ଏସ୍‌ଟିଏଫ୍‌କୁ ଛୋଟାର ସୂଚନା, ଆହୁରି ୩ ନିଶା ବେପାରୀ ସକ୍ରିୟ ଅଛନ୍ତି

ଖୋର୍ଦ୍ଧାରେ ଦିନକୁ ୨୫ଲକ୍ଷ ଟଙ୍କାର ବ୍ରାଉନସୁଗାର ବେପାର

ଖୋର୍ଦ୍ଧା: ଖୋର୍ଦ୍ଧା ସହର ଓ ଏହାର ଉପକଣ୍ଠରେ ଦିନକୁ ୨୫ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର କାରବାର ହେଉଛି। ଏହି କାରବାରରେ ସେ ଏକା ନୁହେଁ, ଖୋର୍ଦ୍ଧାରେ ତା ଭଳି ଆହୁରି ୩ଜଣ ପ୍ରମୁଖ ବେପାରୀ ଅଛନ୍ତି। ଏପରି ସୂଚନା କ୍ରାଇମବ୍ରାଞ୍ଚର ଏସଟିଏଫ୍‌କୁ ଖୋର୍ଦ୍ଧାର ଅନ୍ୟତମ ଡ୍ରଗସ୍‌ ମାଫିଆ ଶୁଭ୍ରାଂଶୁ ପରିଡ଼ା ଓରଫ ଛୋଟା ଦେଇଛି। କୋର୍ଟରେ ଆତ୍ମସମର୍ପଣ ପରେ ଡ୍ରଗ୍‌ସ ମାଫିଆ ଛୋଟାକୁ ୩ ଦିନ ରିମାଣ୍ତରେ ନେବା ପରେ ଛୋଟା ଏସ୍‌ଟିଏଫ୍ ଆଗରେ ଏମିତି କଥା ଓଗାଳିଥିବା ଜଣାଯାଇଚି। କେବଳ ସେତିକି ନୁହେଁ, ଖୋର୍ଦ୍ଧାରେ ଚାଲୁଥିବା ବ୍ରାଉନ୍ସୁଗାର କାରବାର ଉପରେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ମଧ୍ୟ ସଂଗ୍ରହ କରିଛି ଏସ୍‌ଟିଏଫ୍।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ପଚରାଉଚୁରା ସମୟରେ ଛୋଟା ନିଜର କାରବାର ଓ ଖୋର୍ଦ୍ଧାରେ ଥିବା ତା’ର ପ୍ରତିଦ୍ବନ୍ଦ୍ବୀଙ୍କ ସମ୍ପର୍କରେ ଏସ୍‌ଟିଏଫ୍‌କୁ ଅନେକ ସୂଚନା ଦେଇଛି। ଏହି ସୂଚନା ଆଧାରରେ ଏସ୍‌ଟିଏଫ୍ ଏକ ବ୍ଲୁ ପ୍ରିଂଟ୍ ପ୍ରସ୍ତୁତ କରିଥିବା ଜଣାପଡ଼ିଛି। ବ୍ରାଉନ୍‌ସୁଗାରର ପ୍ରମୁଖ ବଜାର ହେଉଛି ବେଆଇନ ପଥର ଖଣି ଓ କ୍ରସର ୟୁନିଟ୍‌ର ଶ୍ରମିକ। କେତେକ କ୍ରସର ୟୁନିଟ୍‌ର ମାଲିକଙ୍କ ସହାୟତାରେ ଏହି କାରବାର ଜୋରସୋରରେ ଚାଲିଛି। ଏହାପରେ କଲେଜ ଓ ଇଞ୍ଜିନିୟରିଂ ଛାତ୍ର ବ୍ରାଉନ୍‌ସୁଗାରର ଦ୍ବିତୀୟ ଗ୍ରାହକ। ଦୈନିକ ଜଳେଶ୍ବର ଓ ବାଲେଶ୍ବରରୁ ଖୋର୍ଦ୍ଧାକୁ ୩ଶହରୁ ୪ଶହ ଗ୍ରାମ୍ ବ୍ରାଉନ୍ସୁଗାର ଚାଲାଣ ହେଉଛି। ଯାହାର ଆନୁମାନିକ ମୂଲ୍ୟ ୨୫ରୁ ୩୦ ଲକ୍ଷ ଟଙ୍କା । ଏଥିରେ ଚିନି ଗୁଣ୍ତ, ଚୂନ ଆଦି ମଧ୍ୟ ମିଶାଯାଏ। ୫ରୁ ୧୦ ମିଲିଗ୍ରାମ୍ ବ୍ରାଉନ୍‌ସୁଗାର ପୁଡ଼ିଆକୁ ୨ଶହରୁ ୩ଶହ ଟଙ୍କାରେ ବିକ୍ରି କରାଯାଏ। ଗୋଟିଏ ଗ୍ରାମ ବ୍ରାଉନସୁଗାର ବିକ୍ରି ହେଲେ ଲାଭ ୨ହଜାରରୁ ୩ ହଜାର ଟଙ୍କା। ଖୋଦ୍‌ ଛୋଟା ଦିନକୁ ୨ଶହରୁ ଅଢେ଼ଇଶହ ଗ୍ରାମ ବ୍ରାଉନସୁଗାର ବିକ୍ରି କରୁଥିଲା। ଅର୍ଥାତ୍ ଦିନକୁ ଲାଭ ଥିଲା ୩/୪ଲକ୍ଷ ଟଙ୍କା। ଏଥିରୁ ନିଜର ଗ୍ୟାଙ୍ଗ୍ ସଦସ୍ୟ, ପୁଲିସ, ଅବକାରୀ ବିଭାଗକୁ ଭାଗ ଦେବା ପରେ ଦେଢ଼ ଲକ୍ଷରୁ ୨ଲକ୍ଷ ଟଙ୍କା ଯାଏଁ ମିଳୁଥିଲା। ଛୋଟା ଦେଇଥିବା ବୟାନାନୁସାରେ, କେବଳ ସେ ନୁହେଁ ଜିଲ୍ଲାରେ ଗତ ୨ ବର୍ଷ ମଧ୍ୟରେ ତା’ ଭଳି ୩ଜଣ ନିଶା ବେପାରୀ ମୁଣ୍ତ ଟେକିଛନ୍ତି। ଏବେ ଏହି ବ୍ରାଉନ୍‌ସୁଗାର ବେପାର ଖୋର୍ଦ୍ଧାରୁ ବାଣପୁର, ଚିଲିକା, ବୋଲଗଡ଼, ବେଗୁନିଆ, ନୟାଗଡ଼, ବାଙ୍କୀ, ବୌଦ୍ଧ ଯାଏଁ ବଢ଼ିଯାଇଛି। ଖୋର୍ଦ୍ଧା ସହର ମଧ୍ୟରେ, ଗୁରୁଜଙ୍ଗରେ ଛୋଟାର ସାମ୍ରାଜ୍ୟ ଧ୍ବସ୍ତ ହେବା ପରେ ଏବେ ମଠସାହି, ଉପରସାହି, ଠେଙ୍ଗାହାଟ, ଖୋର୍ଦ୍ଧାର ଡ୍ରଗ୍ ଡିଏଡିକ୍ସନ୍ କେନ୍ଦ୍ର, ସରସ୍ବତୀ ଶିଶୁମନ୍ଦିର ନିକଟସ୍ଥ ବସ୍ତି, ମୁକୁନ୍ଦପ୍ରସାଦ, ପୁବୁସାହିକୁ କାରବାର ଚାଲିଯାଇଛି। ପୂର୍ବେ ପାନଦୋକାନ, ଚାହା ଦୋକାନ, ପଇଡ଼ ଦୋକାନରେ ଖୁଲ୍‌ମଖୋଲା ବିକ୍ରି ହେଉଥିଲା। ଏସ୍‌ଟିଏଫ୍‌ ଭୟରେ ଏବେ ସେଗୁଡ଼ିକ ବନ୍ଦ ହୋଇଯାଇଥିବା ବେଳେ କିଣାବିକା ଘର ଭିତରେ ଚାଲୁଛି। ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା, ଖୋର୍ଦ୍ଧାରେ ଚାଲୁଥିବା ବ୍ରାଉନ୍‌ସୁଗାର କାରବାର ସମ୍ପର୍କରେ ଅବକାରୀ ଓ ସ୍ଥାନୀୟ ପୁଲିସ୍‌ ଜାଣିଥିଲେ ମଧ୍ୟ ଏନେଇ ଏସ୍‌ଟିଏଫ୍‌କୁ କୌଣସି ସହଯୋଗ କରୁନଥିବା ଜଣାପଡ଼ିଛି। ନିକଟରେ ଏସ୍‌ଟିଏଫ୍‌ ଚଢ଼ଉ ପୂର୍ବରୁ ଖୋର୍ଦ୍ଧା ଟାଉନ୍ ଥାନା, ଜଙ୍କିଆ, ଟାଙ୍ଗୀ, ଜଟଣୀ ଆଦି ଥାନାରେ ୨୨ଜଣଙ୍କୁ ଗିରଫ କରାଗଲା। ସେମାନଙ୍କ ମଧ୍ୟରୁ ୨/୩ଜଣଙ୍କୁ ବ୍ରାଉନ୍‌ସୁଗାର ସହ ଗିରଫ କରାଯାଇଥିବା ଦର୍ଶାଯାଇଥିବା ବେଳେ ବଳକା ଲୋକଙ୍କୁ ଅନ୍ୟ ମାମଲାରେ ଗିରଫ କରାଯାଇଥିଲା। ଏସ୍‌ଟିଏଫ୍‌ ଚଢ଼ଉ ପୂର୍ବରୁ ପୁଲିସର ଏଭଳି ଗିରଫଦାରୀ ଓ ଗିରଫ ହୋଇଥିବା ଡ୍ରଗ୍‌ସ ବେପାରୀଙ୍କୁ ୨/୩ ଦିନ ମଧ୍ୟରେ ଜାମିନ ମିଳିବା ନେଇ ସାଧାରଣରେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏଭଳି ମାରାତ୍ମକ ବ୍ୟବସାୟ କରି ଯୁବଗୋଷ୍ଠୀ ଓ ଅନେକ ପରିବାରକୁ ନଷ୍ଟ କରୁଥିବା ବ୍ୟକ୍ତିବିଶେଷଙ୍କୁ ପୁଲିସ୍‌ ପ୍ରଶାସନର ଏଭଳି ଅନୁକମ୍ପା କାହିଁକି ବୋଲି ବୁଦ୍ଧିଜୀବୀମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର