ପୁଣିଥରେ ଚର୍ଚ୍ଚାରେ ଚୌଦ୍ୱାର ଜେଲ୍‌ : ଫାଶୀ ଲଗାଇ ଦୁଷ୍କର୍ମ ଅଭିଯୁକ୍ତଙ୍କ ଆତ୍ମହତ୍ୟା

ଚୌଦ୍ୱାର: ଆଜି ମଧ୍ୟାହ୍ନ ୧ଟା ୩୦ ମିନିଟ୍‌ ସମୟରେ ଚୌଦ୍ବାର ସର୍କଲ ଜେଲ୍‌ ପରିସରରେ ଜଣେ ଦୁଷ୍କର୍ମ ଅଭିଯୁକ୍ତ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ସେ ହେଉଛନ୍ତି ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ମାଳିସାହି ଅଞ୍ଚଳର ପପୁ ଓରଫ୍‌ ବେଦପ୍ରକାଶ ବେହେରା। ଜେଲ୍‌ର ୨ ନମ୍ବର ସେଲ୍‌ ନିକଟସ୍ଥ ତେଲଘଣା ପଛପଟରେ ଥିବା ଏକ ଆମ୍ବଗଛରେ ଗାମୁଛା ବାନ୍ଧି ପପୁ ଆତ୍ମହତ୍ୟା କରିଛନ୍ତି। ଗତ ଜୁନ୍‌ ମାସରୁ ସେ ଜଣେ ନାବାଳିକା ସହ ଦୁଷ୍କର୍ମ କରିବା ଅଭିଯୋଗରେ ଏଠାରେ ବନ୍ଦୀ ଥିଲେ।

ସୂଚନାଯୋଗ୍ୟ, ଏକ ନାବାଳିକା ଦୁଷ୍କର୍ମ (ପକ୍ସୋ) ମାମଲାରେ ବୋଲଗଡ଼ ମାଳିସାହି ଅଞ୍ଚଳର ଶ୍ରୀବତ୍ସ ବେହେରାଙ୍କ ପୁଅ ପପୁ(୨୧) ଗତ ଜୁନ୍‌ ୨୦ ତାରିଖରୁ ଚୌଦ୍ବାର ସର୍କଲ ଜେଲ୍‌ର ୫ନମ୍ବର ବ୍ଲକରେ ରହୁଥିଲେ। ଆଜି ଦିନ ୧ଟା ବେଳେ ପପୁ ସେଲରୁ ଯାଇ ଜେଲ୍‌ ପରିସରରେ ଥିବା ଟେଲିଫୋନ୍‌ ସେବାକେନ୍ଦ୍ରରୁ ନିଜ ପରିବାର ସହ କଥା ହୋଇଥିଲେ। ଏହା ପରେ ପରେ ସେ ୨ନମ୍ବର ସେଲ ନିକଟସ୍ଥ(ଖଟଣି) ତେଲଘଣା ପଛରେ ଥିବା ଏକ ଆମ୍ବଗଛରେ ଗାମୁଛା ବ‌ାନ୍ଧି ଆତ୍ମହତ୍ୟା କରିଥିବା ଜଣାପଡିଛି। ଜେଲ୍‌ କର୍ତ୍ତୃପକ୍ଷ ଦିନ ୨ଟା ବେଳେ ସୂଚନା ପାଇ ପପୁଙ୍କୁ କଟକ ବଡ଼ ମେଡିକାଲକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତ୍ୟୁ ସଂକ୍ରାନ୍ତରେ ଜେଲ୍‌ କର୍ତ୍ତୃପକ୍ଷ ଚୌଦ୍ବାର ଥାନାକୁ ଅବଗତ କରାଇବା ପରେ ପୁଲିସ ଏକ ଅପମୃତ୍ୟୁ ମାମଲା (୨୯/୧୯) ରୁଜୁ କରିବା ସହ ଘଟଣାର ତଦନ୍ତ କରୁଛି। ତେବେ, ଜେଲ୍‌ ପରିସରରେ ସମସ୍ତଙ୍କ ନଜର ଥିବା ସତ୍ତ୍ବେ ପପୁ କିପରି ଗଛରେ ଚଢ଼ି ଆତ୍ମହତ୍ୟା କରିଲେ ଓ ତାହା କିପରି କେହି ଜାଣି ପାରିଲେ ନାହିଁ ତାହା ସମସ୍ତଙ୍କୁ ଚକିତ କରିଛି। ପ୍ରତିଦିନ ଜେଲର କଏଦୀମାନଙ୍କ ବ୍ଲକ ମଧ୍ୟାହ୍ନ ୧୨ଟାରେ ବନ୍ଦ ହୋଇ ଅପରାହ୍ନ ୨ଟାରେ ଖୋଲାଯିବାର ନିୟମ ରହିଛି। ଅଥଚ, ମୃତ ବେଦପ୍ରକାଶ କିପରି ୧ଟା ୩୦ ବେଳେ ନିଜ ପରିବାର ସହ କଥା ହୋଇଥିଲେ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି। ଫୋନ୍‌ସେବା କେନ୍ଦ୍ରରେ ନିଜ ପରିବାର ସହ କଥା ହେବା ପରେ ସେ ୫ନମ୍ବର ସେଲ୍‌କୁ ନ ଫେରି ତେଲଘଣା ନିକଟରେ ଥିବା ଆମ୍ବଗଛ ନିକଟରେ କିପରି ପହଞ୍ଚି ଆତ୍ମହତ୍ୟା କଲେ ତାହା ତଦନ୍ତସାପେକ୍ଷ ହୋଇପଡ଼ିଛି। ଆଜି ତେଲଘଣା(ଖଟଣି) ନିକଟରେ ଥିବା ୨ନମ୍ବର ସେଲ ପାଖରେ ୱାର୍ଡର୍‌ କାଳୀଚରଣ ମୁର୍ମୁ ଡ୍ୟୁଟିରେ ଥିବା ବେଳେ ୫ନମ୍ବର ବ୍ଲକରେ ୱାର୍ଡର୍‌ ରାମସିଂ ମାହାଳି ଡ୍ୟୁଟିରେ ଥିଲେ ବୋଲି କୁହାଯାଉଛି।

