚକ୍ରରେ ଅହମ୍ମଦାବାଦର ଦୀପକ ରାଜପୁତ ନାମକ ଜଣେ ନିର୍ଦ୍ଦେଶକଙ୍କ ସଂସ୍ପର୍ଶରେ ଆସି ସେ ଫିଲ୍ମ ଦୁନିଆରେ ପାଦ ଥାପିଥିଲେ।
୨୦୧୭ ମସିହାରେ ବଲିଉଡ଼୍ ଫିଲ୍ମ ‘କମାଣ୍ଡୋ-୨ ସାଉଲିଙ୍ଗ୍ (ହରେ କ୍ରିଷ୍ଣା..ହରେ ରାମା) ଗୀତ ପାଇଁ କୋରିଓଗ୍ରାଫି କରିଥିଲେ। ଏହାପରେ ଧୀରେ ଧୀରେ ସେ ସଫଳତାର ଗୋଟିଏ ପରେ ଗୋଟିଏ ପାହାଚ ଚଢ଼ିଥିଲେ। ଏହାପରେ ଓଡ଼ିଆ ଚଳଚ୍ଚିତ୍ର ‘ବିନ୍ଦାସ୍ ଓ ‘ଜଗା ହାତରେ ପଘା’ର ଗୋଟିଏ ଲେଖାଏଁ ଗୀତରେ ସେ କୋରିଓଗ୍ରାଫି ଦେଇଥିଲେ। ‘ସୁନ୍ଦରଗଡ଼ର ସଲମନ୍ ଖାଁ’ ଚଳଚ୍ଚିତ୍ରରେ ମୁଖ୍ୟ କୋରିଓଗ୍ରାଫର୍ଙ୍କୁ ସହଯୋଗ କରିଥିଲେ। ସେହିପରି ବିଭିନ୍ନ ଯାତ୍ରା ପାର୍ଟି ଓ ଆଲବମ୍ରେ ସେ ନୃତ୍ୟ ନିର୍ଦ୍ଦେଶନା ଦେଇଥିଲେ। କିଛି ପିଲାଙ୍କୁ ବି ଗୁଜରାଟରେ ଡ୍ୟାନ୍ସ୍ ଶିଖାଉଥିଲେ।
ହେଲେ ଗତ ୫ ମାସ ହେଲା ତାଙ୍କ ଦୁନିଆ ଯେମିତି ବଦଳିଯାଇଛି। ଲକ୍ଡାଉନ୍ ପରେ ସେ ଗୁଜରାଟରୁ ଫେରିଛନ୍ତି। ପାଖରେ କାମ ନାହିଁ। ଅର୍ଥାଭାବ ଯୋଗୁଁ ସାଉଲିଙ୍ଗ୍ ୨୦ ଦିନ ତଳେ ଚା ଦୋକାନ ଖୋଲିଛନ୍ତି। ଦିନକୁ ୨୦୦ରୁ ୩୦୦ ଟଙ୍କା ଲାଭ ମିଳୁଛି। ତାଙ୍କ ପାଖରେ ଆଶ୍ରୟ ନେଇଥିବା ଜଣେ ଅସହାୟ ବ୍ୟକ୍ତିଙ୍କୁ ପ୍ରତିଦିନ ୫୦ ଟଙ୍କା ଦେଉଛନ୍ତି। ବେଗୁନିଆପଡା ବ୍ଲକ୍ ଯୋଗାଣ ଅଧିକାରୀ ଶରତ ବେହେରା ଏହା ଜାଣିବା ପରେ ମିଲ୍ ଯୋଜନାରେ ସହାୟତା ପ୍ରଦାନ କରିଥିଲେ। ରାସନ୍ କାର୍ଡ଼ କିଭଳି ହେବ ଏଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।
ଘରେ ମା’ଙ୍କ ସହ ପତ୍ନୀ ମାହେଶ୍ୱରୀ ଓ ଦୁଇ ପୁଅ ଶୋଭାରାଜ ଏବଂ ସୁନସୋ ରହୁଛନ୍ତି। ସବୁ କିଛି ଭଗବାନଙ୍କ ହାତରେ। ପରିବାର ଚଳାଇବାକୁ କିଛି ବି କରିବାକୁ ହେବ। ନଚେତ୍ ଆଉ କିଛି ଉପାୟ ନାହିଁ ବୋଲି ସାଉଲିଙ୍ଗ୍ କହନ୍ତି।