ଚୌଦ୍ବାର ସର୍କଲ ଜେଲ୍‌ ଭିତରେ ବିଭିନ୍ନ ସମୟରେ ଘଟୁଥିବା ଗଣ୍ଡଗୋଳ ବିଭାଗର ଚିନ୍ତା ବଢ଼ାଇବାରେ ଲାଗିଛି। ଗତ ବର୍ଷକ ଭିତରେ ଏହି ଜେଲ୍‌ ପରିସରରେ ୩ଜଣଙ୍କର ଅସ୍ବାଭାବିକ ମୃତ୍ୟୁ ଘଟିଲାଣି। ଗତ ଜୁନ୍ ୨୪ତାରିଖରେ ଗ୍ୟାଙ୍ଗ୍‌ୱାର୍‌ ଘଟି କଟକ ତୁଳସୀପୁର ମଠସାହି ଅଞ୍ଚଳର ରମେଶ ଚନ୍ଦ୍ର ପ୍ରଧାନଙ୍କୁ ଏକ କୋଦାଳରେ ହାଣି ହତ୍ୟା କରାଯାଇଥିବା ବେଳେ ମାର୍ଚ୍ଚ ୧୧ତାରିଖରେ କଟକର ବହୁଚର୍ଚ୍ଚିତ କେଶବ ବେହେରା ହତ୍ୟାକାଣ୍ତର ଅନ୍ୟତମ ଅଭିଯୁକ୍ତ ଟନି ଓରଫ ଶୁଭ୍ରାଂଶୁ କୁମାର ଦାସଙ୍କର ବି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଥିଲା। ସେହିପରି ଦଶହରା ସମୟରେ ୪୯ନମ୍ବର ସେଲ ଭିତରେ ଗ୍ୟାଙ୍ଗଷ୍ଟର ରାଜା ଓ ହାଡିଆ ନିଜ ଫଟୋ ଉଠାଇ ସୋସିଆଲ ମିଡିଆରେ ପୋଷ୍ଟ କରିବା ଘଟଣା ସାମ୍ନାକୁ ଆସିଥିଲେ ବି ତାହା କର୍ତ୍ତୃପକ୍ଷଙ୍କ ଉପରେ ବିଶେଷ ପ୍ରଭାବ ପକାଇ ପାରି ନ ଥିଲା। ତାଛଡ଼ା, ନିକଟରେ ଜେଲ୍‌ ଭିତରେ ଦୁଇ ଗ୍ୟାଙ୍ଗ ମଧ୍ୟରେ ଗୋଷ୍ଠୀସଂଘର୍ଷ ହେବା ଫଳରେ ୩ଜଣ ଆହତ ହୋଇଥିଲେ ଓ ସେମାନଙ୍କ ନିକଟରୁ ୪ଟି ମୋବାଇଲ ଜବତ କରାଯାଇଥିଲା। ଆଜିର ଘଟଣା ସମ୍ପର୍କରେ ଜେଲ କର୍ତ୍ତୃପକ୍ଷଙ୍କ ମତାମତ ନିଆଯିବା ପାଇଁ ଯୋଗାଯୋଗ କରାଯାଇଥିଲେ ବି ତାହା ସମ୍ଭବ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର